ଭୁବନେଶ୍ବରରେ ଶୂନ୍ୟଛାୟା ଦିବସ: ୪ ମିନିଟ୍ ପର୍ଯ୍ୟନ୍ତ ଛାଇ ଉଭାନ୍, ଆଜି କଟକରେ ଦେଖାଦେବ

Advertisment
ଭୁବନେଶ୍ବରରେ ଶୂନ୍ୟଛାୟା ଦିବସ: ୪ ମିନିଟ୍ ପର୍ଯ୍ୟନ୍ତ ଛାଇ ଉଭାନ୍, ଆଜି କଟକରେ ଦେଖାଦେବ

New Indian Express

ଭୁବନେଶ୍ବର : କଥାରେ ଅଛି ଛାୟା ବା ଛାଇ କେବେ ପିଛା ଛାଡ଼େନା। କିନ୍ତୁ ଆଜି ପାଖାପାଖି ୪ ମିନିଟ୍‌ ପର୍ଯ୍ୟନ୍ତ ରାଜଧାନୀବାସୀଙ୍କ ଛାୟା ଦେଖିବାକୁ ମିଳି ନଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ୪୩ ମିନିଟ୍‌ରେ ରାଜଧାନୀରେ କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ଛାୟା ପ୍ରତୀୟମାନ ହୋଇନଥିଲା। ଏପରି ଅବସ୍ଥାକୁ ‘ଶୂନ୍ୟଛାୟା’ ଦିବସ କୁହାଯାଏ। ତେବେ ୧୧ଟା ୪୭ ମିନିଟ୍‌ ବେଳକୁ ସୂର୍ଯ୍ୟଙ୍କ ଗତି ପରିବର୍ତ୍ତନ ହେବା ପରେ ଧୀରେଧୀରେ ବସ୍ତୁର ଛାୟା ଲମ୍ବା ହୋଇ ଦେଖିବାକୁ ମିଳିଥିଲା। ଏ ନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ଅନ୍‌ଲାଇନ୍‌ରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଅନେକଗୁଡ଼ିଏ ଚାରିକୋଣିଆ ବାକ୍ସ, ଖୁଣ୍ଟ, ପାଇପ୍ ଆଦି ଖରାରେ ରଖା ଯାଇଥିଲା। ଛାତ୍ରଛାତ୍ରୀମାନେ ଘରେ ରହି ଏହି ଦୃଶ୍ୟ ଉପଭୋଗ କରିଥିଲେ। ତେବେ ଆଜି କଟକରେ ପୂର୍ବାହ୍ନ ୧୧ଟା ୪୩ରେ ‘ଶୂନ୍ୟଛାୟା’ ହେବ।

ଏ ସଂପର୍କରେ ପ୍ଲାନେଟାରିୟମ୍‌ର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ସୂର୍ଯ୍ୟ ଯେତେବେଳେ ମକର କ୍ରାନ୍ତି ଉପରେ ଗତି କରିଥାଏ, ସେହି ଅଞ୍ଚଳଗୁଡ଼ିକରେ ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ସିଧାସଳଖ ମୁଣ୍ଡ ଉପରେ ରହିଥାଏ। ଯେଉଁଥିପାଇଁ ‘ଶୂନ୍ୟଛାୟା’ ଘଟିଥାଏ। ତେବେ ଶୂ୍ନ୍ୟଛାୟା ଦିବସ କେବଳ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ଭିତରେ ରହିଥିବା ଅଞ୍ଚଳରେ ହିଁ ଘଟିଥାଏ। ଏହା ବାହାରେ ଶୂନ୍ୟଛାୟା ପ୍ରତୀୟମାନ ହୁଏ ନାହିଁ। ସେହିଭଳି ଆସନ୍ତା ଜୁଲାଇ ୨୨ରେ ମଧ୍ୟ ପୁନର୍ବାର ଭୁବନେଶ୍ବରରେ ଶୂନ୍ୟ ଛାୟା ଦେଖାଯିବ। ମାତ୍ର ବର୍ଷା ପାଗ ଯୋଗୁଁ ଏହା ଅନୁଭୂତ ହୋଇ ନପାରେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe