ପୁରୀ: ଜଗଦ୍ଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସୀମା ଲଂଘନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚତୁର୍ମାସ୍ୟା ବ୍ରତ ସଂପନ୍ନ ପରେ ଆଜି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ମଠରୁ ବାହାରି ପ୍ରଥମେ ପତିତପାବନଙ୍କୁ ଦର୍ଶନ କରିଥିଲେ। ପରେ ମା’ ବାଟମଙ୍ଗଳା, ନୀଳାମ୍ବରପୁର ବିଲ ମହାଦେବଙ୍କ ଦର୍ଶନ କରିଥିଲେ। ସନ୍ଧ୍ୟାରେ ମହୋଦଧି ଆଳତି ସାରି ପୁଣିଥରେ ଗୋବର୍ଦ୍ଧନ ମଠକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଚତୁର୍ମାସ୍ୟା ବ୍ରତ ସମୟରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଶ୍ରୀକ୍ଷେତ୍ରର ସୀମା ଅତିକ୍ରମ କରିନଥାନ୍ତି। ଏହି ଚାରିମାସ ଗୋବର୍ଦ୍ଧନ ମଠରେ ରହି ଶିଷ୍ୟ, ଭକ୍ତମାନଙ୍କୁ ଧାର୍ମିକ ଜ୍ଞାନ ପ୍ରଦାନ କରିଥାନ୍ତି। ଚାରି ମାସ ଧରି ପାଳନ ହେଉଥିବା ଚତୁର୍ମାସ୍ୟା ବ୍ରତ ଆଜି ସଂପନ୍ନ ପରେ ବିଧି ଓ ପରମ୍ପରା ଅନୁଯାୟୀ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଶିଷ୍ୟମାନଙ୍କ ସହ ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ବାରରୁ ପତିତପାବନଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାଶ ଓ ଅନ୍ୟମାନେ ତାଙ୍କୁ ସ୍ବାଗତ ଜଣାଇବା ସହ ପାଛୋଟି ନେଇଥିଲେ। ପରେ ମା’ ବାଟମଙ୍ଗଳାଙ୍କ ମନ୍ଦିରକୁ ଯାଇ ଆଶୀର୍ବାଦ ନେବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସଂଧ୍ୟାରେ ପୁରୀ ସମୁଦ୍ର କୂଳରେ ମହୋଦଧି ଆଳତି ସମର୍ପଣ କରିବା ସହ ବିଶ୍ବର ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ବହୁ ସଂଖ୍ୟାରେ ଭକ୍ତ ଜଗଦ୍ଗୁରୁଙ୍କ ଆଶୀର୍ବାଦ ନେଇଥିଲେ। ଏହି ସୀମା ଲଂଘନ ଯାତ୍ରା ପରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ର ବାହାରକୁ ଯାଇପାରିବେ।
Follow Us