Advertisment

ଶକ୍ତିସ୍ବରୂପା ଫୁଲମଣି ଓ ମନୀଷା : ତୀରନ୍ଦାଜି ଓ ମୁଷ୍ଟିଯୁଦ୍ଧର ଦୁଇ ଉଦୀୟମାନ ତାରକା

Advertisment
ଶକ୍ତିସ୍ବରୂପା ଫୁଲମଣି ଓ ମନୀଷା : ତୀରନ୍ଦାଜି ଓ ମୁଷ୍ଟିଯୁଦ୍ଧର ଦୁଇ ଉଦୀୟମାନ ତାରକା

ଦେବୀ ଦୁର୍ଗା ତପୀଙ୍କୁ ଆଶୀର୍ବାଦ ଏବଂ ପାପୀଙ୍କୁ ସଂହାର କରନ୍ତି। ସେ ସ୍ରଷ୍ଟା। ସେ ପୁଣି ଶକ୍ତିସ୍ବରୂପା। ମା’ ନାରୀଜାତିଙ୍କ ପ୍ରତିନିଧି। ଆଉ ଏ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଦୁଇଜଣ ସୁନାଝିଅ। ଜଣେ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ତୀରନ୍ଦାଜିରେ ନିଜର ସଫଳ ଯାତ୍ରା ଅବ୍ୟାହତ ରଖିଥିବା ବେଳେ ଅନ୍ୟଜଣେ ବାପାଙ୍କ ଉତ୍ତରାଧିକାରୀ ଭାବେ ମୁଷ୍ଟିଯୁଦ୍ଧରେ ଦୁନିଆ ଜିଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଉଭୟଙ୍କ ପାଖରେ ଅଛି ଅଦମ୍ୟ ସାହସ ଓ ଅସରନ୍ତି ଧୈର୍ଯ୍ୟ।

ଫୁଲମଣି ପାଳେୟା। ଘର ଯଶିପୁର ବ୍ଲକ୍ ରାଜପାଳରେ। ଏବେ ତାଙ୍କ ବୟସ ୧୯ ବର୍ଷ। ଭୁବନେଶ୍ବର କିସ୍‌ରେ ଯୁକ୍ତ ୩ ବିଜ୍ଞାନ ଛାତ୍ରୀ। ବାପା ଗରିବ ଚାଷୀ ନାରାୟଣ ପାଳେୟା ଏବଂ ମାଆ ଚିତା ପାଳେୟା। ଫୁଲମଣିଙ୍କୁ ମିଶାଇ ୩ ଭଉଣୀ ଓ ୨ ଭାଇ। ଭାଇ ଦୁହେଁ ତୀରନ୍ଦାଜି ଶିଖୁଥିଲେ। ବାପା ନାରାୟଣ ଚାହୁଥିଲେ ଫୁଲମଣି ବି ଜଣେ ଯୋଦ୍ଧା ହେଉ। ତେଣୁ ସେ ତାଙ୍କୁ ମଧ୍ୟ ତୀରନ୍ଦାଜି ଶିଖିବାକୁ ପରାମର୍ଶ ଦେଲେ। ଫୁଲମଣି ପରାମର୍ଶ ଗ୍ରହଣ କରି ଆପଣା ଦକ୍ଷତା ପ୍ରତିପାଦନରେ ଲାଗିପଡ଼ିଲେ। ରରୁଆଁ ବ୍ଲକ୍ ବଲାଣପୋଷି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ପଢ଼ିବା ବେଳେ ପ୍ରଶିକ୍ଷକ ଧନେଶ୍ବର ମୁର୍ମୁଙ୍କଠାରୁ ଧନୁତୀରରେ ଲକ୍ଷ୍ୟଭେଦ କୌଶଳ ଶିଖିଲେ। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ କେଇଟା ବର୍ଷ ଭିତରେ ଫୁଲମଣି ତୀରନ୍ଦାଜିରେ ଦକ୍ଷ ବନିଗଲେ। ଗୋଟିଏ ପରେ ଗୋଟିଏ ସଫଳତାର ଅଧିକାରିଣୀ ହେଲେ। ୨୦୧୮ ମସିହାରେ ମଧ୍ୟପ୍ରଦେଶରେ ଆୟୋଜିତ ୧୪ ବର୍ଷରୁ କମ୍ ଜାତୀୟ ତୀରନ୍ଦାଜ ଚାମ୍ପିଅନ୍‌ସିପ୍‌ରେ ସେ ଦୁଇଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ହାସଲ କଲେ। ସେହିପରି ୨୦୧୯ ମସିହାରେ ମଧ୍ୟପ୍ରଦେଶରେ ଆୟୋଜିତ ୧୭ ବର୍ଷରୁ କମ୍ ଜାତୀୟ ତୀରନ୍ଦାଜ ଚାମ୍ପିଅନ୍‌ସିପ୍‌ରେ ୨ଟି ସ୍ବର୍ଣ୍ଣ ସହ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରି ସାରା ରାଜ୍ୟରେ ହଇଚଇ ସୃଷ୍ଟି କଲେ। ୨୦୨୦ରେ ମାଟ୍ରିକ୍‌ ପ‌ାସ୍‌ ପରେ ବର୍ତ୍ତମାନ ସେ କିସ୍‌ରେ ପାଠ ପଢ଼ିବା ସହିତ ପ୍ରଶିକ୍ଷକ ରାଜେଶ ହାଁସଦାଙ୍କଠାରୁ ତୀରନ୍ଦାଜି ଶିକ୍ଷା ଗ୍ରହଣ କରୁଛନ୍ତି। ଏଇ ଭିତରେ ଫୁଲମଣି ଏକାଧିକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି।

ସେହିପରି ଆଉ ଜଣେ ହେଲେ ମନୀଷା ଦାସ। ଘର ବାରିପଦା ସହର ମାଳିସାହି, ୱାର୍ଡ ନମ୍ବର ୮ରେ। ଏବେ ତାଙ୍କୁ ବୟସ ୨୯ ବର୍ଷ। ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ବାପା ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ବିଜୟ ଚନ୍ଦ୍ର ଦାସ ଏବଂ ମାଆ ସଂଯୁକ୍ତା ଦାସ। ମନୀଷା ସାନ। ତାଙ୍କର ଜଣେ ବଡ଼ଭାଇ ଅଛନ୍ତି। ବାପା ବିଜୟ ଚାହୁଥିଲେ ତାଙ୍କର ଉତ୍ତରାଧିକାରୀ ଭାବେ ଝିଅ ମଧ୍ୟ ଜଣେ ମୁଷ୍ଟିଯୋଦ୍ଧା ହେଉ। ବାପାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ରିଙ୍ଗ୍‌କୁ ଓହ୍ଲାଇପଡ଼ିଲେ ମନୀଷା। ନବମ ଶ୍ରେଣୀରେ ପଢ଼ିବା ବେଳେ ବାପା ଶିଖାଇଥିବା କଳାକୌଶଳକୁ ବ୍ୟବହାର କରି ଗ୍ଲୋଭ୍‌ସପିନ୍ଧା ହାତ ତାଙ୍କର ପ୍ରତିପକ୍ଷଙ୍କୁ ଧରାଶାୟୀ କରିଦେଉଥିଲା। ଏହାପରେ ମନୀଷା ଆଉ ପଛକୁ ଚାହିଁ ନାହାନ୍ତି। ୨୦୦୬ ମସିହା ପଞ୍ଜାବରେ ଆୟୋଜିତ ଜାତୀୟ ଜୁନିଅର୍ ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ସେ ବ୍ରୋଞ୍ଜ ପଦକର ଅଧିକାରିଣୀ ହୋଇଛନ୍ତି। ସେହିପରି ୨୦୦୮ ମସିହା ଆନ୍ଧ୍ରପ୍ରଦେଶରେ ଆୟୋଜିତ ଜାତୀୟ ଜୁନିଅର୍ ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ମଧ୍ୟ ବ୍ରୋଞ୍ଜ ପଦକ ପାଇଛନ୍ତି। ଗର୍ବର କଥା; ମନୀଷା ଭାରତ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ଜଣେ କ୍ରୀଡ଼ାବିତ୍ ଭାବେ ବୃତ୍ତି ପାଇବା ପାଇଁ ବି ଯୋଗ୍ୟତା ଅର୍ଜନ କରିଛନ୍ତି। ଅନେକ ରାଜ୍ୟ ଓ ଜିଲ୍ଲାସ୍ତରୀୟ ପୁରସ୍କାର ହାସଲ କରିଥିବା ମନୀଷାଙ୍କର ସିନିଅର୍ ନ୍ୟାସ୍‌ନାଲ ଚାମ୍ପିଅନ୍‌ସିପ୍ ଖେଳିବା ଏବଂ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିବାର ଇଚ୍ଛା ଅଛି।

ଉଭୟ ଫୁଲମଣି ଓ ମନୀଷା ନିଜ ନିଜ କ୍ଷେତ୍ରରେ ଯେଉଁ ଦକ୍ଷତାର ପରିଚୟ ଦେଇଛନ୍ତି, ତାହା ଶହ ଶହ ଝିଅଙ୍କୁ ପ୍ରେରଣା ଯୋଗାଇଛି। ‘ସମ୍ବାଦ’ ପରିବାର ପକ୍ଷରୁ ଏତିକି ପ୍ରାର୍ଥନା; ଫୁଲମଣିଙ୍କ ଯାତ୍ରା ଫୁଲମୟ ହେଉ ଏବଂ ମନୀଷା ମହୁମାଛି ପରି ସଫଳତାର ବସା ବାନ୍ଧନ୍ତୁ।

-ରୁଦ୍ରରଂଜନ ଶେଜପଡ଼ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe