Representational Video
କୁଚିଣ୍ଡା/ସମ୍ବଲପୁର : ଜଣେ କଲେଜ ଛାତ୍ରୀଙ୍କୁ ଜଙ୍ଗଲ ଭିତରେ ଦୁଷ୍କର୍ମ କରି ଲୋକଙ୍କ ହାତରେ ଧରା ପଡ଼ିଛନ୍ତି ଜଣେ ହାଇସ୍କୁଲ ଶିକ୍ଷକ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଣକ ହେଲେ ବାଉରିଗୋଡ଼ା ହାଇସ୍କୁଲ୍ର ଶିକ୍ଷକ ପ୍ରମୋଦ ଖରସେଲ୍। ଭିଡିଓ ଭାଇରାଲ ହେବା ପରେ ଛାତ୍ରୀଙ୍କ ପକ୍ଷରୁ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି।
ପ୍ରମୋଦଙ୍କ ଚାକିରି ଶିକ୍ଷକତା; ହେଲେ ନିଶା ଛୋଟ ଫିଲ୍ମ ଓ ଆଲବମ୍ ତିଆରି କରି ତାକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବା। ଏଥିପାଇଁ ତାଙ୍କର ‘ପ୍ରମୋଦ ପ୍ରଡକ୍ସନ୍’ ନାମରେ ଏକ ପ୍ରଡକ୍ସନ୍ ହାଉସ୍ ମଧ୍ୟ ରହିଛି।
କିଛି ଦିନ ତଳେ ପ୍ରମୋଦ ଉକ୍ତ ନାବାଳିକା ଛାତ୍ରୀଙ୍କୁ ତାଙ୍କ କଲେଜ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ ମୋଟର ସାଇକଲରେ ରାଜପଥ ସଂଲଗ୍ନ ଏକ ଜଙ୍ଗଲିଆ ଅଞ୍ଚଳକୁ ନେଇ ଯାଇଥିଲେ। ରାସ୍ତା କଡ଼ରେ ବାଇକ୍ ରଖି ଜଙ୍ଗଲ ଭିତରକୁ ନେଇ ଛାତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ତେବେ ଏହା ରାସ୍ତାରେ ଯିବା ଆସିବା କରୁଥିବା କିଛି ଲୋକଙ୍କ ନଜରକୁ ଆସିଥିଲା। ଲୋକେ ସେଠାରେ ଜମା ହେବା ପରେ ପ୍ରମୋଦ ଓ ସଂପୃକ୍ତ ଛାତ୍ରୀ ଜଣକ ଘଟଣାସ୍ଥଳରୁ ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ଲୋକମାନେ ମୋବାଇଲରେ ଉଭୟଙ୍କର ଭିଡିଓ ସୁଟିଂ କରି ନେଇଥିଲେ। ଭିଡିଓରେ ପ୍ରମୋଦ ହେଲମେଟ ପିନ୍ଧି ମୁହଁ ଘୋଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ଛାତ୍ରୀ ଜଣଙ୍କ ହାତରେ ମୁହଁ ଲୁଚାଇଥିଲେ। ତେବେ ଏହି ଭିଡିଓଟି ପରେ ଭାଇରାଲ ହୋଇଯିବାରୁ ଛାତ୍ରୀ ଜଣଙ୍କ ପ୍ରମୋଦଙ୍କ ବିରୋଧରେ କୁଚିଣ୍ଡା ଥାନାରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। କୁଚିଣ୍ଡା ପୁଲିସ ମାମଲା ରୁଜୁ କରିଛି। ଏହା ସହିତ ନାବାଳିକାଙ୍କ ଡାକ୍ତରୀ ମାଇନା ପାଇଁ ସମ୍ବଲପୁର ପଠାଯାଇଛି। ଏପରି ଅଭିଯୋଗ ଆସିବା ପରେ ପ୍ରମୋଦ ଫେରାର ହୋଇଯାଇଛନ୍ତି। ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
Follow Us