ଶ୍ରୀବିଗ୍ରହଙ୍କୁ ଲାଗିହେଲା ଫୁଲୁରି ତେଲ: ବଡ଼ ଓଡ଼ିଆ ମଠରୁ ଶୋଭାଯାତ୍ରାରେ ନିଆଗଲା ମହୌଷଧି

Advertisment
ଶ୍ରୀବିଗ୍ରହଙ୍କୁ ଲାଗିହେଲା ଫୁଲୁରି ତେଲ: ବଡ଼ ଓଡ଼ିଆ ମଠରୁ ଶୋଭାଯାତ୍ରାରେ ନିଆଗଲା ମହୌଷଧି

ପୁରୀ: ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଆଜି ଷଷ୍ଠ ଦିନରେ ବି ଅଣସର ପିଣ୍ଡିରେ ଅସୁସ୍ଥ ମହାପ୍ରଭୁଙ୍କ ଜ୍ବରରୁ ଭଲ କରିବା ପାଇଁ ଚାଲିଛି ଗୁପ୍ତନୀତି। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ, ଦଇତାପତି ‌ସେବକଙ୍କ ଦ୍ବାରା ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା। ଶାସ୍ତ୍ରାନୁସାରେ ବିଶ୍ୱାବସୁ ତଥା ବିଦ୍ୟାପତିଙ୍କ ବଂଶଧରମାନେ ଶ୍ରୀଅଙ୍ଗରୁ ବିରୂପ କାଢ଼ିବା ପରେ ଆଜି ଅଣସର ବାସରେ ଥିବା ଶଯ୍ୟାଶାୟୀ ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ ଲାଗି କରିଛନ୍ତି। ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଏହି ଔଷଧୀୟ ତୈଳ ମର୍ଦ୍ଦନ ହୋଇଛି। ଏହି ତେଲ ଶ୍ରୀଅଙ୍ଗରେ ମର୍ଦ୍ଦନ ପରେ ମହାପ୍ରଭୁ ସୁସ୍ଥ ହେବେ। ନବ‌ଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ଏ ନେଇ ଆଜି ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ପରମ୍ପରା ମୁତାବକ, ବଡ଼ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା। ଏହା ପରେ ବଡ଼ ଓଡ଼ିଆ ମଠ ମହନ୍ତ ବଂଶୀଧର ଦାସଗୋସ୍ବାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମଠର ସାଧୁସନ୍ଥମାନେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣରେ ପ୍ରସ୍ତୁତ ଫୁଲୁରି ତେଲକୁ ଶ୍ରୀମନ୍ଦିରକୁ ନେଇଥିଲେ। ପ୍ରତିବର୍ଷ ଭଳି ଆଜି ବି ବଡ଼ ଓଡ଼ିଆ ମଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ସହକାରେ ସାଧୁସନ୍ଥଙ୍କ ଗହଣରେ ତିନିଟି ସେରିକିଆ ମାଟି ଘଡ଼ିରେ ଫୁଲୁରି ତେଲ ବିଜେ କରାଯାଇଥିଲା।

ଗାରଦରେ ଦାଖଲ ପରେ ଦଇତାପତି, ପତି ମହାପାତ୍ର ସେବକମାନେ ଏହାକୁ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିଛନ୍ତି। ମହାପ୍ରଭୁ ହେଉଛନ୍ତି ଜୀବନ୍ତ ଠାକୁର। ମାନବଦେହୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଦରଜ ଭାଙ୍ଗିବା ପାଇଁ ତୈଳ ମର୍ଦ୍ଦନର ପରମ୍ପରା ରହି ଆସିଛି। ମହାରାଜା ପ୍ରତାପ ରୁଦ୍ର ଦେବଙ୍କ ଅମଳରୁ ବଡ଼ ଓଡ଼ିଆ ମଠକୁ ଫୁଲୁରି ତେଲ ସେବା ଦାୟିତ୍ୱ ଦିଆଯାଇଛି। ଫୁଲୁରି ସେବା ପରେ ଆସନ୍ତାକାଲିଠାରୁ ଅନ୍ୟାନ୍ୟ ଔଷଧୀୟ ଉପଚାର ଆରମ୍ଭ ହେବ। ସୂଚନାଯୋଗ୍ୟ, ପ୍ରତିବର୍ଷ ହେରାପଞ୍ଚମୀ ଦିନ ଫୁଲୁରି ତେଲର ଏହି ମିଶ୍ରଣକୁ ମାଟି ତଳେ ପୋତାଯାଏ। ପ୍ରାୟ ବର୍ଷେ ଧରି ମାଟି ତଳେ ରହିବା ପରେ ଏହି ମହୌଷଧିକୁ ମାଟିରୁ ବାହାର କରାଯାଇ କପଡ଼ାରେ ଛାଣିବା ପରେ ମାଟି ପାତ୍ରରେ ଶ୍ରୀମନ୍ଦିରକୁ ନିଆଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe