ଏଥର କନ୍ଧମାଳ ଅଦା ଚା‌ଷୀଙ୍କ ପାଳି: ଜିଲ୍ଲାରେ ରେକର୍ଡ ଉତ୍ପାଦନ ସତ୍ତ୍ବେ ଅଭାବୀ ବିକ୍ରି

ଏଥର କନ୍ଧମାଳ ଅଦା ଚା‌ଷୀଙ୍କ ପାଳି: ଜିଲ୍ଲାରେ ରେକର୍ଡ ଉତ୍ପାଦନ ସତ୍ତ୍ବେ ଅଭାବୀ ବିକ୍ରି

ଫୁଲବାଣୀ : ହଳଦୀ, ମହୁଲ ପରେ ଏବେ କନ୍ଧମାଳର ଅଦା ଚାଷୀଙ୍କ ପାଳି ପଡ଼ିଛି। ଚଳିତ ବର୍ଷ କନ୍ଧମାଳରେ ରେକର୍ଡ଼ ପରିମାଣର ଅଦା ଅମଳ ହୋଇଛି। ଅଦାର ଉତ୍ପାଦନ ବୃଦ୍ଧି ହୋଇଥିବା ବେଳେ ବଜାର ଅଭାବରୁ ଓ ସରକାରୀ ସ୍ତର‌ରେ ଯୋଜନା ଅଭାବରୁ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଜିଲ୍ଲାର ପାଖାପାଖି ୫ ହଜାର ଚାଷୀ ୨୫୦୦ ହେକ୍ଟର ଜମିରେ ଅଦା ଚାଷ କରିଥିଲେ। ଏଥିରୁ ପାଖାପାଖି ୩୫୦୦ ମେଟ୍ରିକ ଟନ୍‌ ଅଦା ଅମଳ ହୋଇଛି। ଏତେ ପରିମାଣରେ ଅଦା ଅମଳ ହୋଇଥିବାରୁ ବିକ୍ରିବଟା ନେଇ ଚାଷୀ ନାନା ସମସ୍ୟାକୁ ସାମ୍ନା କରୁଛି।

କନ୍ଧମାଳ ଅଦା ଉନ୍ନତମାନର ଏବଂ ଏଥିରେ ବହୁ ଔଷଧୀୟ ଗୁଣ ରହିଥିବାରୁ ସମଗ୍ର ରାଜ୍ୟରେ ଏହାର ଚାହିଦା ସର୍ବାଧିକ। ବିଶେଷ କରି କନ୍ଧମାଳ ଜିଲ୍ଲାର ଶୀତଳ ଜଳବାୟୁ ଓ ପାହାଡ଼ିଆ ମାଳଭୂମି ଅଦା ଚାଷ ପାଇଁ ବେଶ ଅନୁକୂଳ ହୋଇଥାଏ। ସବୁଠୁ ବଡ଼ କଥା ହେଉଛି, ଏଠଶକାର ଚାଷୀ ଅଦା ଚାଷରେ କୌଣସି ରାସାୟନିକ ସାରର ପ୍ରୟୋଗ କରି ନଥା’ନ୍ତି। ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ହେଉଥିବା କନ୍ଧମାଳ ଅଦାର ସମଗ୍ର ରାଜ୍ୟରେ ଚାହିଦା ରହିଛି। ଚଳିତ ବର୍ଷ ଆଇଟିଡିଏ ପକ୍ଷରୁ ମିସନ୍‌ ଜୀବିକା ମାଧ୍ୟମରେ ଉନ୍ନତମାନର ଅଦା ବିହନ ଯୋଗାଇ ଦିଆ ଯାଇଥିବାରୁ ବମ୍ପର୍‌ ଉତ୍ପାଦନ ହୋଇଛି। ଗତବର୍ଷ ଫୁଲବାଣୀ ଆଇଟିଡିଏ ପକ୍ଷରୁ ପ୍ରଥମ କରି ଏହି ଯୋଜନ‌ାରେ ୨୬୧ ଜଣ ଚାଷୀଙ୍କୁ ୧୬ ଟନ୍‌ ଉନ୍ନତମାନର ଅଦା ବିହନ ଯୋଗାଇ ଦିଆ ଯାଇଥିଲା। ଚାଷୀମାନେ ଏଭଳି ଉନ୍ନତ କିସମର ବିହନ ଲଗାଇ ପାଖାପାଖି ‌କୋଡ଼ିଏ ଗୁଣ ଅଧିକ ଅଦା ଉତ୍ପାଦନ କରି ପାରିଛନ୍ତି। ମାତ୍ର ଉପଯୁକ୍ତ ବଜାର ନଥିବାରୁ ଅଦାଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅନ୍ୟପଟେ ବାହାରର ବେପାରୀ ଚାଷୀଙ୍କଠାରୁ ଅଦା କିଲୋ ପିଛା ୨୦ରୁ ୨୫ ଟଙ୍କା ଦରରେ କିଣି ନେଉଛନ୍ତି। ଫଳରେ ଚାଷୀ ସୁଫଳ ପାଇପାରୁ ନାହିଁ।

publive-image image source-medicalnewstoday

ସାଧାରଣତଃ ବର୍ଷର ଜୁନ୍‌-ଜୁଲାଇ ମାସ ବେଳକୁ ଚାଷୀମାନେ ଅଦା ଲଗାଇଥା’ନ୍ତି ଏବଂ ଜାନୁଆରି-ଫେବ୍ରୁଆରି ମାସ ବେଳକୁ ଅମଳ ହୋଇଥାଏ। କନ୍ଧମାଳରେ ଭିନ୍ନ ପ୍ରଣାଳୀରେ ଅଦା ଚାଷ କରାଯାଏ। ମାଟିରେ ଅଦା ବିହନ ଲଗାଇବା ପରେ ଏହା ଉପରେ ଶାଳପତ୍ରକୁ ଘୋଡ଼ାଇ ଦିଆ ଯାଇଥାଏ। ଅଦା ଗଛ ହେବା ପରେ ଏସବୁ ଡାଳପତ୍ରକୁ ବାହାର କରି ଦିଆଯାଏ। ଏହାପରେ ଜମିକୁ କୋଡ଼ାଖୋସା କରି ଜୈବିକ ଖତ ଦିଆ ଯାଇଥାଏ। ଅନ୍ୟପଟେ ଅଦା ଅମଳ ହେବା ପରେ ଚାଷୀର ଘରେ ରହିଗଲେ ସେଥିରେ ଫିମ୍ପି ମାରିଯିବା ସହ ପଚିଶଢ଼ି ନଷ୍ଟ ହୋଇଯିବାର ସମ୍ଭାବନା ଥାଏ। ଏଣୁ ଚାଷୀ ତରବରିଆ ଭାବେ କମ୍‌ ଦରରେ ଦଲାଲମାନଙ୍କୁ ବିକ୍ରି କରି ଦେଉଛନ୍ତି ‌ବୋଲି କୁହନ୍ତି ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ପାଙ୍ଗାଲି ଗ୍ରାମର ଚାଷୀ ରମେଶ ମଲିକ। ସେହିଭଳି ଅଦା ବିକ୍ରିବଟା ପାଇଁ କୌଣସି ସୁବିଧା ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି କଣ୍ଡପା ଗ୍ରାମର ମିନୁରା ପ୍ରଧାନ ଓ ରଘୁନାଥ ମୁଠାମାଝି। ଅନ୍ୟପଟେ କନ୍ଧମାଳ ଜିଲ୍ଲାରେ ଅଦାର ପ୍ରକ୍ରିୟାକରଣ ବ୍ୟବସ୍ଥା ନଥିବାରୁ ଚାଷୀ ଅଦାକୁ ନିଜ ଘରେ ବେଶି ଦିନ ରଖି ପାରୁନାହିଁ।

ଯଦି କନ୍ଧମାଳ ଜିଲ୍ଲାରେ ଅଦା ପ୍ରକ୍ରିୟାକରଣ ୟୁନିଟ୍‌ ପ୍ରତିଷ୍ଟା କରାଯାଇ ପାରନ୍ତା ତେବେ ହଜାର ହଜାର ସଂଖ୍ୟାରେ ଚାଷୀ ଉପକୃତ ହୋଇପାରନ୍ତେ। ଏଣୁ କନ୍ଧମାଳରେ ଅଦାର ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ଚାଷୀମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe