ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ : ଆଠଗଡ଼ର ମୂଳ ବାସିନ୍ଦା, କଟକର ଜ୍ବାଇଁ

ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ : ଆଠଗଡ଼ର ମୂଳ ବାସିନ୍ଦା, କଟକର ଜ୍ବାଇଁ

କଟକ : ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହେଉଛନ୍ତି କଟକ ଜିଲ୍ଲା ଆଠଗଡ ବ୍ଲକ୍‌ ଜେନାପଦା ଗ୍ରାମର ମୂଳ ବାସିନ୍ଦା। ୧୯୫୭, ଫେବ୍ରୁଆରି ୨୬ରେ ଜନ୍ମଗ୍ରହଣ କରିଥିବା ଶକ୍ତିକାନ୍ତ ଭୁବନେଶ୍ବରର ଡ଼ିଏମ୍ ସ୍କୁଲରେ ପଢିଥିଲେ। ତାଙ୍କ ପିତା କେଶବାନନ୍ଦ ଦାସ ଥିଲେ ସଚିବାଳୟ ଅଧିକାରୀ ଏବଂ ମା’ ଶୋଭାମଞ୍ଜରୀ ଥିଲେ ଜଣେ ଗୃହିଣୀ। ୫ଭାଇଙ୍କ ଭିତରେ ଶକ୍ତିକାନ୍ତ ହେଉଛନ୍ତି ସାନ। ତାଙ୍କ ଜନ୍ମ ଭୁବନେଶ୍ବର ହୋଇଥିବା ବେଳେ ଗାଁ ସହିତ କୌଣସି ସଂପର୍କ ନଥିଲା। କଲେଜ ଓ ଉଚ୍ଚଶିକ୍ଷା ସେ ରାଜ୍ୟ ବାହାରର ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନରେ କରିଥିବା ବେଳେ ସେ ଥିଲେ ତାମିଲନାଡ଼ୁ କ୍ୟାଡରର ଆଇଏଏସ ଅଧିକାରୀ।

ଶକ୍ତିକାନ୍ତ କଟକ ବିଜୁ ପଟ୍ଟନାୟକ ଛକ ଅଞ୍ଚଳର ବାସିନ୍ଦା ତଥା ରାଜ୍ୟରେ ମେଡିସିନ ବିଭାଗର ଖ୍ୟାତନାମା ପ୍ରଫେସର ଡାକ୍ତର ରାଜୁ ଦାସଙ୍କ ଏକମାତ୍ର ଝିଅ ଲୋପାମୁଦ୍ରା ଦାସଙ୍କୁ ବିବାହ କରିଥିଲେ। ଆଠଗଡ ‘ସମ୍ବାଦ’ ସାହିତ୍ୟ ଘର ସଭାପତି ପ୍ରଫେସର ଡାକ୍ତର ପ୍ରମୋଦ କିଶୋର ଦାସଙ୍କ ସେ ମାମୁଁ ପୁଅ ଭାଇ। ସବୁଠୁ ବଡଭାଇ ସୂର୍ଯ୍ୟକାନ୍ତ ଇଞ୍ଜିନିୟର ଥିବାବେଳେ, ୨ୟ ଭାଇ ଡାକ୍ତରର ସୌମ୍ୟକାନ୍ତ ଓ ତାଙ୍କ ପତ୍ନୀଙ୍କର ୫ବର୍ଷ ତଳେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୩ୟ ଭ‌ାଇ ଶୁଭକାନ୍ତ ଆର୍କିଟେକ୍ ଓ ୪୍ର୍ଥ ଭାଇ ‌ସୌର୍ଯ୍ୟକାନ୍ତ ଦିଲ୍ଲୀରେ ଇଂଜିନିୟର ଅଛନ୍ତି। ଶକ୍ତିକାନ୍ତଙ୍କ ପାଇଁ ଆଜି ଆଠଗଡ ମାଟି ଧନ୍ୟ ହୋଇଛି। ତାଙ୍କ ବଡ ଭାଇ ହେଉଛନ୍ତି ତାଙ୍କର ସାଙ୍ଗ। ବାପାଙ୍କ ସ୍ମୃତିରେ ଭୁବନେଶ୍ବରରେ ଅନୁଷ୍ଠିତ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଅନେକ ବାର ଅତିଥି ଭାବେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ବଡମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର।

ଅନ୍ୟପଟେ ପ୍ରଫେସର ଡାକ୍ତର ଦାସ କହିଛନ୍ତି ଯେ ଗତକାଲି ୪ଟା ବେଳେ ତାଙ୍କୁ ଶକ୍ତିକାନ୍ତ ଫୋନ କରିଥିଲେ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ସେ ନିଯୁକ୍ତି ପାଇବାକୁ ଯାଉଛନ୍ତି, କିନ୍ତୁ ସରକାରଙ୍କ ପକ୍ଷରୁ ଏଯାଏ ଘୋଷଣା ହୋଇନାହିଁ ବୋଲି ଶକ୍ତିକାନ୍ତ ତାଙ୍କୁ ସୂଚନା ଦେବା ସହ ସରକାର ଘୋଷଣା ନ କରିବା ଯାଏ ଏହାକୁ ଗୋପନ ରଖିବାକୁ ଅନୁରୋଧ କରିଥିଲେ। ନୋଟ ବନ୍ଦୀ ଯୋଜନା ସମୟରେ ଶକ୍ତିକାନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ଶୃଙ୍ଖଳିତ ବ୍ୟକ୍ତି। ଯେ କୌଣସି ଆହ୍ବାନର ମୁକାବିଲା କରିି ପାରିବେ ବୋଲି ପ୍ରଫେସର ଦାସ ଶକ୍ତିକାନ୍ତଙ୍କ ସଂପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe