ଶୋଭନ୍ କାନୁନ୍‌ଗୋଙ୍କ ପରଲୋକ

ଶୋଭନ୍ କାନୁନ୍‌ଗୋଙ୍କ ପରଲୋକ

ଭୁବନେଶ୍ବର : ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର୍‌ ଶୋଭନ କାନୁନ୍‌ଗୋଙ୍କର ଗତ ୨୫ ତାରିଖରେ ପରଲୋକ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ୮୫ ବର୍ଷ ହୋଇଥିଲା।

ପୂ‌ର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ସାନ ପୁତ୍ର ଶୋଭନ୍ କାନୁନ୍‌ଗୋ ସେଣ୍ଟ୍‌ ଷ୍ଟିଫେନ୍ କଲେଜରୁ ସ୍ନାତକ ଏବଂ ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରୁ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ। ୧୯୬୦ ମସିହାରେ ସେ ସର୍ବଭ‌ାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଥିଲେ। ଓଡ଼ିଶାରେ ଗୃହ, ଅର୍ଥ ଓ ଶ୍ରମ ବିଭାଗର ସଚିବ ଭାବେ ଦକ୍ଷତାର ସହ ଦାୟିତ୍ବ ନିର୍ବାହ କରିଥିଲେ। କେନ୍ଦ୍ରରେ ଜଳସମ୍ପଦ ଓ ଅର୍ଥନୈତିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ, ଶିଳ୍ପ ବିଭାଗର ଯୁଗ୍ମ ସଚିବ, ବାଣିଜ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଓ କ୍ୟାବିନେଟ୍‌ ବ୍ୟାପାର ଉପ ସଚିବ ଭାବେ କାର୍ଯ୍ୟ କରିଥିଲେ। କେନ୍ଦ୍ରରେ ବେସାମରିକ ବିମାନ ଚଳାଚଳ ବିଭାଗର ସଚିବ ଭାବେ କାର୍ଯ୍ୟ କରି ୧୯୯୪ରେ ଅବସର ଗ୍ରହଣ କରିଥିଲେ।

୧୯୯୬ରେ ଶ୍ରୀ କାନୁନ୍‌ଗୋଙ୍କୁ ଓଡ଼ିଶା ସରକାର ଓଡ଼ିଶା ପବ୍ଲିକ୍ ସର୍ଭିସ୍‌ କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଓଡ଼ିଶାରେ ଶକ୍ତି କ୍ଷେତ୍ର‌ରେ ହୋଇଥିବା ସଂସ୍କାରର ସମୀକ୍ଷା କରିବା ପାଇଁ ୨୦୦୧ ମସିହାରେ ଶ୍ରୀ କାନୁନ୍‌ଗୋଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାର ଏକ ୬ ଜଣିଆ କମିଟି କରିଥିଲେ। ଏହି ରିପୋର୍ଟକୁ ନେଇ ସେହି ସମୟରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ୨୦୧୪ରେ ଶ୍ରୀ କାନୁନ୍‌ଗୋଙ୍କ ରଚିତ ଇଂରାଜୀ ପୁସ୍ତକ 'ଏ ବ୍ୟୁରୋକ୍ରାଟ୍‌ ସ୍ପିକ୍‌ସ୍‌' ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe