ଆଜିଠୁ ଷୋଳପୂଜା ଆରମ୍ଭ: ମା’ ବିମଳାଙ୍କ ମନ୍ଦିରରେ ହେବ ସହସ୍ର କୁମ୍ଭାଭିଷେକ ନୀତି

ଶ୍ରୀନଅରରେ ବ୍ରାହ୍ମଣ ବରଣ

ଆଜିଠୁ ଷୋଳପୂଜା ଆରମ୍ଭ: ମା’ ବିମଳାଙ୍କ ମନ୍ଦିରରେ ହେବ ସହସ୍ର କୁମ୍ଭାଭିଷେକ ନୀତି

Mahaprasada

ପୁରୀ: ଶ୍ରୀମନ୍ଦିରରେ ଆସନ୍ତା ୬ ତାରିଖ ଶୁକ୍ରବାରଠାରୁ ଷୋଳପୂଜା ଆରମ୍ଭ ହେଉଛି। ଶୁକ୍ରବାର ସହସ୍ର କୁମ୍ଭାଭିଷେକ, ଦେବୀ ଉତ୍‌ଥାପନ ନୀତି ଶେଷ ପରେ ମା’ ବିମଳାଙ୍କ ମନ୍ଦିରରେ ଷୋଳପୂଜା ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହେବ। ସେପଟେ ରାଜନଅରଠାରେ ବ୍ରାହ୍ମଣ ବରଣ ନୀତି ଅନୁଷ୍ଠିତ ହେବ। ବରଣ ହୋଇଥିବା ଶୋସ୍ତ୍ରୀୟ ବ୍ରାହ୍ମଣମାନେ ଶୁକ୍ରବାରଠାରୁ ଷୋଳପୂଜାରେ ବସିବେ। ଏଥିପାଇଁ ଶ୍ରୀମନ୍ଦିର ସମେତ ଅନ୍ୟ ଦେବୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଇଛି।

ଚୂଡ଼ାନ୍ତ ନୀତି ଅନୁଯାୟୀ, ଷୋଳପୂଜାର ପ୍ରଥମ ୮ ଦିନ ମା’ ଦୁର୍ଗା ଦେବୀ ଓ କାଳପୁରୁଷୋତ୍ତମ ଦେବ(ମାଧବ) ମା’ ବିମଳାଙ୍କ ମନ୍ଦିର ଖଟ ଉପରେ ବିଜେ କରିବା ପରେ ନାନାଦି ପୂଜାପାଠ କରାଯିବ। ନବମ ଦିନ ରୁନ୍ଧା ମୂର୍ତ୍ତି (ମା’ ଦୁର୍ଗା ଦେବୀ ଓ କାଳପୁରୁଷୋତ୍ତମ ଦେବ) ରଥରେ ବସି ଦୋଳମଣ୍ଡପସାହି ନାରାୟଣୀଙ୍କ ମନ୍ଦିରକୁ ବିଜେ କରିବେ। ଏଠାରେ କର୍ପୂର ଜଳଲାଗି ପରେ ରୁନ୍ଧା ମୂର୍ତ୍ତିଙ୍କୁ ଭିତର ଖଟ ଉପରେ ବିଜେ କରାଯିବ। ଭୋଗ, ବନ୍ଦାପନା ଆଦି ନୀତି ଅନୁଷ୍ଠିତ ହେବ। ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ରୁନ୍ଧା ମୂର୍ତ୍ତିଙ୍କୁ ବିମାନବଡ଼ୁ ପାଲିଙ୍କିରେ ଭଣ୍ଡାର ଘର ଦୁଆରେ ବିଜେ କରାଇବେ। ପରେ ରୁନ୍ଧା ମୂର୍ତ୍ତି ଭଣ୍ଡାର ଘରେ ବିଜେ କରିବେ। ଏହି ନୀତି ଦଶହରା ପର୍ଯ୍ୟନ୍ତ ଚାଲିବ।

ଆଶ୍ବିନ ଶୁକ୍ଳପକ୍ଷ ସପ୍ତମୀ ପର୍ଯ୍ୟନ୍ତ ମା’ ବିମଳାଙ୍କଠାରେ ସଙ୍ଖୁଡ଼ି ଭୋଗ ହୁଏ ନାହିଁ। ସପ୍ତମୀ, ଅଷ୍ଟମୀ ଓ ନବମୀରେ ନିଶାର୍ଦ୍ଧରେ ସଙ୍ଖୁଡ଼ି ଭୋଗ ହୋଇ ପୂଜାର୍ଚ୍ଚନା କରାଯିବ। ଏହି ତିନିଦିନ ରାତି ୩ଟାରେ ବଳି ପଡ଼ିବ। ମହାପ୍ରଭୁଙ୍କ ବଡ଼ସିଂହାର ନୀତି ସରି ପହୁଡ଼ ପରେ ବଳି ଓ ଭୋଗ ପଶ୍ଚିମ ଦ୍ବାର ଦେଇ ନେବା-ଆଣିବା କରାଯିବ। ମାନସିକଧାରୀମାନେ ପେଜନଳା ନିକଟରେ ବାହାରେ କାକୁଡ଼ି ଖାଇଙ୍କ ନିକଟରେ ବଳି ପକାଇବେ। ଷୋଳପୂଜାର ୧୬ ଦିନ ମା’ ବିମଳାଙ୍କ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ପବିତ୍ର ଦଶହରା ପର୍ଯ୍ୟନ୍ତ ପ୍ରତିଦିନ ମନ୍ଦିରରେ ଚଣ୍ଡୀପାଠ, ପୂଜାପାଠ ଆଦି ବିଧି ମୁତାବକ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe