କଟକ: ଖଟିରେ ଗୁଳିମାଡ଼ ଯୋଗୁ ଜଣେ ଯୁବ କ୍ରିକେଟ ଖେଳାଳିଙ୍କ ଜୀବନ ଯାଇଛି। ଏଭଳି ଚାଞ୍ଚଲ୍ୟକର ଘଟଣା କଟକର ମଧୁପାଟଣା ପ୍ରେସ୍‌ କଲୋନି ସରକାରୀ କ୍ବାର୍ଟର୍ସ ଭିତରେ ଘଟିଛି। ଗୁଳିମାଡ଼ରେ ପ୍ରାଣ ହରାଇଥିବା ଯୁବକ ହେଲେ ସ୍ଥାନୀୟ ନୂଆପଡ଼ା ଅଞ୍ଚଳର ସୌମ୍ୟରଞ୍ଜନ ଜେନା ଓରଫ ରିଙ୍କୁ(୩୪)। ଗୁରୁତର ଅବସ୍ଥାରେ ସୌମ୍ୟଙ୍କୁ କିଛି ବନ୍ଧୁ ଏସ୍‌ସିବି ମେଡିକାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ସୂଚନା ଅନୁଯାୟୀ, ନୂଆପଡ଼ାର ସ୍ବର୍ଗତ ଶ୍ୟାମ ସୁନ୍ଦର ଜେନାଙ୍କ ବଡ଼ପୁଅ ସୌମ୍ୟ ନିୟମିତ କ୍ରିକେଟ୍ ଖେଳନ୍ତି। ସେ ରାଜ୍ୟ ବାହାରକୁ ବି ଖେଳିବାକୁ ଯାଇଥାନ୍ତି। ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ନୂଆପଡ଼ା ପ୍ରେସ୍‌ କଲୋନି ହାଇସ୍କୁଲ ପଡ଼ିଆରେ ସାଙ୍ଗମାନଙ୍କ ସହିତ ତାଙ୍କର କ୍ରିକେଟ ଖେଳିବା ଯୋଜନା ଥିଲା। ଏହା ପୂର୍ବରୁ ଦିନ ପ୍ରାୟ ୨ଟା ବେଳେ ସୌମ୍ୟରଞ୍ଜନଙ୍କ ସହିତ କ୍ବାର୍ଟର୍ସ ନମ୍ବର ୨ଆର୍‌/୧୧୭ରେ ପ୍ରାୟ ୭ ଜଣ ଯୁବକ ଏକାଠି ହୋଇଥିଲେ।

ସମସ୍ତେ ଭୋଜି କରିବା ସହିତ ବିଅର ପିଉଥିଲେ। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ସହିତ ସୌମ୍ୟରଞ୍ଜନଙ୍କ ଯୁକ୍ତିତର୍କ ହୋଇଥିଲା। ସୌମ୍ୟରଞ୍ଜନ ଏକ ମଦ ଗ୍ଲାସ୍‌ ସେମାନଙ୍କ ଉପରକୁ ଫିଙ୍ଗି ଦେଇଥିଲା। ଏହାକୁ ନେଇ ଅପରପକ୍ଷ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେହି ସମୟରେ ନାଣ୍ଡୁ ବନ୍ଧୁକ ବାହାର କରି ସୌମ୍ୟଙ୍କୁ ଗୁଳି କରିଥିଲା।  ସୌମ୍ୟଙ୍କ ଛାତିରେ ଗୁଳି ବାଜିଥିଲା। ସେ ରକ୍ତ ଜୁଡୁ଼ବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଦୁଇ ଜଣ ସାଙ୍ଗ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ଡାକ୍ତରଖାନା ଓ ପରେ ବଡ଼ଡାକ୍ତରଖାନାକୁ ନେଇଥିଲେ। ଏହି ଭୋଜିରେ ସୌମ୍ୟଙ୍କ ସମେତ ବାଉଁ, ହୁକୁନୁ, ମୋଟା, ପୋଡ଼ା, ନାଣ୍ଡୁ ପ୍ରମୁଖ ସାମିଲ ହୋଇଥିବା କୁହାଯାଉଛି। ନାଣ୍ଡୁ ସବୁବେଳେ ବନ୍ଧୁକ ପାଖରେ ରଖି ଖଟିକୁ ଆସେ। ସେ ଚୋରି, ଛିନ୍‌ତାଇ ମାମଲାରେ ଗିରଫ ହୋଇ ‌ଚୌଦ୍ବାର ଜେଲ୍‌ରେ ରହିଥିଲା। ସେ ନିକଟରେ ଜେଲ୍‌ରୁ ଫେରିଥିଲା। ନାଣ୍ଡୁ ଏହି ଘଟଣା ପରେ ଫେରାର ହୋଇଯାଇଛି।

ପୁଲିସର ସ୍ପେସାଲ୍‌ ସ୍କ୍ବାଡ୍‌ ନାଣ୍ଡୁକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସୌମ୍ୟ ମୃତ୍ୟୁ ପୂର୍ବରୁ ନାଣ୍ଡୁ ଓ ଅନ୍ୟ ଜଣଙ୍କ ନାଁ ନେଇଥିବା ସୂଚନା ମିଳିଛି। ପୁଲିସ ଦୁଇ ଯୁବକଙ୍କୁ ମଧୁପାଟଣା ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରୁଥିବା ଜୋନ୍‌ ୬ ଏସିପି ଅଶୋକ କୁମାର ଗିରି ସୂଚନା ଦେଇଛନ୍ତି। ସୌମ୍ୟ ଅବିବାହିତ ଥିବା ବେଳେ ଚଳିତ ବର୍ଷ ବିବାହ କରିଥାନ୍ତେ। ତାଙ୍କ ବାପାଙ୍କ କରୋନା ସଂକ୍ରମଣରେ ଦେହାନ୍ତ ହୋଇଥିଲା। ଭଉଣୀ ବିବାହ କରିଥିବା ବେଳେ ସୌମ୍ୟଙ୍କ ସାନଭାଇ ବାଲି, ଗୋଡ଼ି ବ୍ୟବସାୟ କରନ୍ତି।  ଏଠାରେ ସୂଚନାଯୋଗ୍ୟ ଯେ ୨୦୨୫ ମାର୍ଚ୍ଚ ୧୫ରେ ହୋଲି ସମୟରେ କଟକ ବୟାଳିଶମୌଜା ଥାନା ଶ୍ରୀକ୍ରିଷ୍ଣାବିହାର ଅଞ୍ଚଳରେ ଜଣେ ବ୍ୟବସାୟୀ ବିକାଶ ମହାନ୍ତିଙ୍କୁ ଭୋଜି ସମୟରେ ଜଣେ ବନ୍ଧୁ ଏଭଳି ଢଙ୍ଗରେ ଗୁଳି ଫୁଟାଇ ହତ୍ୟା କରିଥିଲା।