‘ନାଟକରୁ ଫିଲ୍ମ ଶଲାବୁଢ଼ା ଯାଏ ଥିଲା ଜୋସ୍‌’

ଶଲାବୁଢ଼ା ଅଟଳ ବିହାରୀ ପଣ୍ଡାଙ୍କ ଜୟନ୍ତୀ ପାଳିତ

‘ନାଟକରୁ ଫିଲ୍ମ ଶଲାବୁଢ଼ା ଯାଏ ଥିଲା ଜୋସ୍‌’

ବଲାଙ୍ଗୀର: ଅଟଳ ବିହାରୀ ପଣ୍ଡା କେବଳ ଜଣେ ଅଭିନେତା ନଥିଲେ। ସମସ୍ତଙ୍କ ଭିତରେ ଭିନ୍ନ ଏକ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିଥିଲେ। ଏକାଧାରରେ କଳା, ସାହିତ୍ୟ, ନାଟକ ଓ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ଅବଦାନ ଅନେକ। କଳା ସଂସ୍କୃତିକୁ ଭଲପାଉଥିବା ମଣିଷ ଭିତରେ ଥିଲେ। ଯୁବାବସ୍ଥାରୁ ତାଙ୍କର ନାଟୁଆ ଜୀବନ ଆରମ୍ଭ ହୋଇଥିବାବେଳେ ପରିଣତ ବୟସରେ ଅଭିନୟ ଦୁନିଆଁରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ ସମସ୍ତଙ୍କର ପ୍ରିୟ ଶଲାବୁଢ଼ା ସ୍ୱର୍ଗତ ଅଟଳବିହାରୀ ପଣ୍ଡା ବୋଲି ଜୟନ୍ତୀ ପାଳନ ଉତ୍ସବରେ ମତ ପ୍ରକାଶ ପାଇଛି। ସ୍ଥାନୀୟ ପିପି ଏକାଡେମି ହାଇସ୍କୁଲ ପରିସରରେ ଅଟଳ ପଣ୍ଡା ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଜୟନ୍ତୀ ପାଳନ ଉତ୍ସବରେ ବଲାଙ୍ଗୀର ଏଡିଏମ୍‌ ଅନନ୍ତ ନାରାୟଣ ସିଂ ଲାଗୁରୀ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ସ୍ମୃତି କମିଟି ସଭାପତି ତଥା ସମାଜସେବୀ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶଲାବୁଢ଼ା ଫିଲ୍ମ ନିର୍ମାତା ତଥା ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ମନରଂଜନ ଯୋଷୀ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ସ୍ମୃତି କମିଟି ସଂପାଦିକା ସଂଗୀତା ଦାଶ ମଂଚାସୀନ ଥିଲେ। ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଥିଲେ, ସ୍ୱର୍ଗତ ଅଟଳଙ୍କୁ ଯୁବାବସ୍ଥାରେ ସମ୍ବଲପୁର ନାଟ୍ୟ କଳା ଉତ୍ସବରେ ଦେଖିଥିଲି।

ତାପରେ ସିଧା ୨୫ ବର୍ଷ ପରେ ଦେଖା ହୋଇଥିଲା ଓ କଥାବାର୍ତ୍ତା ହୋଇଥିଲା। ତାଙ୍କ ଯୁବ ସୁଲଭ ଜୋସ୍‌ ଦେଖି ତାଙ୍କୁ ଫିଲ୍ମରେ ଅଭିନୟ କରିବାକୁ ପ୍ରସ୍ତାବ ଦେଇଥିଲି। ଫିଲ୍ମରେ ସେ ନିଜର ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଶ୍ରୀ ଯୋଷୀ ଆମ ଅଂଚଳର କଳା ସଂସ୍କୃତି ସବୁବେଳେ ଆଗରେ ରହିଛି। ସ୍ୱର୍ଗତ ଅଟଳ ପଣ୍ଡା କଳାସଂସ୍କୃତିକୁ ଭଲପାଉଥିବା ଜଣେ ବିରଳ ବ୍ୟକ୍ତିତ୍ୱ। ତାଙ୍କ ଜନ୍ମୋତ୍ସବରେ ଆମେ କିଭଳି ଅଟଳଙ୍କ ଭଳି ଅନେକ ପ୍ରତିଭାଙ୍କୁ ଆମ ଅଂଚଳର ଚିହ୍ନଟ କରି ଆଗକୁ ନେବା ସେ ଦିଗରେ ଚେଷ୍ଟିତ ହେବାକୁ ପଡ଼ିବ ବୋଲି କହିଥିଲେ।

ଅନ୍ୟ ବକ୍ତାଗଣ ସ୍ୱର୍ଗତ ଅଟଳଙ୍କ ସ୍ମୃତିଚାଣ କରିଥିଲେ। ଏହି ଅବସରରେ ସ୍ୱର୍ଗତ ଅଟଳ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ଭିଡିଓ ଆଲବମ ଓ ତାଙ୍କ ଲିଖିତ ଆତ୍ମଜୀବନୀ ‘ବାନ୍ଦୁ ଉବାଚ’ ଓ ‘ସେ ଅଟଲ ପଁଡ଼ା ଆମର ଶଲାବୁଢ଼ା’ର ଲୋକାର୍ପଣ ହୋଇଥିଲା। ଭିଡିଓ ଆଲବମରେ କାମ କରିଥିବା ବିଭୂତି ପଟ୍ଟନାୟକ, ବ୍ୟାସଦେବ ପୁରୋହିତ, ନୁର ବେଗମ, ପ୍ରତିଭାରାଣୀ ଭୁଏ, ପ୍ରୀତନନ୍ଦ ମିଶ୍ର, ପଦ୍ମିନୀ ଦୋରା, ସର୍ବେଶ୍ୱର ଭୋଇ, ଶତ୍ରୁଘ୍ନ ଲୁହା, ତୁଳାରାମ କଲେଟ, ବିରଞ୍ଚି ନାରାୟଣ ମେହେର, ଘନଶ୍ୟାମ ମେହେର, ଯତୀନ୍ଦ୍ର ପ୍ରଧାନ, ରତନ ପୂଜାରୀ, ଜେ.ପି. ସାହୁ, ସୌମ୍ୟରଂଜନ ପୂଜାରୀ, ମନ ମେହେର, ଶାଶ୍ୱତ ତ୍ରିପାଠୀ, ଅଶ୍ୱିନୀ ପଣ୍ଡା, ସୁଧାଂଶୁ ଶେଖର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ପ୍ରଥମ ‘ଅଟଳ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସ୍ମୃତି କମିଟିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe