ଶ୍ରୀଜିଉଙ୍କ ରାଧା ଦା‌ମୋଦର ବେଶ ଆରମ୍ଭ

Advertisment
ଆଜି ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ

ପୁରୀ: ଆଜି ପବିତ୍ର ଆଶ୍ବିନ ଶୁକ୍ଳ ଏକାଦଶୀ ଠାରୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି। ଏହି ବେଶ ଏକମାସ ଧରି ତଥା କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଚାଲିବ। ଶ୍ରୀମନ୍ଦିର ସ୍ବତଲିପି ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ପ୍ରାତଃ ୫ଟା ୫୦ରେ ମଙ୍ଗଳ ଆଳତି ସଂପନ୍ନ ହୋଇଥିଲା। ସକାଳ ୭ଟାରେ ଅବକ‌ାଶ ନୀତି ଶେଷ ହେବା ପ‌ରେ ଶ୍ରୀବିଗ୍ରହମାନଙ୍କ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥିଲା। ଏହି ବେଶରେ ଶ୍ରୀବିଗ୍ରହମ‌ାନଙ୍କୁ ବିଭିନ୍ନ ପ‌‌ାଟବସ୍ତ୍ର, ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା। ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ପରିଧାନ କରିଥା'ନ୍ତି।

ଦୁଇ ହସ୍ତରେ ସୁବର୍ଣ୍ଣନଳି ଭୂଜ, ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳର ଅଗ୍ରଭାଗରେ ରୁପା ଚନ୍ଦ୍ରିକା‌, ଦୁଇ କର୍ଣ୍ଣରେ କୁଣ୍ଡଳ, କଟି ଦେଶରେ ଓଡ଼ିଆଣି, କମରପଟି, କପାଳରେ ତିଳକ, ଚନ୍ଦ୍ର ସୂର୍ଯ୍ୟ ଓ ରମାନନ୍ଦୀ ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜିଉମାନେ ଭୂଷିତ ହୋଇଥିଲେ। ଦେବୀ ସୁଭଦ୍ରା ଓଡ଼ିଆଣି, ଚନ୍ଦ୍ର, ସୂର୍ଯ୍ୟ ଓ ମସ୍ତକରେ ତଡଗୀ ଲାଗି ହୋଇଥିଲେ। ଏହାପରେ ମହାପ୍ରଭୁଙ୍କ ରୋଷ ହୋମ, ସୂର୍ଯ୍ୟପୂଜା ହୋଇ ସକାଳ ୮ଟା ୩୦ରେ ଦ୍ବାରପାଳ ପୂଜା ଅନୁଷ୍ଠିତ ହୋଇଥିଲା। ପରେ ଗୋପାଳବଲ୍ଲବ, ସକାଳଧୂପ ଓ ମଇଲମ ହେବା ପରେ ୧୨ଟା ୩୦ରେ ବେଶ ଶେଷ ହୋଇଥିଲା। ଅପରାହ୍ଣ ୧ଟା ୩୫ରେ ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହୋଇଥିଲା।

ଅପରାହ୍ଣ ୩ଟା ୩୫ରେ ବେଶ ଓଲାଗି କରାଯାଇଥିଲା। ଏହା ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ‌ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିଲା। ତେବେ ରାଧା ଦାମୋଦର ବେଶ ବହୁ ପ୍ରାଚୀନ। ଏହାକୁ ନେଇ ବିଭିନ୍ନ ପୁରାଣରେ ବର୍ଣ୍ଣନା ରହିଛି। ପଦ୍ମପୁରାଣ ବର୍ଣ୍ଣନା ମୁତାବକ, କାର୍ତ୍ତିକ ମାସରେ ଶ୍ରୀ ବିଷ୍ଣୁ ହେଉଛନ୍ତି ଦାମୋଦର। ସ୍କନ୍ଦ ପୁରାଣରେ ଏହି ମାସକୁ ପୂଣ୍ୟ ମା‌ସ ଭାବେ ବର୍ଣ୍ଣନା କରାଯାଇଛି। ରାଧାଙ୍କ ସହିତ ମାଧବଙ୍କ ଉପାସନା ଅଥବା ବି‌ଷ୍ଣୁଙ୍କ ଅବତାର ଶ୍ରୀକୃ‌ଷ୍ଣଙ୍କ ସହିତ ଉପାସନା ସର୍ବତ ଆଦୃତ। ରାଧାଙ୍କ ସହିତ ଦାମୋଦରଙ୍କ ଉପାସନା ଉତ୍କଳର ପୁରୁଷୋତ୍ତମ ‌କ୍ଷେତ୍ରରେ ବେଶ ଆଦୃତ ବୋଲି ଉଲ୍ଲେଖ ରହିଛି। ପ୍ରତିବର୍ଷ ହଜାର ହଜାର ଭକ୍ତ, ହବିଷ୍ୟାଳି ଏହି ବେଶ ଦର୍ଶନ କରି ପୂଣ୍ୟ ଅର୍ଜନ କରିଥା'ନ୍ତି। ମାତ୍ର କରୋନା କଟକଣା ‌ଯୋଗୁଁ ଏଥର ଭକ୍ତ ମହାପ୍ରଭୁଙ୍କ ଏହି ବେଶ ଦର୍ଶନରୁ ବଂଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe