Photograph: (SSG Training & Consultancy)
ଭୁବନେଶ୍ବର: ଉଚ୍ଚ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପ୍ରତି ବଢ଼ୁଥିବା ଯୌନ ନିର୍ଯାତନା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଚିନ୍ତାପ୍ରକଟ କରିଛନ୍ତି। କ୍ୟାମ୍ପସରେ ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସେମାନେ ଯେପରି ନିର୍ଭୟରେ କ୍ୟାମ୍ପସରେ ଚଳପ୍ରଚଳ କରିପାରିବେ ସେଥିପ୍ରତି ପ୍ରାଥମିକତା ଦେବାକୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି। ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା(ନିବାରଣ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩(ପୋସ୍ ଆଇନ)ର ପ୍ରଭାବଶାଳୀ କାର୍ଯ୍ୟକାରିତା ନେଇ ୟୁଜିସି ନିର୍ଦ୍ଦେଶ ଦେଇଛି।
ଏଥିସହ ଜାତୀୟ ମହିଳା ଆୟୋଗ(ଏନ୍ସିଡବ୍ଲ୍ୟୁ)ଓ ଯୁବମନ୍ଥନ ସହାୟତାରେ କ୍ୟାମ୍ପସ କଲିଂ ଅଭିଯାନ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ, ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ନିୟମାବଳୀ ଜାରି ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାନୁଷ୍ଠାନରେ ମହିଳା ସଶକ୍ତୀକରଣ, ଲିଙ୍ଗଗତ ସଚେତନତା ଓ ‘ପୋସ୍ ୨୦୧୩’ ସମ୍ପର୍କରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ତାଲିମ ତଥା ସଚେତନ କରାଯିବ। ପ୍ରତି ଉଚ୍ଚ ଶିକ୍ଷାନୁଷ୍ଠାନରେ ୪ଜଣ କ୍ୟାମ୍ପସ ରାଷ୍ଟ୍ରଦୂତ ମନୋନୀତ ହେବେ। ଏପଟେ କୁହାଯାଇଛି, ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଇସିସି ଗଠନ ବାଧ୍ୟତାମୂଳକ। ଆଇସିସି ସଦସ୍ୟଙ୍କ ଫୋନ୍ ନମ୍ବର ଆଦି ତଥ୍ୟ ଶିକ୍ଷାନୁଷ୍ଠାନ ୱେବ୍ସାଇଟ୍ରେ ରହିବ। ଏସବୁ କ୍ୟାମ୍ପସର ପ୍ରମୁଖ ସ୍ଥାନରେ ଲଗାଯିବ। କୋଠା ନିକଟରେ ଅଭିଯୋଗ ବାକ୍ସ ରହିବ।
Follow Us