ବାରିପଦା: ବାତ୍ୟା ଯୋଗୁଁ ମୟୂରଭଞ୍ଜରେ ପ୍ରବଳ ବର୍ଷା ଜାରି ରହିଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ଆଉ ୩ ଦିନ ବନ୍ଦ ରହିବ। ପୂର୍ବରୁ ଅକ୍ଟୋବର ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ଅଭୟାରଣ୍ୟ ବନ୍ଦ ଥିବାବେଳେ ଏବେ ଏହାକୁ ୨୮ ତାରିଖ ଯାଏ ବଢ଼ାଇ ଦିଆଯାଇଛି। ଶିମିଳିପାଳର ପାହାଡ଼ିଆ ମାଟି ରାସ୍ତାରେ ପର୍ଯ୍ୟଟକଙ୍କ ଯାତାୟାତ ବେଳେ କୌଣସି ଅଘଟଣକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉକ୍ତ ସମୟରେ ଅଭୟାରଣ୍ୟ ମଧ୍ୟକୁ କୌଣସି ଗାଡ଼ି ପ୍ରବେଶ କରିବ ନାହିଁ। ପରବର୍ତ୍ତୀ ସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶଚାନ୍ଦ ଗୋଗିନାନୀ ଆଜି ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ; ଶୁକ୍ରବାର ଦିନ ୧୨ଟାରୁ ଅପରାହ୍ନ ୩ଟା ମଧ୍ୟରେ ଶିମିଳିପାଳରେ ସର୍ବାଧିକ ବର୍ଷା ହୋଇଛି। ଏହାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳ ଯଥା; ନଅଣା (ଉତ୍ତର)ରେ ୨୯.୪ ମିମି, ନଅଣା (ଦକ୍ଷିଣ)ରେ ୨୬.୪ ମିମି, ପିଠାବଟାରେ ୨୪.୩୮ ମିମି, ବଡ଼ଗାଁରେ ୨୦.୦୬ ମିମି, କୁଲିପାଳରେ ୬୪.୨୬ ମିମି, ପୋଡ଼ାଢ଼ିଆରେ ୭୪.୬୭ ମିମି, ଜେନାବିଲରେ ୩୨ ମିମି, ଭଞ୍ଜବସାରେ ୬୮.୫୮ ମିମି, ୟୁବିକେରେ ୧୬.୨ ମିମି, ଚହଲାରେ ୧୩.୨ ମିମି, ରାମତୀର୍ଥରେ ୧୭.୧୮ ମିମି, କବାଟଘାଇରେ ୧୭.୦୧ ମିମି, ବରେହିପାଣିରେ ୧୭.୦୧ ମିମି ଓ ସାତକୋଶିଆରେ ୧୮.୦୩ ମିମି ବର୍ଷା ହୋଇଛି। ପ୍ରତି ୩ ଘଣ୍ଟାରେ ଶିମିଳିପାଳର ବର୍ଷାର ରେକର୍ଡ କରାଯାଉଛି। ଗତକାଲି ଦିନତମାମ ଏଠାରେ ୧୦୧୦.୩୧ ମିମି ବର୍ଷା ରେକର୍ଡ ହୋଇଥିଲା।
Follow Us