ବାରିପଦା: ଓଡ଼ିଶାର ସର୍ବବୃହତ ଜୈବ ମଣ୍ଡଳ ଶିମିଳିପାଳରେ ସୁରକ୍ଷା ବ୍ୟବସ୍ଥାକୁ ଯେତେ କଡ଼ାକଡ଼ି କରାଗଲେ ମଧ୍ୟ ଅଭୟାରଣ୍ୟରେ ଅବାଧ ବନ୍ୟଜନ୍ତୁ ଶିକାର ଓ ଗଛକଟା ଥମୁନି। ଜଙ୍ଗଲରେ ଏବେ ନିୟମିତ ବନ କର୍ମଚାରୀଙ୍କ ସହିତ ସଶସ୍ତ୍ର ପୁଲିସ ପଇଁତରା ମାରୁଛନ୍ତି। ଶିକାରୀଙ୍କୁ ପ୍ରତିହତ କରିବା ଲାଗି ବନ କର୍ମଚାରୀଙ୍କୁ ବନ୍ଧୁକ ପ୍ରଶିକ୍ଷଣ ଦିଆଯାଇଛି। ଶିକାରୀ ଓ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖିବା ନିମନ୍ତେ ସନ୍ଧାନୀ ସ୍ନିଫର୍ ଡଗ୍ ମଧ୍ୟ ପାଟ୍ରୋଲିଂ ଟିମରେ ସାମିଲ କରାଯାଇଛି। ଏହା ସତ୍ତ୍ବେ ବନ୍ୟଜନ୍ତୁ ଶିକାର କମୁନି କି ମୂଲ୍ୟବାନ ଗଛକଟାକୁ ରୋକା ଯାଇପାରୁନି। ସେହିପରି ବନାଗ୍ନି ମଧ୍ୟ ଶିମିଳିପାଳ ପାଇଁ କାଳ ସାଜିଛି। ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗି ବହୁ ଔଷଧୀୟ ବୃକ୍ଷ ଲୋପ ପାଇ ଯାଉଥିବା ବେଳେ ପଶୁପକ୍ଷୀ ମଧ୍ୟ ପୋଡ଼ି ଯାଉଛନ୍ତି।
ବୁଢ଼ାବଳଙ୍ଗ, ସାଳନ୍ଦୀ, ଖଇରୀଭଣ୍ଡନ, ପଳପଳା ଆଦି ଏକାଧିକ ନଦୀର ଉତ୍ପତ୍ତିସ୍ଥଳ ଶିମିଳିପାଳ। ଗତ କିଛି ବର୍ଷ ହେଲା ଏଠାରେ ସୀତାକୁଣ୍ଡ ଭଳି ୩୦ରୁ ଊର୍ଦ୍ଧ୍ବ ଜଳଉତ୍ସଗୁଡ଼ିକ ଖରାଦିନେ ଶୁଖିଯାଉଛି; ଯାହା କେବେ ଆଗରୁ ଦୃଶ୍ୟଗୋଚର ହେଉନଥିଲା। ଓଡ଼ିଶାର ଆମାଜାନ୍ କୁହାଯାଉଥିବା ଶିମିଳିପାଳର ଏହି ଅବସ୍ଥା ଜଳବାୟୁ ପରିବର୍ତ୍ତନର ପ୍ରଭାବ ବା ଲକ୍ଷଣ ବୋଲି ବିଶେଷଜ୍ଞଙ୍କ ମତ।
ଉଲ୍ଲେଖଥାଉକି ଶିମିଳିପାଳ ଜୈବ ମଣ୍ଡଳ କେବଳ ଓଡ଼ିଶା ନୁହେଁ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ପାଣିପାଗକୁ ମଧ୍ୟ ସନ୍ତୁଳନ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ। ମାତ୍ର ଏହି ବିଶାଳ ଭୂଖଣ୍ଡର ପ୍ରକୃତିଗତ ପରିବର୍ତ୍ତନ କେଉଁ ସବୁ କାରଣ ପାଇଁ ହେଉଛି, ସେ ସଂପର୍କରେ ଅଧିକ ଅନୁଧ୍ୟାନ ଓ ଗବେଷଣା ଜରୁରୀ। ମୟୂରଭଞ୍ଜ ଜିଲ୍ଲାରେ ୨ ହଜାର ୭୫୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି ଶିମିଳିପାଳ ଜୈବ ମଣ୍ଡଳ। ଏହା ମଧ୍ୟରେ ଅଛନ୍ତି ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୯ ପ୍ରଜାତିର ସରୀସୃପ ଓ ୨୩୧ ପ୍ରଜାତିର ପକ୍ଷୀ। ଜଙ୍ଗଲ ମଧ୍ୟରେ ବହୁ ବଡ଼ ବଡ଼ ମୂଲ୍ୟବାନ ଓ ଔଷଧୀୟ ବୃକ୍ଷ ରହିଛି।
ବରେହିପାଣି, ଜରନ୍ଦା, ଉସ୍କି, ଲୁଲୁଙ୍ଗ ଭଳି ମନଲୋଭା ଜଳପ୍ରପାତ ସାଙ୍ଗକୁ କିରିବୁରୁ, ମେଘାସନୀ ଭଳି ବୃହତ ପର୍ବତ ଶୃଙ୍ଗ ଶିମିଳିପାଳର ଅନନ୍ୟ ଆକର୍ଷଣ। ତେଣୁ ପର୍ଯ୍ୟଟନ ଋତୁ ଆସିଲେ ପ୍ରକୃତିରାଣୀର ଶୋଭା ଉପଭୋଗ କରିବାକୁ ଦେଶ ବିଦେଶରୁ ଛୁଟି ଆସନ୍ତି ସହସ୍ରାଧିକ ପର୍ଯ୍ୟଟକ। ପୂର୍ବରୁ ଶିମିଳିପାଳର ପରିସୀମା ୨ ହଜାର ୭୫୦ ବର୍ଗ କିମି ଥିବା ବେଳେ ଏବେ ହ୍ରାସ ପାଇ ୨ ହଜାର ୫୭୯ ବର୍ଗ କିଲୋମିଟର ରହିଛି। ମିଳିପାଳର ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବର୍ଷକୁ କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି। ତେବେ ବିଭିନ୍ନ ପଦକ୍ଷେପ ଓ ସାଧନ ସତ୍ତ୍ବେ ଶିମିଳିପାଳ ନିଜର ଚମକ ହରାଇବାକୁ ବସିଛି। ଯାହା କି ଓଡ଼ିଶା ପାଇଁ ଚିନ୍ତାର ବିଷୟ। ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ ଏବେ ଜଙ୍ଗଲ ପରିବେଶ ବିଭାଗର ମନ୍ତ୍ରୀ। ଆଶା କରାଯାଉଛି, ଶିମିଳିପାଳର ସୁରକ୍ଷା ନିମନ୍ତେ ସେ ନିଶ୍ଚୟ ପଦକ୍ଷେପ ନେବେ। କିନ୍ତୁ ଏ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ଏକାନ୍ତ ବାଞ୍ଛନୀୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
  
 Follow Us