ଜାନୁଆରି ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପ୍ରଥମେ ନିମନ୍ତ୍ରିତ ହେଲେ ମହାପ୍ରଭୁ

୭୪୬ ଜଗନ୍ନାଥ ମନ୍ଦିରକୁ ପଠାଯିବ ନିମନ୍ତ୍ରଣ, ଓଡ଼ିଆ, ଇଂରାଜୀ ଓ ହିନ୍ଦୀରେ ବ୍ରୋଚର

ଜାନୁଆରି ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପ୍ରଥମେ ନିମନ୍ତ୍ରିତ ହେଲେ ମହାପ୍ରଭୁ

ପୁରୀ: ଆସନ୍ତା ଜାନୁଆରି ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ। ଏଥି ପାଇଁ ଆଜି ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି। ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେବା ପାଇଁ ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ପରିଚାଳଚନା କମିଟିର ୫ ଜଣ ପ୍ରତିନିଧି, ବରିଷ୍ଠ ସେବାୟତ ପ୍ରମୁଖ ଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରି ଶ୍ରମନ୍ଦିର ଯାଇଥିଲା। ସେଠାରେ ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହୋଇଛି। ପାଟ ପଟୁଆରରେ ଜଗନ୍ନାଥଙ୍କ ପାଖକୁ ଏହି ନିମନ୍ତ୍ରଣ ପତ୍ର ଯାଇଥିଲା। ମହାପ୍ରଭୁଙ୍କ ପରେ ପ୍ରଭୁ ନୃସିଂହ, ମା ବିମଳା, ମା ମଙ୍ଗଳା ଓ ଶେଷରେ ପଂଚୁ ପାଣ୍ଡବଙ୍କୁ ନିମନ୍ତ୍ରଣ ହୋଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବାର ସୂଚନା ରହିଛି। ଏହା ପରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ପ୍ରାୟ ଶହେ ମନ୍ଦିରକୁ ନିମନ୍ତ୍ରଣପତ୍ର ଯିବ। ଯଜମାନ ଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ। ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଦେଶ ବିଦେଶରେ ରହିଥିବା ଜଗନ୍ନାଥ ମନ୍ଦିର ଓ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯିବ। ଶ୍ରୀମନ୍ଦିର ସହ ଜଡ଼ିତ ନେପାଳ ରାଜାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ନିମନ୍ତ୍ରଣପତ୍ର ସହ ଏକ ସ୍ୱତନ୍ତ୍ର କିଟ୍ ମଧ୍ୟ ପ୍ରଦାନ କରାଯିବ। ନିମନ୍ତ୍ରଣପତ୍ର ସହ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ତିନୋଟି ଭାଷାରେ ବ୍ରୋଚର ଦିଆଯିିବ, ଯେଉଁଥିରେ ପରିକ୍ରମା ପ୍ରକଳ୍ପ ସଂପର୍କିତ ତଥ୍ୟ ରହିବ। ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଏହି ନିମନ୍ତ୍ରଣପତ୍ର ପଠାଯିବ। ଏଥିପାଇଁ ଜିଲ୍ଲାୱାରି ତାଲିକା ପ୍ରସ୍ତୁତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୭୪୬ଟି ଜଗନ୍ନାଥ ମନ୍ଦିର, ୧୧୧ଟି ଅନ୍ୟ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe