ଲଜ୍‌ରେ ଚାଲିଛି ଅନୈତିକ କାର୍ଯ୍ୟ : ଧରାପଡ଼ିଲେ ୩୦ ଯୁବକ, ଯୁବତୀ, ଲଜ୍‌ ମାଲିକ ଫେରାର, ୪ କର୍ମଚାରୀ ଗିରଫ

Advertisment
ଲଜ୍‌ରେ ଚାଲିଛି ଅନୈତିକ କାର୍ଯ୍ୟ : ଧରାପଡ଼ିଲେ ୩୦ ଯୁବକ, ଯୁବତୀ, ଲଜ୍‌ ମାଲିକ ଫେରାର, ୪ କର୍ମଚାରୀ ଗିରଫ

ବାରିପଦା : ବାରିପଦା ଟାଉନ୍‌ ଥାନା ପୁଲିସ ଆଜି ସହରର ୩ଟି ଲଜ୍‌ରେ ଅତର୍କିତ ଚଢ଼ଉ କରି ୩୦ ଜଣ ଯୁବକ, ଯୁବତୀଙ୍କ ସହିତ ସମ୍ପୃକ୍ତ ଲଜ୍‌ର ୪ ଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖିଛି। ଏହି ତିନିଟି ଲଜ୍‌ ହେଲା ବାରିପଦା ମ୍ୟୁନିସପାଲିଟି ୪ ନଂବର ୱାର୍ଡ ଅନ୍ତର୍ଗତ ଶ୍ରୀକ୍ରିଷ୍ଣା ଲଜ୍, ଶାନ୍ତି ଲଜ୍ ଓ କ୍ରିଷ୍ଣା ଲଜ୍‌।

ବାରିପଦା ସଦର ଏସ୍‌ଡିପିଓ କେକେ ହରିପ୍ରସାଦଙ୍କ ସୂଚନା ଅନୁଯାୟୀ, ଉପରୋକ୍ତ ୩ଟି ଲଜ୍‌ରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ସୂଚନା ମିଳିବା ପରେ ପୁଲିସ୍‌ର ଏକ ଟିମ୍‌ ମଧ୍ୟାହ୍ନ ଗୋଟାଏ ବେଳେ ଉପରୋକ୍ତ ଲଜ୍‌ଗୁଡିକ ଉପରେ ଏକସଙ୍ଗରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଶ୍ରୀକ୍ରିଷ୍ଣା ଲଜ୍‌ରୁ ୧୨ ଜଣ, କ୍ରିଷ୍ଣା ଲଜ୍‌ରୁ ୧୪ ଜଣ ଏବଂ ଶାନ୍ତି ଲଜ୍‌ରୁ ୪ ଜଣ ଯୁବକଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଠାବ କରିଥିଲା ପୁଲିସ। ଖାନତଲାସ ବେଳେ ପୁଲିସ ବିଭିନ୍ନ ରୁମ୍‌ରୁ କିଛି ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ସୂଚନା ଦେଇଛି। ଏହି ଘଟଣା ପରେ ତିନି ଜଣ ଲଜ୍‌ ମାଲିକ ମାଲିକ ଫେରାର ଥିବା ବେଳେ ଶ୍ରୀକ୍ରିଷ୍ଣା ଲଜ୍‌ର ଦୁଇଜଣ କର୍ମଚାରୀ ପଙ୍କଜ କୁମାର ନାୟକ, ସତ୍ୟଜିତ ମାରାଣ୍ଡି, କ୍ରିଷ୍ଣା ଲଜ୍‌ର ଗଗନ ବିହାରୀ ବେହେରା ଓ ଶାନ୍ତି ଲଜ୍‌ର ଶ୍ୟାମସୁନ୍ଦର ସେଠୀଙ୍କୁ ଗିରଫ କରାଯାଇଛି। ଲଜ୍ ମାଲିକଙ୍କ ଜ୍ଞାତସାରରେ ସେଠାରେ ଅନୈତିକ କାର୍ଯ୍ୟ ଚାଲୁଥିଲା ବୋଲି ଏସ୍‌ଡିପିଓ ପ୍ରକାଶ କରିଛନ୍ତି। ଅଟକ ଯୁବକଯୁବତୀଙ୍କୁ ପଚରାଉଚରା ଜାରି ରହିଛି। ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଏସ୍‌ଡିପିଓ କହିଛନ୍ତି। ଏ ନେଇ ଟାଉନ ଥାନାରେ ୩ଟି ପୃଥକ ପୃଥକ ମାମଲା କେସ୍ ନଂ ୪୧୧, ୪୧୨, ୪୧୩ ରୁଜୁ ହୋଇଥିବା ବେଳେ ଅଭିଯୁକ୍ତମାନଙ୍କ ବିରୋଧରେ ଇମୋରାଲ୍‌ ଟ୍ରାଫିକ୍ ପ୍ରିଭେନ୍‌ସନ୍‌ ଆକ୍ଟ-୧୯୫୬, ଆଇପିସି ୩/୪/୫/୬/୭ରେ ମାମଲା ରୁଜୁ ହୋଇଛି।

ଅନ୍ୟପକ୍ଷରେ ଥାନାରେ ଅଟକ ଥିବା ଜଣେ ମହିଳାଙ୍କ କହିବା ଅନୁସାରେ, ସେ ତାଙ୍କ ସ୍ବାମୀଙ୍କ ସହ ଆଜି ମାକେର୍ଟିଂ କରିବାକୁ ଆସିଥିଲେ। ତାଙ୍କ ଘର ଦୂରରେ ହୋଇଥିବାରୁ ସ୍ବାମୀ ତାଙ୍କୁ ଧରି ଲଜ୍‌ରେ ବିଶ୍ରାମ ନେବାକୁ ଆସିଥିଲେ। ହେଲେ ପୁଲିସ ତାଙ୍କୁ ଉଠାଇ ଆଣିଥିବା ମହିଳା ଜଣକ କହିଛନ୍ତି। ଟାଉନ ଥାନା ପୁଲିସର ଏହି ଅଚାନକ ଚଢ଼ଉକୁ ନେଇ ଆଜି ଦିନତମାମ ସହରରେ ଚର୍ଚ୍ଚା ଲାଗି ରହିଥିଲା। ସଦର ଏସ୍‌ଡିପିଓଙ୍କ ନେତୃତ୍ବରେ ଟାଉନ ଥାନା ଆଇଆଇସି ଅଶୋକ କୁମାର ନାୟକ, ଏସ୍‌ଆଇ ରୀତା ବେହେରା, ଏସ୍‌ଆଇ ଏ.ଏସ.ବାଗ, ଏସ୍ଆଇ ପି.କେ.ସାହୁ, ଏସ୍‌ଆଇ ଆର.କେ. ବେହେରା, ଏଏସ୍‌ଆଇ ଜି.ଏସ୍‌. ପରିଡ଼ା, ମହିଳା କନଷ୍ଟେବଳ ଦମୟନ୍ତୀ ମହାନ୍ତ, ନନ୍ଦିନୀ ଶେଯପଡ଼ା ପ୍ରମୁଖ ଚଢ଼ାଉରେ ସାମିଲ୍‌ ହୋଇଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe