Image Courtesy of Times Now
ରାଜନଗର: ସ୍କୁଲ ଭିତରେ ଦୁଇ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ସେହି ସ୍କୁଲର ମାଲିକ ତଥା ପ୍ରଧାନ ଶିକ୍ଷକ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଘଟିଥିବା ଏହି ଲଜ୍ଜାଜନକ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସ ଅଭିଯୁକ୍ତକୁ ସ୍କୁଲ ପରିସରରୁ ଉଠାଇ ଆଣି ପଚରାଉଚରା କରୁଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଘଡ଼ିଆମାଳଠାରେ ରହିଛି ମଧୁସୂଦନ ବିଦ୍ୟାମନ୍ଦିର। ଏଠାରେ ୮ମ ଶ୍ରେଣୀ ଯାଏଁ ରହିଛି। ଗାଁର ପ୍ରଦୀପ କୁମାର ପ୍ରଧାନ ନିଜ ଜାଗାରେ ଘରୋଇ ବିଦ୍ୟାଳୟ ଖୋଲି ନିଜେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରେ। ସକାଳ ସାଢେ ୬ ରୁ ସାଢେ ୧୧ଟା ଯାଏ ପାଠପଢ଼ା ହୋଇଥାଏ। କିଛି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ଅପରାହ୍ଣ ୨ଟା ରୁ ୪ଟା ଯାଏ ପ୍ରଧାନଶିକ୍ଷକ ଟ୍ୟୁସନ କରିଥାନ୍ତି। ଦୂରରୁ ଆସିଥିବା ଛାତ୍ରୀମାନେ ବିଦ୍ୟାଳୟ ଛୁଟି ପରେ ଘରକୁ ନଫେରି ବିଦ୍ୟାଳୟରେ ଟ୍ୟୁସନ ପାଇଁ ରହିଥାନ୍ତି। ବିଦ୍ୟାଳୟ ଛୁଟି ଓ ଟ୍ୟୁସନ ଆରମ୍ଭ ମଧ୍ୟରେ ଥିବା ସମୟ ଭିତରେ ଦୁର୍ବୃତ୍ତ ୬ଷ୍ଠ ଓ ୭ମ ଶ୍ରେଣୀର ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଦୁଷ୍କର୍ମର ଶିକାର ହୋଇଥିବା ଦୁଇ ନାବାଳିକା ଛାତ୍ରୀଙ୍କ ବାପା ରାଜନଗର ଥାନାରେ କରିଥିବା ଅଭିଯୋଗ ମୁତାବକ ୧୬ ତାରିଖ ଷଷ୍ଠ ଶ୍ରେଣୀର ଜଣେ ଛାତ୍ରୀ ଓ ସପ୍ତମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଅନ୍ୟ ଶ୍ରେଣୀଗୃହରେ ନେଇ ବସାଇଥିଲେ। ସେଠାରେ ପ୍ରଦୀପ ପ୍ରଧାନ ପହଞ୍ଚି ଦୁଇ ନାବାଳିକା ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଇଛାତ୍ରୀ ବିରୋଧ କରିବାରୁ ଦୁର୍ବୃତ୍ତ ସେମାନଙ୍କୁ ଧମକ ଦେଇଥିଲେ। ୧୬ ତାରିଖ ଘଟିଥିବା ଏହି ଘଟଣାକୁ ବିଦ୍ୟାଳୟର ଅନ୍ୟ ଦୁଇ ଜଣ ଛାତ୍ରୀ ଦେଖିଛନ୍ତି ବୋଲି ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ସଂଧ୍ୟାରେ ଘରକୁ ଫେରିବା ପରେ ଦୁଷ୍କର୍ମର ଶିକାର ୨ ଛାତ୍ରୀ କାନ୍ଦିଥିଲେ। ପରିବାର ଲୋକେ ଏକଥା ଜାଣିବା ପରେ ୧୭ ତାରିଖ ଗାଁର ଅନ୍ୟ ଅଭିଭାବକଙ୍କ ସହିତ ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ। ଥାନାରେ ପହଞ୍ଚିବା ପୂର୍ବରୁ ସେହି ପଞ୍ଚାୟତର କିଛି ତଥାକଥିତ ମାମଲତକାର ସବୁ ଅଭିଭାବକ ମିଶି ଏତଲା ଦେବା କହି ସେମାନଙ୍କୁ ଫେରାଇ ଆଣିଥିଲେ। ଗତକାଲି ସଂଧ୍ୟାରେ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧିଙ୍କ ନେତୃତ୍ବରେ କିଛି ଅଭିଭାବକ ବୈଠକରେ ସାମିଲ ହୋଇଥିଲେ। ଏଠାରେ ବିଦ୍ୟାଳୟର ମାଲିକ ତଥା ପ୍ରଧାନଶିକ୍ଷକ ଉପସ୍ଥିତ ରହି ପ୍ରଥମେ ଘଟଣାକୁ ଫାଙ୍କିଥିଲା। ପିଲାଙ୍କୁ ଡାକି ପଚରାଯିବା କଥା କୁହାଯିବା ପରେ ସେ ନିଜ ଭୁଲ ସ୍ବୀକାର କରିଥିଲା। ଦୁଷ୍କର୍ମର ଶିକାର ଓ ସାକ୍ଷୀ ଥିବା ବିଦ୍ୟାଳୟର ୨ଜଣ ଛାତ୍ରୀଙ୍କୁ ପୁଲିସ ପଚରାଉଚରା କରିଛି ଓ ଅଭିଯୁକ୍ତକୁ ଅଟକ ରଖିଛି।
Follow Us