ଛତୁଆ କେନ୍ଦ୍ରରେ ସେକ୍ସ ରାକେଟ୍, ୧୨ ଯୁବତୀ ଉଦ୍ଧାର

Advertisment

ରାଣୀ ମହୁମାଛି, ଲଜ୍ ମାଲିକ ସମେତ ୧୫ ଗିରଫ

ରାଣୀ ମହୁମାଛି, ଲଜ୍ ମାଲିକ ସମେତ ୧୫ ଗିରଫ

ଛତୁଆ କେନ୍ଦ୍ରରେ ସେକ୍ସ ରାକେଟ୍, ୧୨ ଯୁବତୀ ଉଦ୍ଧାର

ଝାରସୁଗୁଡ଼ା : ଝାରସୁଗୁଡ଼ା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍ ୱେର ପଞ୍ଚପଡ଼ା ନିକଟରେ ରାସ୍ତାକଡ଼ର ପୁରୁଣା ଶିବ ଶକ୍ତି ଲଜ୍ ତଥା ଏବେର ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ସେକ୍ସ ରାକେଟ୍ ଚାଲିଥିବା ସୂଚନା ପାଇ ଶନିବାର ରାତିରେ ପୁଲିସ ଚଢ଼ଉ କରିଥିଲା। ଏହି ଘଟଣାରେ ପୁଲିସ ୧୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଅନ୍ୟ ପଟେ ରାଣୀ ମହୁମାଛି, ହୋଟେଲ ମାଲିକ ଓ ୧୩ ଜଣ ଗ୍ରାହକଙ୍କ ସମେତ ମୋଟ୍‌ ୧୫ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଝାରସୁଗୁଡ଼ା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ, କେବେଠାରୁ ଏହି ରାକେଟ୍ ଚାଲିଥିଲା, ଏସ୍ଏଚ୍‌ଜି ସଦସ୍ୟାଙ୍କର ଏଥିରେ କଣ ସମ୍ପୃକ୍ତି ରହିଛି ସେସବୁ ଦିଗରେ ତଦନ୍ତ ଜାରି ରହିଥିବା ଅତିରିକ୍ତ ଏସ୍‌ପି ଏନ୍. ସି ବାରିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁସାରେ, ପଞ୍ଚପଡ଼ାର ଶିବ ଶକ୍ତି ହୋଟେଲର ମାଲିକ ପ୍ରେମାନନ୍ଦ ପଟେଲ(୬୨) ହିଁ ହେଉଛି ଏହି ରାକେଟ୍‌ର ମୁଖ୍ୟ କାର୍ପଟଦାର। ବହୁଦିନ ହେବ ପ୍ରେମାନନ୍ଦ ଓ ସଦର ଥାନା ଅନ୍ତର୍ଗତ ବେହେରାପାଟ ମିକ୍ସଚରପଡ଼ାର ତପସ୍ବିନୀ ମହାନନ୍ଦ ଓରଫ୍‌ ଶିବାନୀ (୩୨) ମିଶି ଏହି ଦେହ ବେପାର ଚଳାଉଥିଲେ। ଏହି କାରବାରରେ ମୋଟା ଅଙ୍କର ଲାଭ ଥିବା ଦର୍ଶାଇ କୋଲକାତା, ବିହାର, ସମ୍ବଲପୁର, ବରଗଡ଼, ମୁନିଗୁଡ଼ା ଓ ଝରସୁଗୁଡ଼ାର ବିଭିନ୍ନ ସ୍ଥାନରୁ ଯୁବତୀଙ୍କୁ ଆଣି ଏଥିରେ ଲଗାଉଥିଲେ। ପ୍ରତି ଗ୍ରାହକ ପିଛା ପ୍ରୋମନନ୍ଦ ୨ ହଜାର ଟଙ୍କା ନେଉଥିବା ବେଳେ ଯୁବତୀଙ୍କୁ ଏଥିରୁ ୫୦୦ ଟଙ୍କା ମିଳୁଥିଲା।

ଗତକାଲି ବିଳମ୍ବିତ ରାତିରେ ପୁଲିସ ଚଢ଼ଉ କରିବା ସମୟରେ ପ୍ରେମାନନ୍ଦ ହୋଟେଲର ରିସେପ୍ସନ କାଉଣ୍ଟରରେ ବସିଥିଲା। ସେଠାରୁ ଅସଂଯତ ଅବସ୍ଥାରେ ଯୁବକ-ଯୁବତୀଙ୍କୁ ପୁଲିସ ଧରିଥିଲା। ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ସଦର ଥାନା ଅନ୍ତର୍ଗତ ଏଚ୍. କଣ୍ଟାପାଲିର ଖଗେଶ୍ବର ମେହେର, କକ୍ସ କଲୋନିର ରାହୁଲ ବାଗ(୨୦), ଝାରସୁଗୁଡ଼ା ଥାନା ମୁଙ୍ଗାପଡ଼ାର ରୋହିତ ଅଗ୍ରୱାଲ(୨୭), ଭଗବତୀ ମନ୍ଦିରପଡ଼ାର ଅନୁପ ପାଣ୍ଡେ(୩୧), ବ୍ରଜରାଜନଗରର ପ୍ରଦୀପ ମେହେର, ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ପୁଡ଼ାବାହାଲର ମୋତିରାମ ଖରସେଲ୍(୨୭), ବିଶାଳ ବଗାର(୧୯), ରଜତ ପଟେଲ(୨୮), ଆର୍ଯ୍ୟନ ଖରସେଲ୍(୧୯), ତଲସରା ଥାନା ରାମପୁରର ଏମ୍‌ଡି ଆଜାଦ୍ ଖାନ୍(୨୮), ଛତିଶଗଡ଼ ବସ୍ତର ଜିଲ୍ଲା ଜଗଦଲପୁରର ଅନୀଷ ମଣ୍ଡଳ(୩୧), ନୟାଗଡ଼ ଜିଲ୍ଲା ଗଣିଆ ଥାନା କିଶୋର ପ୍ରସାଦର ଦୀପକ ପୃଷ୍ଟି(୩୨) ରହିଛନ୍ତି।

ଘଟଣାସ୍ଥଳରୁ ପୁଲିସ ବିପୁଳ ପରିମାଣର କଣ୍ଡୋମ, ଗର୍ଭ ନିରୋଧକ ବଟିକା, ନଗଦ ୧୧ ହଜାର ୩୦୦ ଟଙ୍କା, ୨ଟି ମୋବାଇଲ୍ ଓ ୮ଟି ବାଇକ୍ ଜବତ କରିଛି। ଉଲ୍ଲେଖଯୋଗ୍ୟ, ଏହି ହୋଟେଲରେ ୨୦୨୧ ମସିହାରେ ବି ସେକ୍ସ ରାକେଟ୍ ଚାଲିଥିବା ନେଇ ଅଭିଯୋଗ ପରେ ଚଢ଼ଉ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଦର ଏସ୍‌ଡିପିଓ ନିର୍ମଳ ମହାପାତ୍ର ଓ ଝାରସୁଗୁଡ଼ା ଥାନାଧିକାରୀ ରଞ୍ଜନ ବରିହା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe