ଲିଙ୍ଗ ନିରୂପଣ ରାକେଟ୍‌: ବେଆଇନ କାରବାରର ଚେର ହାଇଦ୍ରାବାଦ୍‌ରେ

Advertisment
ଲିଙ୍ଗ ନିରୂପଣ ରାକେଟ୍‌: ବେଆଇନ କାରବାରର ଚେର ହାଇଦ୍ରାବାଦ୍‌ରେ

ରିପୋର୍ଟ ପିଛା ଚାର୍ଜ ୭,୫୦୦!
ପୁଲିସ ଚଢ଼ଉ ପରେ ସ୍ବାସ୍ଥ୍ୟ ବିଭାଗର ଅକଲ ଗୁଡୁମ୍‌
ସହର ଭିତରେ ଚାଲିଛି, ପ୍ରଶାସନ ଜାଣିନି ?

ବ୍ରହ୍ମପୁର : ବ୍ରହ୍ମପୁର ସହରର ଚାରିଆଡ଼େ ମାଳ ମାଳ ବେଆଇନ କ୍ଲିନିକ୍‌, ଡାଏଗ୍ନୋଷ୍ଟିକ୍‌ ସେଣ୍ଟର୍‌, ପାଥୋଲ୍ୟାବ୍‌ ଖୋଲି ଚାଲିଛି ବେପାର। ଏହାରି ଭିତରେ ବିନା ନାମଫଳକରେ ଦୁଇରୁ ତିନି ବର୍ଷ ଧରି ସହର ମଧ୍ୟରେ ଏକ ବେଆଇନ କ୍ଲିନିକ୍‌ ଖୋଲି ଲିଙ୍ଗ ନିରୂପଣ ଅବାଧରେ ଚାଲିଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ କିଭଳି ଜାଣିପାରି ନଥିଲା ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଗତ ୨୬ ତାରିଖ ଦିନ ବ୍ରହ୍ମପୁର ପୁଲିସ ଏସ୍‌ପି ଡା. ଶରବଣା ବିବେକ୍‌.ଏମ୍‌ ଆଙ୍କୁଲି ଆନନ୍ଦନଗର ଠାରେ ଚାଲିଥିବା ବେଆଇନ କ୍ଲିନିକ୍‌ ଉପରେ ଚଢ଼ଉ କରିବା ପରେ ସ୍ବାସ୍ଥ୍ୟ ବିଭାଗର ଅକଲ ଗୁଡୁମ୍‌ ହୋଇଯାଇଛି।

ସରକାର ଲିଙ୍ଗ ନିରୂପଣ ସଂପୂର୍ଣ୍ଣ ବେଆଇନ ଘୋଷଣା କରିବା ସହ ଏଥିପାଇଁ ସ୍ବତନ୍ତ୍ର ଆଇନ ଆଣିଛନ୍ତି। ପିସି ଏଣ୍ଡ ପିଏନ୍‌ଡିଟି ଆକ୍ଟ -୧୯୯୪ ଅନୁଯାୟୀ କଠୋର ଦଣ୍ଡବ୍ୟବସ୍ଥା ରଖିଥିବା ବେଳେ ସଂପୃକ୍ତ ବ୍ୟକ୍ତି ଜଣକ ଅନାୟସରେ ଆଇନ ଆଖିରେ ଆଙ୍ଗୁଳି ଗେଞ୍ଜି ଏହି କାରବାର ଚଲାଇଥିଲେ। ଏହି କାରବାର‌ ପଛରେ ଏକ ରାକେଟ୍ ରହିଥିବା ବେଳେ ସହରର କିଛି ପାଥୋଲୋଜି, ଡାଏଗ୍ନୋଷ୍ଟିକ୍‌ ସେଣ୍ଟର ଓ କ୍ଲିନିକ୍‌ର କର୍ମଚାରୀଙ୍କ ସମେତ ଆଶାକର୍ମୀ ବି ସଂପୃକ୍ତ ରହିଛନ୍ତି । ପୁଲିସ ଏଥିରେ ସଂପୃକ୍ତ ଥିବା ୧୨ ଜଣଙ୍କୁ ଗିରଫ କରିଥିବା ବ‌େଳେ ଲିଙ୍ଗ ଚିହ୍ନଟ ପରେ ଗର୍ଭନଷ୍ଟ କରିଥିବା ମହିଳାଙ୍କ ସ୍ବାମୀଙ୍କୁ ବି ଏଥିରେ ସାମିଲ କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ବେଆଇନ କାରବାରର ଚେର ହାଇଦ୍ରାବାଦ୍‌ ପର୍ଯ୍ୟନ୍ତ ଲମ୍ବିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।

publive-image

ମୁଖ୍ୟ ଅଭିଯୁକ୍ତ ଦୁର୍ଗାପ୍ରସାଦ ନାୟକ ହାଇଦ୍ରାବାଦର ଓସ୍‌ମାନି ନାମକ ଏକ ଘରୋଇ ସଂସ୍ଥାରେ ତାଲିମ ନେଇଥିଲେ। ହାଇଦ୍ରାବାଦର ଏହି ସଂସ୍ଥା ଠାରୁ ଦୁର୍ଗାପ୍ରସାଦ ୫ଲକ୍ଷ ୯୦ ହଜାର ଟଙ୍କାରେ ଅଲଟ୍ରାସାଉଣ୍ଡ ମେସିନ୍‌ କ୍ରୟ କରିଥିବା ତଦନ୍ତ ବେଳେ ଜଣାପଡିଛି। ପିସି ଆଣ୍ଡ୍‌ ପିଏନ୍‌ଡିଟି ଆକ୍ଟ -୧୯୯୪ ଅନୁଯାୟୀ ଅଲଟ୍ରାସାଉଣ୍ଡ ମେସିନ୍‌ ବିକା ଓ କିଣା ନିଷିଦ୍ଧ ରହିଥିବା ବେଳେ ଏହା କିଭଳି ହୋଇଛି ତାକୁ ନେଇ ବି ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଜଣକ ଅଲଟ୍ରାସାଉଣ୍ଡ ମେସିନ୍‌ରେ ଗର୍ଭବତୀଙ୍କ ଗର୍ଭରେ ଥିବା ଭ୍ରୂଣର ଲିଙ୍ଗ ନିରୂପଣ କରିବା ପରେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ହାଇଦ୍ରାବାଦର ଉକ୍ତ ସଂସ୍ଥାକୁ ୱାଟ୍ସଆପ୍‌ରେ ରିପୋର୍ଟ ପଠାଉଥିଲେ। ସେଠାରୁ ରିପୋର୍ଟ ଆସିବା ପରେ ସେ ଗର୍ଭବତୀଙ୍କ ସଂପର୍କୀୟଙ୍କୁ ଭ୍ରୂଣର ଲିଙ୍ଗ ଉପରେ ସୂଚନା ଦେଉଥିଲେ। ତେବେ ଲିଖିତ ଭାବେ ନଦେଇ କେବଳ ମୌଖିକ ଭାବେ ଲିଙ୍ଗ(ପୁଅ ନା ଝିଅ) ଜଣାଇ ଦେଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି। ଜଣଙ୍କ ପିଛା କୁଆଡ଼େ ସେ ୭,୫୦୦ ଟଙ୍କା ଫି ନେଉଥିଲେ। ବ୍ରହ୍ମପୁର ପୁଲିସ ଏହି ବେଆଇନ କାରବାରର ପର୍ଦ୍ଦାଫାସ କରିବା ପରେ ଗତକାଲି ପ୍ରଶାସନ ପକ୍ଷରୁ ସହରର କିଛି କ୍ଲିନିକ୍‌କୁ ଯାଞ୍ଚ କରାଯାଇଥିଲା। ପୁଲିସର କାର୍ଯ୍ୟାନୁଷ୍ଠାନକୁ ଦେଖି ବେଆଇନ କାରବାରରେ ସଂପୃକ୍ତ ଥିବା ସଂସ୍ଥା ଓ କର୍ମଚାରୀଙ୍କ ମହଲରେ କୋକୁଆଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe