Advertisment

ଶଗଡ଼ା- ଫୁଲବାଣୀ ରାସ୍ତା ଶୀଘ୍ର: ମହୀଧରଙ୍କ ପରେ ଅଙ୍ଗଦ ଦେଖାଇଲେ ଆନ୍ତରିକତା, ବାଇକ୍‌ରେ ୪୦ କିମି ଆସି ସ୍ଥିତି ପରଖିଲେ

Advertisment
ଶଗଡ଼ା- ଫୁଲବାଣୀ ରାସ୍ତା ଶୀଘ୍ର: ମହୀଧରଙ୍କ ପରେ ଅଙ୍ଗଦ ଦେଖାଇଲେ ଆନ୍ତରିକତା, ବାଇକ୍‌ରେ ୪୦ କିମି ଆସି ସ୍ଥିତି ପରଖିଲେ

କଣ୍ଟାମାଳ : ଶଗଡ଼ା- ଫୁଲବାଣୀ ରାସ୍ତା ପାଇଁ ଶଗଡ଼ା ଅଞ୍ଚଳବାସୀ ବହୁଦିନରୁ ଦାବି କରି ଆସୁଛନ୍ତି। ହେଲେ ଖଣ୍ଡିକନପାଠାରେ ବାଘ ନଦୀ ଉପରେ ଏକ ସୁଉଚ୍ଚ ପୋଲ ନିର୍ମାଣ ହେଲା ପରେ ହିଁ ଏହି ରାସ୍ତା ପରିକଳ୍ପନା ସମ୍ଭବ। ତେଣୁ ଏହି ଦାବି ସରକାରୀ ଫାଇଲ ତଳେ ଚାପିହୋଇ ରହିଥିଲା। ମହୀଧର ରଣା କଣ୍ଟାମାଳର ବିଧାୟକ ହେଲା ପରେ ଏହି ରାସ୍ତା ନିର୍ମାଣ ପାଇଁ ଉଦ୍ୟମ କରିଥିଲେ। ଗତବର୍ଷ ଶଗଡ଼ାଠାରୁ ୩ କିମି ଦୂର ଖଣ୍ଡିକନପାଠାରେ ବାଘନଦୀ ଉପରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ଠିକାଦାର ଜୟରାମ ପୁଝାରୀ ଦାୟିତ୍ୱ ନେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପୋଲର ଅର୍ଧେକ କାର୍ଯ୍ୟ ଶେଷ ହୋଇଛି। ୨୦୨୨ ଶେଷ ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେଣୁ ଅଞ୍ଚଳବାସୀଙ୍କ ମଧ୍ୟରେ ଏହି ରାସ୍ତା ଫିଟିବା ନେଇ ଉତ୍ସୁକତା ବୃଦ୍ଧି ପାଇବାରେ ଲାଗିଛି।

ପୋଲ ନିର୍ମାଣ ଆରମ୍ଭ ହେବାରୁ ଶଗଡ଼ାରୁ କନ୍ଧମାଳ ଜିଲ୍ଲା ସୀମାନ୍ତକୁ ରାସ୍ତା ନିର୍ମାଣ କରିବାକୁ କଣ୍ଟାମାଲ ବିଧାୟକ ଶ୍ରୀ ରଣା ଉଦ୍ୟମ ଆରମ୍ଭ କରିଥିବା ବେଳେ ଫୁଲବାଣୀ ପାର୍ଶ୍ୱରୁ ରାସ୍ତା ନିର୍ମାଣ କରିବାକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ରଣାଙ୍କ ଅନୁରୋଧକୁ ସାକାର କରିବାକୁ ଆଜି ଫୁଲବାଣୀ ବିଧାୟକ ଶ୍ରୀ କହଁର ତାଙ୍କର ଜଣେ ସମର୍ଥକ ତଥା ସଲାଗାଡୁ ପଞ୍ଚାୟତର ସରପଞ୍ଚ ରୋହିତ କହଁରଙ୍କ ସହିତ ବାଇକରେ ବଣ ଜଙ୍ଗଲ ଘେରା ୪୦ କିମି ପାହାଡ଼ିଆ ରାସ୍ତା ଅତିକ୍ରମ କରି ଆସି ଶଗଡ଼ାରେ ପହଞ୍ଚି ନିର୍ମାଣାଧୀନ ପୋଲ କାମ ବୁଲି ଦେଖିଥିଲେ। ସେଠାରୁ ବିଧାୟକ ଶ୍ରୀ ରଣାଙ୍କ ସହିତ ଫୋନ୍‌ରେ କଥା ହୋଇ ମିଳିତ ଭାବରେ ଉଦ୍ୟମ କରି ଖୁବଶୀଘ୍ର ଏହି ରାସ୍ତାକୁ ଯାତାୟତଯୋଗ୍ୟ କରିବାକୁ ଆଲୋଚନା କରିଥିଲେ। ଅଙ୍ଗଦ ଫୁଲବାଣୀରୁ ଜିଲ୍ଲା ସୀମାନ୍ତ କଟେରମାଲ ପର୍ଯ୍ୟନ୍ତ ଓ ମହୀଧର ଶଗଡ଼ାରୁ କଟେରମାଲ ପର୍ଯ୍ୟନ୍ତ ବନ ବିଭାଗ ଅଧୀନରେ ଥିବା ପାହାଡ଼ିଆ ତଥା ଘାଟିକୁ କାଟି ରାସ୍ତା ନିର୍ମାଣ କରିବାକୁ ବୌଦ୍ଧ ଓ ଫୁଲବାଣୀ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଠାରୁ ଖୁବଶୀଘ୍ର ଅନୁମତି ଆଣି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ସହିତ କଥା ହୋଇ ଏହି ରାସ୍ତା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଶଗଡ଼ାଠାରୁ ଫୁଲବାଣୀ ଭାୟା ବୌଦ୍ଧର ଦୂରତା ୧୪୫ କିମି ରହିଥିବା ବେଳେ ଏହି ରାସ୍ତାରେ ଶଗଡ଼ାରୁ ଫୁଲବାଣୀକୁ ମାତ୍ର ୫୦ କିମି ଦୂରତା। ବୌଦ୍ଧ ଜିଲ୍ଲା ଗଠନର ୨୭ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ମୂଳ ଜିଲ୍ଲା ଫୁଲବାଣୀରେ ଅନେକ ବିଭାଗର ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ରହିଛି। ଅଫିସ କାମରେ ବସ୍‌ ଯୋଗେ ଫୁଲବାଣୀ ଯାଇ ସେଠାରୁ ଦିନକ ମଧ୍ୟରେ ଫେରିବା ସମ୍ଭବ ହେଉନାହିଁ। ଏହି ରାସ୍ତା କାର୍ଯ୍ୟକ୍ଷମ ହେଲେ ମାତ୍ର ୪ ଘଣ୍ଟା ମଧ୍ୟରେ ଅଫିସ କାମ ସାରି ଫେରିହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଶଗଡ଼ା ଅଞ୍ଚଳବାସୀ ଖୁସି ବ୍ୟକ୍ତ କରି ଉଭୟ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe