ଶ୍ରୀମନ୍ଦିର ପହଣ୍ଡି ଟିକେଟ୍‌ ବଣ୍ଟନବେଳେ ଠେଲାପେଲା, ସେବାୟତ ନେଇଗଲେ, ଭକ୍ତ ପାଇଲେନି

Advertisment

ଶହେ ଟଙ୍କା ଟିକଟ ୧ ହଜାରରୁ ୨ହଜାର ଟଙ୍କାରେ ବିକ୍ରି ଅଭିଯୋଗ

ଶହେ ଟଙ୍କା ଟିକଟ ୧ ହଜାରରୁ ୨ହଜାର ଟଙ୍କାରେ ବିକ୍ରି ଅଭିଯୋଗ

ଶ୍ରୀମନ୍ଦିର ପହଣ୍ଡି ଟିକେଟ୍‌ ବଣ୍ଟନବେଳେ ଠେଲାପେଲା, ସେବାୟତ ନେଇଗଲେ, ଭକ୍ତ ପାଇଲେନି

ପୁରୀ : ଶ୍ରୀମନ୍ଦିର ପହଣ୍ଡି ଦର୍ଶନ ପାଇଁ ଦୁଇବର୍ଷ ପରେ ଚଳିତବର୍ଷ ପରିମାଣିକ ଦର୍ଶନ ବ୍ୟବସ୍ଥା କରାଯାଇଛି। ପହଣ୍ଡି ବେଳେ ଭକ୍ତମାନେ ଯେଭଳି ଶ୍ରୀମନ୍ଦିରରେ ଥାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିପାରିବେ, ସେଥିପାଇଁ ଏହି ବ୍ୟବସ୍ଥା ଲାଗୁ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପରିମାଣିକ ଟିକେଟ୍‌ ବ୍ୟବସ୍ଥା କରାଯାଇଛି। କିନ୍ତୁ ଭକ୍ତଙ୍କ ପାଇଁ ରହିଥିବା ଏହି ପରିମାଣିକ ଟିକେଟ୍‌ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଟିକେଟ୍‌ ବଣ୍ଟନ ଦାୟିତ୍ବରେ ଥିବା ବ୍ୟକ୍ତିମାନେ ଭକ୍ତଙ୍କୁ ଅଣଦେଖା କରି ସେବାୟତଙ୍କୁ ପ୍ରାୟ ସମସ୍ତ ଟିକେଟ୍‌ ଟେକି ଦେଇଛନ୍ତି। ଯେଉଁଥିପାଇଁ ପରିମାଣିକ ଦର୍ଶନ ଆଶା କରିଥିବା ଭକ୍ତ ନିରାଶ ହୋଇଛନ୍ତି। ଏଥିପାଇଁ ଠେଲାପେଲା ପରିସ୍ଥିତି ଉପୁଜିଛି। ସେପ‌ଟେ ଏହି ପରିମାଣିକ ଟିକେଟ୍‌ ନେବା ପରେ ସେବାୟତମାନେ ଏହାକୁ ୧୦ଗୁଣା, ୨୦ ଗୁଣା ଦରରେ ଭକ୍ତଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଯେଉଁ ଟିକେଟ୍‌ର ଦର ଶହେ ଟଙ୍କା ରହିଛି, ତାକୁ ହଜାରେରୁ ୨ହଜାର ଟଙ୍କାରେ ବିକ୍ରି କରାଯାଇଛି।

ଚଳିତବର୍ଷ ପହଣ୍ଡି ଦର୍ଶନ ପାଇଁ ପ୍ରାୟ ୨ହଜାର ପରିମାଣିକ ଟିକେଟ୍‌ର ବ୍ୟବସ୍ଥା କରାଯାଇଛି। ଏହି ଟିକେଟ୍‌ ଆଜି ସୂଚନା କେନ୍ଦ୍ରରେ ବଣ୍ଟନ କରାଯାଉଥିଲା। ପ୍ରଥମେ ଧାଡ଼ିରେ ରହିଲେ ଟିକେଟ୍‌ ମିଳିବ ବୋଲି କୁହାଯାଇଥିଲା। ଏଣୁ ଭକ୍ତମାନେ ଧାଡ଼ିରେ ରହି ଟିକେଟ୍‌ ନେବାକୁ ଅପେକ୍ଷା କରିଥିଲେ। କିନ୍ତୁ ସେବାୟତମାନେ ବିନା ଧାଡ଼ିରେ ଆସି ଧସେଇ ପଶିବା ସହ ପହଣ୍ଡି ଟିକେଟ୍‌ ନେଇ ପଳାଇଥିଲେ। କିଏ କେଉଁ ପୁଲିସର ପରିଚୟ ଦେଇ ତ କିଏ କେଉଁ ଜେଟିପିଙ୍କ ପରିଚୟ ଦେଇ ଟିକେଟ୍‌ ନେଇ ପଳାଉଥିବା ଦେଖିବାକୁ ମିଳିଥିଲା। ସେବାୟତଙ୍କ ସହ ଅନେକ ଜେଟିପି, ପୁଲିସ ବି ଟିକେଟ୍‌ ନେଇ ପଳାଉଥିବା ଦେଖିବାକୁ ମିଳିଥିଲା। କିଏ ୨୦ ତ କିଏ ୫୦, ଶ‌ହେ ଟିକେଟ୍‌ ନେଇ ଯାଉଥିଲେ। କିନ୍ତୁ ଧାଡ଼ିରେ ଥିବା ଭକ୍ତମାନେ ସେହିଭଳି ଭକୁଆ ହୋଇ ଛିଡ଼ା ହୋଇଥିଲେ। ଏହାକୁ ନେଇ ଯୁକ୍ତିତର୍କ ଓ ଗହଳି ବଢ଼ିବାରୁ ଶେଷରେ ନୀଳାଦ୍ରି ଭକ୍ତ ନିବାସରେ ଟିକେଟ୍‌ ବାଣ୍ଟିବା ବ୍ୟବସ୍ଥା କରାଗଲା। ସେଠାକୁ ବି ଭକ୍ତମାନେ ଯାଇ ଟିକେଟ୍‌ ନେବାକୁ ଧାଡ଼ି ଲଗାଇଥିଲେ। ସେଠାରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ସେବାୟତମାନେ ଶହ ଶହ ଟିକେଟ୍‌ ବୋହି ନେଇଥିଲେ। ଏଣୁ ଭକ୍ତମାନେ ନିରାଶ ହୋଇ ଫେରିଥିଲେ। ଯେଉଁମାନେ ଟିକେଟ୍‌ରୁ ବଞ୍ଚିତ ହେଲେ ସେମାନେ ଚଢ଼ା ଦର ଦେଇ ସେବାୟତଙ୍କଠାରୁ ଟିକେଟ୍‌ କିଣିଥିଲେ। ଭକ୍ତଙ୍କୁ ଏଭଳି ଶୋଷଣ ଉଭୟ ଭକ୍ତ ଓ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଭକ୍ତମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe