ଥମୁନି ଶିମିଳିପାଳ ବନାଗ୍ନି: ଆଜି ୪୬ଟି ଫାୟାର୍‌ ପଏଣ୍ଟ୍‌ ଚିହ୍ନଟ

କୁଆଡ଼େ ଗଲା କେନ୍ଦ୍ରୀୟ ଓ ଟାସ୍କଫୋର୍ସ କମିଟି ରିପୋର୍ଟ

ଥମୁନି ଶିମିଳିପାଳ ବନାଗ୍ନି: ଆଜି ୪୬ଟି ଫାୟାର୍‌ ପଏଣ୍ଟ୍‌ ଚିହ୍ନଟ

ବାରିପଦା: ଶିମିଳିପାଳ ନିଆଁ ଲିଭିଯାଇଛି। ଏହି ବନାଗ୍ନି କୌଣସି କ୍ଷୟକ୍ଷତି କରିନାହିଁ। କେନ୍ଦ୍ରୀୟ ବିଶେଷଜ୍ଞ ଦଳ ପରେ ରାଜ୍ୟ ସରକାରଙ୍କ ଟାସ୍କଫୋର୍ସ କମିଟିର ଶିମିଳିପାଳ ଗସ୍ତ। କଣ ରିପୋର୍ଟ ପ୍ରଦାନ କରାଗଲା, କଣ ପ‌ଦକ୍ଷେପ ନିଆଗଲା, ଜଣାନାହିଁ ମାତ୍ର ଶିମିଳିପାଳ ଏବେ ବି ନିଆଁ ନିୟନ୍ତ୍ରଣରେ ଅଛି।

ଆଜି ଶିମିଳିପାଳର ନର୍ଥ ଓ ସାଉଥ୍‌ ରେଞ୍ଜ୍‌ରେ ୪୬ଟି ଫାୟାର୍‌ ପଏଣ୍ଟ୍‌ ଚିହ୍ନଟ ହୋଇଛି। ଶିମିଳିପାଳ ସାଉଥ ଅଞ୍ଚଳରେ ଥିବା ଡ଼ୁକୁରା ତଳଡିହା ଓ ଫୁଲବାଡ଼ିଆ ଅଞ୍ଚଳରେ ୧୦ଟି ଫାୟାର୍‌ ପଏଣ୍ଟ୍‌, ଜେନାବିଲ ୱାଇଲଡ୍‌ ଲାଇଫ ଅଧୀନ କୁଳିପାଳ ଓ ଟିକତାଳି ଅଞ୍ଚଳର ୭ଟି ସ୍ଥାନ, ନେସନାଲ ପାର୍କ ୱାଇଲଡ୍‌ ଲାଇଫ ଅଧୀନ ନୁଆଗାଁ ଅଞ୍ଚଳର ଗୋଟିଏ ସ୍ଥାନ, ନଅଣା ସାଉଥ ୱାଇଲଡ୍‌ ଲାଇଫର ବକୁଆ ଓ ଧୁଡ଼ୁରୁଚମ୍ପା ଅଞ୍ଚଳର ୨ଟି ସ୍ପଟ୍‌, ପିଠାବଟା ଅଧୀନ ଅନ୍ଧେରିତୋଟା, ପିଠାବଟା, କଚୁଦହନ ଅଞ୍ଚଳର ୧୩ଟି ସ୍ଥାନ, ପିଠାବଟା ନର୍ଥ ୱାଇଲଡ୍‌ ଲାଇଫ ଅଧୀନ ବଡ଼ଗାଁ ଅଞ୍ଚଳର ୨ଟି ସ୍ପଟ୍‌ ଏବଂ ଶିମିଳିପାଳ ନର୍ଥ ୱାଇଲଡ୍‌ ଲାଇଫ ଅଧୀନ କେନ୍ଦୁମୁଣ୍ଡି ଅଞ୍ଚଳ ରାଣିପାଟ ଅଞ୍ଚଳ କିଆଝରୀରେ ୯ଟି ସ୍ପଟ୍‌ ଏବଂ ଚହଲା ୱାଇଲଡ୍‌ ଲାଇଫ ଅଞ୍ଚଳ କରକଚିଆରେ ଗୋଟିଏ ସ୍ପଟରେ ଏହିପରି ମୋଟ ୪୬ଟି ସ୍ଥାନରେ ନିଆଁ ଜଳୁଥିବାର ଜଣାପଡ଼ିଛି ।

ତେବେ ଶିମିଳିପାଳରେ ନିଆଁ ଜଳୁଥିବା ବିଷୟରେ ସତ୍ୟାସତ୍ୟ ଜାଣିବା ଏବଂ ନିଆଁକୁ ଲିଭାଇବା ନିମନ୍ତେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ବିଭାଗୀୟ ଅଧିକାରୀମାନେ କିନ୍ତୁ ଶିଥିଳତା ଅବଲମ୍ବନ କରିଛନ୍ତି। ତେବେ ଶିମିଳିପାଳ କୋର ଅଞ୍ଚଳ ଭିତରେ ଜନବସତି ନ ଥିବା ସାଙ୍ଗକୁ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ କରାଯାଇଥିବା ବେଳେ ୪୬ଟି ସ୍ଥାନରେ ନିଆଁ ଲାଗିବା ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରାଉଛି । ମହାବିଷୁବ ସଂକ୍ରାନ୍ତି ପୂର୍ବରୁ ଶତାଧିକ ଶିକାରୀ ଅଖଣ୍ଡ ଶିକାର କରିବା ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରୁଥିବାର ନଜିର ରହିଛି ।

ବନ ବିଭାଗର ପଦାଧିକାରୀ ଓ ଅଧିକାରୀମାନେ ସହର ଜଗି ବସିଥିବା ବେଳେ ଶିକାରୀମାନଙ୍କୁ ଏହା ସୁହାଉଛି । ଶିମିଳିପାଳ ଅଭୟାରଣ୍ୟରେ ବଳିଆ କୁକୁର ବିଲୁପ୍ତ ପ୍ରାୟ ହୋଇ ସାରିଥିବା ବେଳେ ବାଘ ସଂଖ୍ୟା ଦ୍ରୁତ ଭାବେ ହ୍ରାସ ପାଇବା ସାଙ୍ଗକୁ ଜୀବଜନ୍ତୁ ସଂଖ୍ୟା ମଧ୍ୟ କମିଯାଇଛି । ଏହିପ୍ରକାରର କିଛି ବର୍ଷ ଜାରି ରହିଲେ ଶିମିଳିପାଳ ଅଭୟାରଣ୍ୟ ଓ ଏହାର ଜୀବଜନ୍ତୁ ଇତିହାସ ପୃଷ୍ଠାରେ ସ୍ଥାନ ପାଇବ ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe