ଦକ୍ଷିଣ କୋରିଆର କେ ପପ୍‌ ଗ୍ରୁପ ପ୍ରତିଯୋଗିତରେ ଝାରସୁଗୁଡ଼ାର ଶ୍ରେୟା 

ଦକ୍ଷିଣ କୋରିଆର କେ ପପ୍‌ ଗ୍ରୁପ ପ୍ରତିଯୋଗିତରେ ଝାରସୁଗୁଡ଼ାର ଶ୍ରେୟା 

ଝାରସୁଗୁଡ଼ା : ଝାରସୁଗୁଡ଼ାର ଝିଅ ଶ୍ରେୟା ଲେଙ୍କା (୧୮) ଦକ୍ଷିଣ କୋରିଆରେ ଅନୁଷ୍ଠିତ କେ ପପ୍‌ ଗ୍ରୁପ୍‌ରେ ସ୍ଥାନ ପାଇବା ପ‌ାଇଁ ଶେ‌ଷ ପ୍ରତିଯୋଗିତାର ସମ୍ମୁଖୀନ ହୋଇଛନ୍ତି। ସେ ପ୍ରଥମ ଭାରତୀୟ କେ ପପ୍ କଳାକାର ହେବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଶ୍ରେୟା ସାରା ବିଶ୍ବର ୪ ହଜାର ପ୍ରତିଯୋଗୀଙ୍କୁ ପଛରେ ଏହି ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାରେ ବିଜୟୀ ହେଲେ ସେ କେ ପପ୍‌ ଗ୍ରୁପ୍‌ର ବ୍ଲାକ ସ୍ୱାନ୍‌ର ପଞ୍ଚମ ସଦସ୍ୟ ହେବେ। ଶ୍ରେୟା ବର୍ତମାନ ବ୍ରାଜିଲର ଗାବ୍ରିଏଲା ଡାଲସିନଙ୍କ ସହିତ ପ୍ରତିଯୋଗିତା କରୁଛନ୍ତି। ଜଣେ ତାଲିମପ୍ରାପ୍ତ ନୃତ୍ୟ ଶିଳ୍ପୀ, ଗାୟିକା ଏବଂ ଯୋଗ ଅଭ୍ୟାସକାରୀ ଶ୍ରେୟାଙ୍କୁ ଦକ୍ଷିଣ କୋରିଆର କୋରିଆ ମ୍ୟୁଜିକ୍ ଲେବଲ୍ ଡିଆର୍ ମ୍ୟୁଜିକ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ତାଲିମ ଦିଆଯାଉଛି। ତେବେ ଦୁଇ ଜଣଙ୍କ ମଧ୍ୟରୁ ଯିଏ ବିଜୟୀ ହେବ ସେ କେ ପପ୍‌ରେ ପଞ୍ଚମ ସ୍ଥାନ ଅଧିକାର କରିବ ବୋଲି ଜଣାପଡ଼ିଛି।

publive-image

ବିଶ୍ୱର ବିଭିନ୍ନ ସ୍ଥାନରୁ ମନୋନୀତ ୨ ଜଣ ଶ୍ରେଷ୍ଠ ଫାଇନାଲିଷ୍ଟଙ୍କ ମଧ୍ୟରେ ରହିଛନ୍ତି ଶ୍ରେୟା। କୋରିଆ ମ୍ୟୁଜିକ୍ ଲେବଲ ଡିଆର୍ ମ୍ୟୁଜିକ୍‌ରେ ଶ୍ରେୟା ଏକମାତ୍ର ଏସୀୟ। ଗତ ବର୍ଷ ଡିସେମ୍ବରରୁ ଦୁଇ ମାସର ତାଲିମ୍ ଅବଧି ଆରମ୍ଭ କରିବା ପାଇଁ ଭାରତୀୟ ପ୍ରଶିକ୍ଷାର୍ଥୀ ଭାବେ ଶ୍ରେୟା ଏବଂ ବ୍ରାଜିଲର ପ୍ରଶିକ୍ଷାର୍ଥୀ ଭାବେ ଗାବ୍ରିଏଲା ଡାଲସିନ୍‌‌ଙ୍କୁ ମନୋନୀତ କରାଯାଇଥିଲା। ବର୍ତମାନ ଶ୍ରେୟା ଦକ୍ଷିଣ କୋରିଆରେ ରହି କୋରିଆ ଭାଷା ଶିଖିବା ସହିତ ଅନେକ ଜିନିଷ ପାଇଁ ତାଲିମ ନେଉଛନ୍ତି। ଏହି ସଫଳତା ପାଇବା ପରେ ତାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ତାଙ୍କ ବାପା ଅବିନାଶ ଲେଙ୍କା ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ବେଳେ ମା’ ପ୍ରିୟା ଲେଙ୍କା ଜଣେ ଗୃହିଣୀ। ଶ୍ରେୟା ଝାରସୁଗୁଡ଼ା ଡିଏଭି ସ୍କୁଲରୁ ୨୦୨୦ରେ ମାଟ୍ରିକ ପାସ ପରେ କୋଭିଡ ସମସ୍ୟା ଓ ତାଲିମ ଯୋଗୁଁ ଗୋଟିଏ ବର୍ଷ କଲେଜ ପାଠ ପଢ଼ା ବାଧାପ୍ରାପ୍ତ ହୋଇଥିଲା। ଗତ ବର୍ଷ ସେ ଝାରସୁଗୁଡ଼ା ମହିଳା କଲେଜରେ +୨ରେ ନାମ ଲେଖାଇଥିବା ଜଣାଯାଇଛି।

publive-image

ଶ୍ରେୟା ନୃତ୍ୟ ଏବଂ ଯୋଗରେ ଜାତୀୟ ଓ ଆଞ୍ଚଳିକସ୍ତରର ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଓଡ଼ିଶୀରୁ ନୃତ୍ୟ ଆରମ୍ଭ କରିଥିବା ଶ୍ରେୟା ୫ ବର୍ଷ ତଳେ ରାଉରକେଲାରେ ନୃତ୍ୟ ଶିକ୍ଷା ପାଇଁ ନାମ ଲେଖାଇଥିଲେ। ପରେ ବିଭିନ୍ନ ଗୁରୁଙ୍କ ସଂସ୍ପର୍ଶରେ ଆସି ଭିନ୍ନ ଭିନ୍ନ ଆଧୁନିକ ନୃତ୍ୟ ଶିକ୍ଷା କରିଥିଲେ। ଏହି ପ୍ରତିଯୋଗିତାରେ କଣ୍ଠସ୍ୱରକୁ ମାର୍ଜିତ କରିବା ଲାଗି ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଛନ୍ତି। ଏହି ସଫଳତା ପାଇଁ ତାଙ୍କ ପରିବାର ସଦସ୍ୟ ତଥା ଶିକ୍ଷକ ପ୍ରବୀଣ ବାର୍ଲା ବହୁ ପରିଶ୍ରମ କରିଥିବା ଶ୍ରେୟାଙ୍କ ବାପା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe