ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

Advertisment
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ: ପବିତ୍ର ମାଘ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ସୋଲ, ଜରି ଆଦିରେ ପ୍ରସ୍ତୁତ ଆୟୁଧ, ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନl ଦେଇଛନ୍ତି। ପ୍ରତିକୂଳ ପାଗ ସତ୍ତ୍ବେ ଆଜି ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।

ପୁରାଣ ବର୍ଣ୍ଣିତ କଥା ଅନୁଯାୟୀ, ତ୍ରିକୂଟ ପର୍ବତରେ ବାସ କରୁଥିବା ଗଜରାଜ ପ୍ରବଳ ଗରମ ଯୋଗୁ ବନସ୍ତରୁ ବାହାରି ଅନେକ ବୁଲିବା ପରେ ବରୁଣ ହ୍ରଦ ତୀରରେ ଶୀତଳ ଜଳରେ ପଶି ଜଳପାନ କରୁଥିଲେ। ଏହି ସମୟରେ ସେଠାରେ ବାସ କରୁଥିବା ଏକ ବିରାଟ କୁମ୍ଭୀର ଗଜରାଜଙ୍କ ଗୋଡ଼କୁ କାମୁଡ଼ି ଧରି ପାଣି ଭିତରକୁ ଟାଣିନେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ବଳଶାଳୀ ଗଜରାଜ ଅସହାୟ ପୂର୍ବକ କୁମ୍ଭୀରଠାରୁ ଉଦ୍ଧାର ପାଇଁ ମହାପ୍ରଭୁଙ୍କୁ ଗୁହାରି କରିଥିଲେ। ଭକ୍ତଭାବେ ଗଜରାଜଙ୍କ ଗୁହାରି ଶୁଣି ମହାପ୍ରଭୁ ଚକ୍ରରେ କୁମ୍ଭୀରକୁ ମାରି ଗଜରାଜଙ୍କୁ ଉଦ୍ଧାର କରିଥିଲେ। ପୁରାଣବର୍ଣ୍ଣିତ ଏହି ଘଟଣା ପବିତ୍ର ମାଘ ପୂର୍ଣ୍ଣିମାରେ ହୋଇଥିବାରୁ ଏହି ସ୍ମୃତିରେ ପ୍ରତିବର୍ଷ ମାଘ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇ ଆସୁଛି। ଆଜି ମଧ୍ୟାହ୍ନ ଧୂପ ଶେଷ ପରେ ମହାପ୍ରଭୁଙ୍କୁ ଏହି ବେଶ କରାଯାଇଥିଲା। ଏହି ବେଶରେ ଦୁଇଟି ଗଜ ଚତୁର୍ଦ୍ଧା ମୂର୍ତିଙ୍କ ଦୁଇପାର୍ଶ୍ବରେ ଦୁଇଟି ପଦ୍ମ ଫୁଲ ଧରି ବିରାଜମାନ ହୋଇଥିଲେ। କୁମ୍ଭୀରର ଏକ ଚିତ୍ର ଗଜର ପାଦ କାମୁଡ଼ିବା ଭଳି ରହିଥିଲା। ସୋଲ, ଜରି, ଜମ୍ଭୁରା, କନା, କଇଥ ଅଠା ଆଦି ବ୍ୟବହାର କରାଯାଇ ପୂର୍ବପ୍ରସ୍ତୁତ ଆୟୁଧ ସହ ନାନାଦି ଅଳଙ୍କାର ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା। ସଂଧ୍ୟାଧୂପ ପର୍ଯ୍ୟନ୍ତ ମହାପ୍ରଭୁ ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେଇଥିଲେ। ସଂଧ୍ୟା ଆଳତୀ ଓ ସଂଧ୍ୟାଧୂପ ନୀତି ଶେଷ ପରେ ମହାପ୍ରଭୁଙ୍କ ଏହି ବେଶ ଓଲାଗି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe