ସରକାରୀ ରାଜକୋଷକୁ କ୍ଷତି ପହଞ୍ଚାଇବା ଅଭି‌ଯୋଗ: ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ସରକାରୀ ରାଜକୋଷକୁ କ୍ଷତି ପହଞ୍ଚାଇବା ଅଭି‌ଯୋଗ: ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

Worldorgs.com

ସମ୍ବଲପୁର : ସମ୍ବଲପୁରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମୁରଲୀଧର ବେହେରାଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସେ ଧନକଉଡ଼ା ବ୍ଲକ୍‌ ଶିକ୍ଷା ଅଧିକାରୀ ଥିବାବେଳେ ବିଭିନ୍ନ ଅନିୟମିତତା ହୋଇଥିବା ନେଇ ଧନକଉଡ଼ା ପ୍ରାଥମିକ ଶିକ୍ଷକ ସଂଘ ଅଭିଯୋଗ କରିଥିଲା। ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସମ୍ବଲପୁରଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଞ୍ଚଳିକ ନିର୍ଦ୍ଦେଶକ ବିକାଶ ପ୍ରଧାନ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ଉକ୍ତ ରିପୋର୍ଟରେ କେତେକ ଅନିୟମିତତା ହୋଇଥିବା ଦର୍ଶାଯାଇ ସଂପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ସୁପାରିସ୍ କରା ଯାଇଥିଲା। ଉକ୍ତ ତଦନ୍ତ ରିପୋର୍ଟ ଆଧାରରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଡ. ବେହେରାଙ୍କୁ କୈଫିୟତ ତଲବ କରିଛନ୍ତି।

ଧନକଉଡ଼ା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ତତ୍କାଳୀୟ ବିଇଓଙ୍କ ବିରୋଧରେ ସରକାରୀ ରାଜକୋଷକୁ କ୍ଷତି ପହଞ୍ଚାଇବା ଅଭିଯୋଗ କରାଯାଇଥିଲା। ଅବସର ନେଇଥିବା କେତେକ ଶିକ୍ଷକ ସରକାରୀ କ୍ବାର୍ଟର୍ସ ରଖିଥିଲାବେଳେ ସେ ଗୁଡ଼ିକର କ୍ଲିୟରାନ୍‌ସ ଓ ସଂପୃକ୍ତ ବିଭାଗଠାରୁ ସହମତି ପତ୍ର ନଆଣି ଉକ୍ତ ଶିକ୍ଷକ ମାନଙ୍କୁ ପେନ୍‌ସନ ସମେତ ଅବସରକାଳୀନ ଅର୍ଥ ପ୍ରଦାନ କରିଥିବା ସଂଘ ଅଭିଯୋଗ କରିଥିଲା। ଏହା ଉପରେ ତଦନ୍ତ କରି ଆଞ୍ଚଳିକ ନିର୍ଦ୍ଦେଶକ ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ବିଇଓ ଧନକଉଡ଼ା ସଂପୃକ୍ତ କର୍ମଚାରୀଙ୍କୁ ପେନ୍‌ସନ ସୁବିଧା ପ୍ରଦାନ ପୂର୍ବରୁ ସମସ୍ତ କ୍ବାର୍ଟର୍ସର କ୍ଲିୟରାନ୍‌ସ ସାର୍ଟିଫିକେଟ୍ ଗ୍ରହଣ କରିବା ଉଚିତ ଥିଲା। ତେଣୁ ଏଥିରେ କିଛିଟା ଅନିୟମିତା ହୋଇଥିବାରୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରା ଯାଇପାରେ ବୋଲି ସେ ସୁପାରିସ୍ କରିଛନ୍ତି। ସେହିପରି ଉକ୍ତ ସରକାରୀ କ୍ବାର୍ଟର୍ସ ଖାଲି କରିବାକୁ ଓ ସଂପୃକ୍ତ ପେନସନଧାରୀଙ୍କଠାରୁ ସମସ୍ତ ବକେୟା ଭଡ଼ା ଓ ବିଜୁଳି ବିଲ୍ ବାବଦ ଦେୟ ଅସୁଲ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଉକ୍ତ ରିପୋର୍ଟ ଆଧାରରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଡ. ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe