ଭୁବନେଶ୍ବର : ଓଡ଼ିଶାରେ ଭାଗଚାଷୀ ଆନ୍ଦୋଳନର ସୂତ୍ରଧର ତଥା ଭୁବନେଶ୍ବରର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ ଘଟିଛି। ସୋମବାର ଅପରାହ୍ନ ୨ଟା ୧୦ ମିନିଟ୍ରେ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସହଧର୍ମିଣୀ ପ୍ରତିଭା, ଝଅ ନିବେଦିତା, ପୁଅ ବିଶ୍ବଜିତ୍, ନଚିକେତା ଓ ଗୀତିମୟ ଉପସ୍ଥିତ ଥିଲେ। ମଙ୍ଗଳବାର ସକାଳ ୧୦ଟାରେ ତାଙ୍କ ପାର୍ଥିବ ଶରୀରକୁ ସିପିଆଇ(ଏମ୍) କାର୍ଯ୍ୟାଳୟକୁ ଅଣାଯିବ ବୋଲି ଦଳୀୟ ଓ ପରିବାର ସୂତ୍ରରୁ କୁହାଯାଇଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି। ସବୁଦିନ ପାଇଁ ବିପ୍ଳବର ସ୍ବର ନିରବି ଗଲା ବୋଲି କମ୍ୟୁନିଷ୍ଟ ନେତାମାନେ କହିଛନ୍ତି।
୧୯୩୦ ମସିହାରେ ଖୋର୍ଧା ଜିଲ୍ଲା ଓଳସିଂହ ଗାଁରେ ଶିବାଜୀ ପଟ୍ଟନାୟକ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା କୃପାସିନ୍ଧୁ ପଟ୍ଟନାୟକ ଜଣେ ଆଇନଜୀବୀ ଥିଲେ ଓ ମା’ ଲାବଣ୍ୟମତୀ ଗୃହିଣୀ ଥିଲେ। ରେଭେନ୍ସା କଲେଜରେ ପଢୁଥିବା ବେଳେ ରାଜ୍ୟରେ ବାମପନ୍ଥୀ ଆନ୍ଦୋଳନର ସ୍ବର ଭଗବତୀ ପାଣିଗ୍ରାହୀ, ପ୍ରାଣନାଥ ପଟ୍ଟନାୟକ ଓ ବନମାଳୀ ଦାସଙ୍କ ସଂସ୍ପର୍ଶରେ ଆସି ଏଆଇଏସ୍ଏଫ୍ରେ ସାମିଲ ହୋଇଥିଲେ। ଛାତ୍ର ଜୀବନରେ ହିଁ ସେ ବ୍ରିଟିଶ ରାଜ୍ ବିରୋଧରେ ଲଢ଼ିଥିଲେ ଓ କମ୍ୟୁନିଷ୍ଟ ଦଳର ବିଭିନ୍ନ ଆନ୍ଦୋଳନରେ ଭାଗ ନେଇଥିଲେ। ଦେଶ ସ୍ବାଧୀନ ହେବା ପରେ ଭାଗଚାଷୀ ଆନ୍ଦୋଳନର ପୁରୋଧା ସାଜି ସେ ‘ଲଙ୍ଗଳ ଯାହାର ଜମି ତା’ର’ ସ୍ଲୋଗାନ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନ ବୁଲିବୁଲି ସେ ଭାଗଚାଷୀଙ୍କୁ ସଙ୍ଗଠିତ କରିଥିଲେ। ଏହି ଆନ୍ଦୋଳନ ଫଳରେ ଓଡ଼ିଶାର ବହୁ ଭାଗଚାଷୀ ଜମିଦାରଙ୍କଠାରୁ ସେମାନଙ୍କ ହକ୍ ଛଡ଼ାଇ ଆଣିବାରେ ସକ୍ଷମ ହୋଇଥିଲେ। ଦେଶରେ ସିପିଆଇ ଦଳ ବିଭାଜିତ ହୋଇ ସିପିଆଇ(ଏମ୍)ର ଜନ୍ମ ହୋଇଥିଲା ଓ ସେ ଓଡ଼ିଶାରେ ସିପିଆଇ(ଏମ୍)ର ପ୍ରତିଷ୍ଠାତା ସଦସ୍ୟ ହେବା ସହିତ ଦୀର୍ଘ ଦିନ ଧରି ଦଳର ସମ୍ପାଦକ ଏବଂ କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ। ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ସେ କାରାବରଣ କରିଥିଲେ।
ଭୁବନେଶ୍ବର ଲୋକସଭା ଆସନରୁ ସେ ୧୯୭୭, ୧୯୮୯ ଓ ୧୯୯୧ ମସିହାରେ ଲଗାତାର ୩ ଥର ସିପିଆଇ(ଏମ୍) ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୯୦ ଦଶକରେ ଚିଲିକା ହ୍ରଦକୁ ଚିଙ୍ଗୁଡ଼ି ମାଫିଆମାନେ କବ୍ଜା କରିଥିଲେ। ତେଣୁ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା। ମତ୍ସ୍ୟଜୀବୀଙ୍କ ଆନ୍ଦୋଳନକୁ ଶିବାଜୀ ପଟନାୟକ ନେତୃତ୍ବ ଦେବା ସହିତ ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖୋର୍ଧା-ବଲାଙ୍ଗୀର ରେଳପଥ ପାଇଁ ମଧ୍ୟ ସାଂସଦ ଭାବରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଆଜୀବନ ସେ ସାମ୍ପ୍ରଦାୟିକତା ବିରୋଧରେ ସଂଗ୍ରାମ ଜାରି ରଖିଥିଲେ। ତାଙ୍କ ଆତ୍ମଜୀବନୀ ‘ସଂଗ୍ରାମ ଏବଂ ସଙ୍କଳ୍ପ’ ପାଠକ ମହଲରେ ବିଶେଷ ଆଦୃତି ଲାଭ କରିଛି।
Follow Us