ଜନସଂପର୍କ ପଦଯାତ୍ରା ବେଳେ ଗୋପବନ୍ଧୁଙ୍କୁ କଳାପତାକା ପ୍ରଦର୍ଶନ, ବିଜେପିର ‘ଗୋ ବ୍ୟାକ୍’ ନାରା

Advertisment
ଜନସଂପର୍କ ପଦଯାତ୍ରା ବେଳେ ଗୋପବନ୍ଧୁଙ୍କୁ କଳାପତାକା ପ୍ରଦର୍ଶନ, ବିଜେପିର ‘ଗୋ ବ୍ୟାକ୍’ ନାରା

ଗୋଳନ୍ଥରା : ଗୋପାଳପୁର ନିର୍ବାଚନମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ୍ ପଦ୍ମପୁର ଓ କୋଳଥିଗାଁ ପଞ୍ଚାୟତରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ସାମିଲ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ.ଗୋପବନ୍ଧୁ ଦାସଙ୍କୁ ବିଜେପି କର୍ମୀ ଓ ସମର୍ଥକମାନେ କଳାପତାକା ପ୍ରଦର୍ଶନ କରିଛନ୍ତି। ଫଳରେ ଏହାକୁ ନେଇ କୋଳଥିଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପଦ୍ମପୁର ଗ୍ରାମରୁ ଏହି ପଦଯାତ୍ରା ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା। ଏହାପରେ କୋଳଥିଗାଁ ଗ୍ରାମରେ ବ୍ଲକ୍ ବିଜେଡି ସଭାପତି ଅଜିତ କୁମାର ଦାଶଙ୍କ ସଭାପତିତ୍ୱରେ ସାଧାରଣ ସଭା ଆୟୋଜିତ ହୋଇଥିଲା।

ଏଥିରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଶ୍ରୀ ଦାସଙ୍କ ସମେତ ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇ, ବ୍ଲକ୍ ଅଧ୍ୟକ୍ଷା ଚିନି.ଉଷାରାଣୀ, ଜିଲ୍ଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ଯୁବନେତା ଏ.ସନ୍ତୋଷ ପାତ୍ର, ଜିଲ୍ଲା ମହିଳା ବିଜେଡି ଉପସଭାନେତ୍ରୀ ବିଷ୍ଣୁପ୍ରିୟା ନାୟକ, ଦଣ୍ଡପାଣି ସାହୁ, ବ୍ଲକ୍ ବିଜେଡି ଉପସଭାପତି ପ୍ରକାଶ ଚନ୍ଦ୍ର ସାମନ୍ତ, ରଣ୍ଢା ସରପଞ୍ଚ ଅଜିତ ରାଉଳ ଓ ସନ୍ତୋଷ ପ୍ରଧାନଙ୍କ ସମେତ ବହୁ ନେତା ଏବଂ କର୍ମୀ ସାମିଲ ହୋଇଥିଲେ।

ତେବେ ସଭା ଚାଲିଥିବା ବେଳେ ବିଜେପିର କିଛି ଯୁବ ସମର୍ଥକ ଗୋପବନ୍ଧୁଙ୍କୁ କଳାପତାକା ପ୍ରଦର୍ଶନ କରିବା ସହ ‘ଗୋ ବ୍ୟାକ୍’ ନାରା ଦେଇଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଯାଇଥିଲେ। ଗୋପବନ୍ଧୁ ଜଣେ ସରକାରୀ ବେତନଭୋଗୀ ହୋଇଥିବା ବେଳେ କେଉଁ ଆଧାରରେ ବିଜେଡିର ଦଳୀୟ ଚିହ୍ନ ଥିବା ଗାମୁଛା ବେକରେ ପକାଇ ସଭାସମିତି ଓ ପଦଯାତ୍ରାରେ ସାମିଲ ହେଉଛନ୍ତି ବୋଲି ବିଜେପି କର୍ମୀ ଅଭିଯୋଗ କରିଥିଲେ। ଏହି ସମୟରେ ମଞ୍ଚରେ ଥିବା କର୍ମୀମାନେ ‘ବିଜେଡି ଜିନ୍ଦାବାଦ’ କହୁଥିବା ବେଳେ କଳାପତାକା ଧରିଥିବା ବିରୋଧୀ ଗୋଷ୍ଠୀ ‘ବିଜେପି ଜିନ୍ଦାବାଦ’ ବୋଲି ନାରା ଦେଉଥିଲେ। ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଜଣେ ଯୁବକକୁ ଉଠାଇ ନେବା ପରେ ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଛଡ଼ାଯାଇଥିବା ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର କହିଛନ୍ତି, ପଦଯାତ୍ରାକୁ ରାଜନୈତିକ ଦଳର ନେତୃବୃନ୍ଦ ଓ କର୍ମୀମାନେ ଆସି‌ଲେ ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ଏଥିରେ ଗୋପବନ୍ଧୁଙ୍କ କୌଣସି ଭୂମିକା ନାହିଁ। ସେହିପରି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ବି କେଉଁ ଆଧାରରେ ପଦଯାତ୍ରାରେ ସାମିଲ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଆଗାମୀ ଦିନରେ ବି ଏହାକୁ ବିରୋଧ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe