ଅଣସର ଘରେ ଶ୍ରୀବିଗ୍ରହଙ୍କ ଚକାବିଜେ: ଶ୍ରୀଅଙ୍ଗ ଲାଗି ପାଇଁ କବିରାଜଙ୍କ ଘରୁ ଗଲା ‘ଦଶମୂଳ’

Advertisment

ଆଜି ଖଳିଲାଗି ଏକାଦଶୀ, ମହାପ୍ରଭୁ ପିନ୍ଧିବେ ରକ୍ତବସ୍ତ୍ର

ଆଜି ଖଳିଲାଗି ଏକାଦଶୀ, ମହାପ୍ରଭୁ ପିନ୍ଧିବେ ରକ୍ତବସ୍ତ୍ର

ଅଣସର ଘରେ ଶ୍ରୀବିଗ୍ରହଙ୍କ ଚକାବିଜେ: ଶ୍ରୀଅଙ୍ଗ ଲାଗି ପାଇଁ କବିରାଜଙ୍କ ଘରୁ ଗଲା ‘ଦଶମୂଳ’

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି। ଅସୁସ୍ଥ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତସେବା। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଅଣସରକାଳୀନ ଏହି ଗୁପ୍ତନୀତି ସଂପାଦନ କରୁଛନ୍ତି। ଏକବସ୍ତ୍ର ହୋଇ ଅଣସର ବାସଠାରୁ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ଶ୍ରୀଅଙ୍ଗ ଲାଗି ପାଇଁ ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ଯୋଗାଇ ଦିଆଯାଉଛି। ବଡ଼ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇଥିବା ବେଳେ ଶୁଦ୍ଧ ସୁଆରମାନେ ଓଷ ଯୋଗାଇ ଦେଇଛନ୍ତି। ଫୁଲୁରି ତେଲ ଓ ଓଷ ଲାଗି ପରେ ସମାନ୍ୟ ସୁସ୍ଥ ଅନୁଭବ କରୁଛନ୍ତି ମହାପ୍ରଭୁ। ସାମାନ୍ୟ ସୁସ୍ଥ ହେବା ପରେ ଆଜି ବିଧି ମୁତାବକ ଅଣସରରେ ଥିବା ତିନି ଠାକୁର ଚକାବିଜେ କରିଛନ୍ତି।

ଅନ୍ୟପଟେ ଶ୍ରୀମନ୍ଦିର ବୈଦ୍ୟମାନେ ଦଶମୂଳ ପ୍ରସ୍ତୁତ କରି ଆଜି ଗାରଦରେ ଦାଖଲ କରିଛନ୍ତି। ଏକାଦଶୀ ତିଥି ଅର୍ଥାତ୍‍ ଆସନ୍ତାକାଲି ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀଅଙ୍ଗ ଉପଚାର କରାଯିବ ଓ ଦଶମୂଳ ଲାଗି ହେବ। ଏଥିସହ ଆସନ୍ତାକାଲି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ ନୀତି ଅନୁଷ୍ଠିତ ହେବ। ମାନବ ଶରୀର ଭଳି ମହାପ୍ରଭୁ ଆସନ୍ତାକାଲି ରକ୍ତବସ୍ତ୍ର ପରିଧାନ କରିବେ। ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆସନ୍ତାକାଲିଠାରୁ ତୁଳସୀ ଲାଗି ହେବ।

ପରମ୍ପରା ମୁତାବକ, ଆଜି ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଛି। ଶୟନରତ ଅବସ୍ଥାରେ ଅଣସର ପିଣ୍ଡିରେ ବିଶ୍ରାମ କରୁଥିବା ମହାପ୍ରଭୁ ଆଜି ଚକା ଉପରେ ବିଜେ କରି ବସିଛନ୍ତି। ଆଜି ନୀତି ମୁତାବକ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି। ବିଶ୍ରାମ ଅବସ୍ଥାରୁ ଚକା ଉପରେ ବିଜେ(ଚକା ଉପରେ ବସିବା) ହେବା ସ୍ଥିତି ମହାପ୍ରଭୁଙ୍କ ସୁସ୍ଥତାର ପରିଚୟ ଦେଇଛି। ଚକାବିଜେ ହେବା ପରେ ଶ୍ରୀମନ୍ଦିରକୁ ଦଶମୂଳ(ମୋଦକ) ବିଜେ କରାଯାଇଛି। ମହାପ୍ରଭୁଙ୍କ କବିରାଜମାନେ ଏହି ଔଷଧକୁ ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରିଛନ୍ତି। ଆୟୁର୍ବେଦ ପଦ୍ଧତି ଓ ଶାସ୍ତ୍ରାନୁସରଣରେ ଏହି ମହୌଷଧି ପ୍ରସ୍ତୁତ ହୋଇଛି। ଏକାଦଶୀ ତିଥି ଅର୍ଥାତ୍‍ ଆସନ୍ତାକାଲି ଅସୁସ୍ଥ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ମୋଦକ ଲାଗି କରିବାର ବିଧି ରହିଛି। ଔଷଧ ତିଆରି ପୂର୍ବରୁ ବୈଦ୍ୟମାନେ ଚେରମୂଳ ସଂଗ୍ରହରେ ଗତ କିଛି ଦିନ ଧରି ବ୍ୟସ୍ତ ଥିଲେ। ଶ୍ରୀମନ୍ଦିର ବୈଦ୍ୟ ମାନ୍ୟତାପ୍ରାପ୍ତ କବିରାଜ ସେବକମାନେ ପୁରୁଷାନୁକ୍ରମେ ପ୍ରଭୁଙ୍କ ପାଇଁ ଏହି ମହୌଷଧି ପ୍ରସ୍ତୁତି ସେବାରେ ନିୟୋଜିତ ଅଛନ୍ତି। କବିରାଜମାନଙ୍କ କହିବା ମୁତାବକ, ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀଘିଅ, ମହୁ, ନବାତ, ଖୁଆ ସର, ଭାଙ୍ଗ ଆଦି ପ୍ରକୃତିର ଉତ୍ପାଦ ସମ୍ମିଶ୍ରଣରେ ମହାପ୍ରଭୁଙ୍କ ପାଇଁ ଏହି ଔଷଧ ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କ ଏହି ମହୌଷଧିରେ ୩ କେଜିରୁ ଅଧିକ ଚେରମୂଳି ବ୍ୟବହୃତ ହୋଇଛି। ବିଭିନ୍ନ ଭକ୍ତ ଓ କିଛି ଆୟୁର୍ବେଦ ଔଷଧ ଦୋକାନରୁ ଏହି ଦୁର୍ଲଭ ଚେରମୂଳିକୁ ବୈଦ୍ୟମାନେ ସଂଗ୍ରହ କରିଛନ୍ତି। ଧନ୍ୱନ୍ତରୀ ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ମୋଦକ ପ୍ରସ୍ତୁତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe