‘ଶ୍ରୀଜଗନ୍ନାଥ ଯାତ୍ରା’ ଟ୍ରେନ୍‌ ଆଜି: ନୂଆଦିଲ୍ଲୀରୁ ୮ଦିନିଆ ଟୁର୍‌ରେ ବାହାରିବ

Advertisment

ପୁରୀ-କୋଣାର୍କ-ଭୁବନେଶ୍ବର ବୁଲିବେ ପର୍ଯ୍ୟଟକ, ବାରାଣସୀ, ବୈଦ୍ୟନାଥ, ଗୟା ସାଜିବ ଆକର୍ଷଣ

ପୁରୀ-କୋଣାର୍କ-ଭୁବନେଶ୍ବର ବୁଲିବେ ପର୍ଯ୍ୟଟକ, ବାରାଣସୀ, ବୈଦ୍ୟନାଥ, ଗୟା ସାଜିବ ଆକର୍ଷଣ

ଓଡ଼ିଶାରେ ୧୦୦% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳ

RailPost.in

ଭୁବନେଶ୍ବର: ଆଇଆର୍‌ସିଟିସି ପକ୍ଷରୁ ‘ଶ୍ରୀଜଗନ୍ନାଥ ଯାତ୍ରା’ ଟ୍ରେନ୍‌ର ଶୁଭ‌ାରମ୍ଭ ହେବାକୁ ଯାଉଛି। ବୁଧବାର ନୂଆଦିଲ୍ଲୀରୁ ବାହାରିବାକୁ ଥିବା ଏହି ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍‌ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଦେଇ ଓଡ଼ିଶାର ବିଭିନ୍ନ ତୀର୍ଥସ୍ଥାନ ଓ ଐତିହ୍ୟ ସ୍ଥଳୀକୁ ଯାତ୍ରା କରିବ। ଗସ୍ତ ସମୟରେ ପର୍ଯ୍ୟଟକମାନେ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ବାରଣାସୀ, ବୈଦ୍ୟନାଥ ଧାମ ଓ ଗୟା ବୁଲିପାରିବେ। ୮ ଦିନିଆ ଏହି ଟ୍ରେନ୍‌ ଯାତ୍ରାରେ ୬୦୦ ପର୍ଯ୍ୟଟକ ଅଂଶଗ୍ରହଣ କରୁଥିବା ଜଣାପଡ଼ିଛି।

ଟ୍ରେନ ଯାତ୍ରାର ପ୍ରଥମ ରହଣୀ ବାରାଣସୀ ସହର ହେବ। ପର୍ଯ୍ୟଟକମାନେ ସେଠାରେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାଘାଟ ଓ ଆରତି ସ୍ଥଳ ଆଦି ପରିଦର୍ଶନ କରିପାରିବେ। ଏହାପରେ ଟ୍ରେନ୍‌ଟି ଝାଡ଼ଖଣ୍ଡର ଯଶିଡିହି ରେଳଷ୍ଟେସନକୁ ଯାତ୍ରା କରିବ ଏବଂ ପର୍ଯ୍ୟଟକ ବୈଦ୍ୟନାଥ ଧାମ ଜ୍ୟୋତିର୍ଲିଙ୍ଗ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ପାଇବେ। ପରେ ଉକ୍ତ ଟ୍ରେନ ସିଧା ପୁରୀ ଅଭିମୁଖେ ଯାତ୍ରା କରିବ। ପୁରୀଠାରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲରେ ଦୁଇ ରାତି ରହିବାର ବ୍ୟବସ୍ଥା ହୋଇଛି। ସେମାନେ ପୁରୀରେ ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣ ବେଳାଭୂମି, କୋଣାର୍କର ସୂର୍ଯ୍ୟମନ୍ଦିର ଓ ମନ୍ଦିରମାଳୀନି ସହର ଭୁବନେଶ୍ୱରର ମନ୍ଦିରଗୁଡ଼ିକ ଦର୍ଶନ କରିବେ। ପୁରୀ ପରେ ଗୟା ହେବ ଟ୍ରେନର ଶେଷ ଗନ୍ତବ୍ୟ ସ୍ଥଳ। ସେଠାରେ ବିଷ୍ଣୁପାଦ ମନ୍ଦିରରେ ଦର୍ଶନ କରିବା ପରେ ପର୍ଯ୍ୟଟକଙ୍କ ଯାତ୍ରା ଶେଷ ହେବ। ୮ଦିନିଆ ଏହି ଯାତ୍ରା ଶେଷ କରି ଟ୍ରେନଟି ଫେବ୍ରୁଆରି ପହିଲାରେ ଦିଲ୍ଲୀରେ ପହଞ୍ଚିବ।

ଆଧୁନିକ ଶୈଳୀର ଶୀତତାପ ନିୟନ୍ତ୍ରିତ ରେକ୍ ବିଶିଷ୍ଟ ଏହି ପର୍ଯ୍ୟଟକ ଟ୍ରେନରେ ଯାତ୍ରା ସମୟରେ ଗାଜିଆବାଦ, ଆଲିଗଡ଼, ଟୁଣ୍ଡଲା, ଏଟାୱା, କାନପୁର ଓ ଲକ୍ଷ୍ନୌ ଷ୍ଟେସନରେ ବୋର୍ଡ/ଡି-ବୋର୍ଡର ସୁବିଧା ରହିବ। ଟ୍ରେନ୍‌ରେ ୧୧ଟି ତୃତୀୟ ଶ୍ରେଣୀ ଏସି କୋଚ, ଗୋଟିଏ ପାଣ୍ଟ୍ରି କାର ଓ ଦୁଇଟି ଏସ୍‌ଏଲ୍‌ଆର୍ ରହିବ। ସଦ୍ୟ ରନ୍ଧା ଶାକାହାରୀ ଖାଦ୍ୟ ଆଧୁନିକ ପାଣ୍ଟ୍ରିରୁ ନିଜ ନିଜ ସ୍ଥାନରେ ପରିବେଷଣ କରାଯିବ। ଯାତ୍ରୀଙ୍କ ମନୋରଞ୍ଜନ ଓ ସର୍ବସାଧାରଣ ସୂଚନା ପାଇଁ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ ମଧ୍ୟ ଲଗାଯାଇଛି। ପରିଷ୍କାର ଶୌଚାଳୟଠାରୁ ଆରମ୍ଭ କରି ସିସିଟିଭି କ୍ୟାମେରା ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ କୋଚରେ ସିକ୍ୟୁରିଟି ଗାର୍ଡ ରହିଛନ୍ତି।

ଘରୋଇ ପର୍ଯ୍ୟଟନର ପ୍ରସାର କରିବା ଦିଗରେ ଭାରତ ସରକାରଙ୍କ ‘ଦେଖୋ ଅପ୍‌ନା ଦେଶ’ର ଏକ ଅଂଶ ଭାବେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି। ଆଇଆର୍‌ସିଟିସି ପର୍ଯ୍ୟଟକ ଟ୍ରେନ ହେଉଛି ଏକ ସର୍ବଭାରତୀୟ ଟୁର ପ୍ୟାକେଜ। ଯେଉଁଥିରେ ତୃତୀୟ ଶ୍ରେଣୀ ଏସି ଟ୍ରେନ ଯାତ୍ରା, ହୋଟେଲରେ ରାତ୍ରି ଯାପନ, ସମସ୍ତ ଭୋଜନ (ଶାକାହାରୀ), ଦର୍ଶନ ଓ ଭ୍ରମଣ ବୀମା ଏବଂ ଗାଇଡ୍ ସେବା ଆଦି ଅନ୍ତର୍ଭୁକ୍ତ ରହିଛି। ସମସ୍ତ ପ୍ରକାର ଆବଶ୍ୟକୀୟ ସ୍ୱାସ୍ଥ୍ୟ ସଚେତନତା ପଦକ୍ଷେପ ଗ୍ରହଣ କରାଯିବ। ଅତିଥିମାନଙ୍କୁ ଏକ ନିରାପଦ ତଥା ସ୍ମରଣୀୟ ଅନୁଭୂତି ପ୍ରଦାନ କରିବାକୁ ଆଇଆର୍‌ସିଟିସି ପ୍ରୟାସ କରିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe