ବରୀ/ଯାଜପୁର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍ ପରୀକ୍ଷାରେ ଯାଜପୁର ଜିଲ୍ଲାର ଛାତ୍ରୀ ଶ୍ରେୟଶ୍ରୀ ଜେନା ରାଜ୍ୟରେ ପ୍ରଥମ ହୋଇଛନ୍ତି। ସେ ମୋଟ ୬୦୦ରୁ ୫୯୦ ମାର୍କ ରଖି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମପଞ୍ଚାୟତର ପଂଚାୟତ ହାଇସ୍କୁଲ, ରାମପୁର ଛାତ୍ରୀ ଶ୍ରେୟଶ୍ରୀ ସର୍ବାଧିକ ୯୮.୩୩ ପ୍ରତିଶତ ନମ୍ବର ରଖିଥିବା ନେଇ ଜିଲ୍ଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ସୂଚନା ଦେଇଛନ୍ତି।
ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରେୟଶ୍ରୀ। ସେ କହିଛନ୍ତି, ମାଟ୍ରିକ୍ ପରୀକ୍ଷା ଫଳ ନେଇ ବହୁତ ଖୁସି ଅନୁଭବ କରୁଛି। ଭବିଷ୍ୟତରେ ପାଠ ପଢ଼ି ମୁଁ ଡାକ୍ତର ହେବାକୁ ଚାହୁଁଛି। ଲୋକଙ୍କର ସେବା କରିବାକୁ ଆଗ୍ରହ ରଖିଛି। ମୋର ଏହି ସଫଳତାରେ ବାପା, ମା’, ଜେଜେମା, ସ୍ବର୍ଗତ ଜେଜେବାପା, ବିଦ୍ୟାଳୟର ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନାଙ୍କ ବଡ଼ ଭୂମିକା ରହିଛି। ସେହିପରି ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷକ ପାବକ କୁମାର ମହାପାତ୍ର, ସାହିତ୍ୟ ଶିକ୍ଷକ ପ୍ରସନ୍ନ କୁମାର ରାଉତ ଓ ବଡ଼ବାପା ତଥା ବାଲିଆ କଲେଜର ପୂର୍ବତନ ପ୍ରଫେସର ମନୋରଂଜନ ଜେନାଙ୍କୁ ଧନ୍ୟବାଦ ଜଣାଉଛି। ବଡ଼ବାପାଙ୍କ ଠାରେ ମୁଁ ଇଂରାଜୀ ପଢୁଥିଲି।
/sambad/media/post_attachments/wp-content/uploads/2023/05/ବରି.jpg)
ଶ୍ରେୟଶ୍ରୀଙ୍କ ନମ୍ବର
ସାହିତ୍ୟ: ୯୮
ଇଂରାଜୀ: ୯୮
ସଂସ୍କୃତ: ୧୦୦
ଗଣିତ: ୯୯
ସାଧାରଣ ବିଜ୍ଞାନ: ୯୮
ସାମାଜିକ ବିଜ୍ଞାନ: ୯୭
ମୋଟ: ୬୦୦ରୁ ୫୯୦ ମାର୍କ
ସୂଚନାଯୋଗ୍ୟ, ଶେୟଶ୍ରୀଙ୍କ ଗ୍ରାମ ହେଉଛି ବରୀ ବ୍ଲକ ଅନ୍ତର୍ଗତ ସାହୁପଡ଼ା ପଞ୍ଚାୟତ ଅଧିନ ହଳଦୀବସନ୍ତପୁର। ବାପା ଷ୍ଟାଲିନ ଜେନା ହେଉଛନ୍ତି ଜଣେ ସମାଜସେବୀ। ମା’ ସ୍ମରଣୀକା ଧଳ ହାଇସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି।
Follow Us