ଶ୍ରୀମନ୍ଦିର ପାଞ୍ଜି ସମନ୍ବୟ ବୈଠକ: ଏପ୍ରିଲ୍‌ ୧୪ରେ ପାଳିତ ହେବ ପଣାସଂକ୍ରାନ୍ତି

ପଞ୍ଚକ ୪ ଦିନ, ଅଣସର ନୀତି ୧୩ ଦିନ, ଏଥର ମିଳିବନି ନବଯୌବନ ଦର୍ଶନ

ଶ୍ରୀମନ୍ଦିର ପାଞ୍ଜି ସମନ୍ବୟ ବୈଠକ: ଏପ୍ରିଲ୍‌ ୧୪ରେ ପାଳିତ ହେବ ପଣାସଂକ୍ରାନ୍ତି

ପୁରୀ:‌ ଶ୍ରୀମନ୍ଦିର ପର୍ବପର୍ବାଣି ତିଥିନକ୍ଷତ୍ରକୁ ନେଇ ଯେଉଁ ବିବାଦ ମୁଣ୍ଡ ଟେକିଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ଚଳିତବର୍ଷ ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି ପାଳନ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଆଜି ଶ୍ରୀମନ୍ଦିର ପାଞ୍ଜି ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତସଭା ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି। ଅନ୍ୟପଟେ ଚଳିତବର୍ଷ ଭକ୍ତମାନେ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବା ସମ୍ଭାବନା ଦେଖାଦେଇଛି। ଚଳିତବର୍ଷ ଅଣସର ନୀତି ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡ଼ୁଛି ଏବଂ ଉଭାଯାତ୍ରା ଓ ନେତ୍ରୋତ୍ସବ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ପଡ଼ୁଛି। ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରାତ୍ରିରୁ ଅନେକ ନୀତିକାନ୍ତି ରହିଥିବାରୁ ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ନବଯୌବନ ଦର୍ଶନ ବନ୍ଦ ରହିବା ସମ୍ଭାବନା ରହିଛି।

ପୂର୍ବରୁ ଚଳିତବର୍ଷ ଏପ୍ରିଲ ୧୩ରେ ମହାବିଷୁବ ସଂକ୍ରାନ୍ତି ପଡ଼ୁଛି ବୋଲି କିଛି ପାଞ୍ଜିର ଗଣନାକାରୀମାନେ ଦାବି କରିଥିଲେ। ଯେଉଁଥିପାଇଁ ପୂର୍ବ ବୈଠକରେ ନିଷ୍କର୍ଷ ବାହାରି ପାରିନଥିଲା। ଆଜି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପୁନର୍ବାର ପାଞ୍ଜି ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ପଞ୍ଜିକାର ଗଣନାକାରୀମାନେ ଉପସ୍ଥିତ ଥିଲେ। ଏଥିସହ ମୁକ୍ତିମଣ୍ଡପ ପଣ୍ଡିତସଭା, ପୂଜାପଣ୍ଡା ନିଯୋଗ, ଛତିଶାନିଯୋଗ, ବରିଷ୍ଠ ପ୍ରଫେସରମାନେ ଉପସ୍ଥିତ ଥିଲେ। ବୈଠକରେ ମନ୍ଦୋଚ ସଂସ୍କାର ପରେ ପଠାଣୀ ସାମନ୍ତଙ୍କ ସିଦ୍ଧାନ୍ତ ଦର୍ପଣ ଆଧାରରେ ଏପ୍ରିଲ ୧୪ ତାରିଖରେ ପଣାସଂକ୍ରାନ୍ତି ପାଳନ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତ କହିଛନ୍ତି।

ଶ୍ରୀ ସାମନ୍ତ କହିଛନ୍ତି, ଏପ୍ରିଲ ୧୪ ତାରିଖ ସୂର୍ଯ୍ୟୋଦୟ ସମୟରୁ ପଣାସଂକ୍ରାନ୍ତି ଆରମ୍ଭ ହେବ। ସେହିଭଳି ଚଳିତବର୍ଷ ଜୁଲାଇ ୭ ତାରିଖରେ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ସହ ଉଭା ଯାତ୍ରା ଓ ନେତ୍ରୋତ୍ସବ ବି ଅନୁଷ୍ଠିତ ହେବ। କ୍ଷୟ ପଡ଼ୁଥିବାରୁ ଅଣସର ୧୫ ଦିନ ପରିବର୍ତ୍ତେ ୧୩ ଦିନ ଅନୁଷ୍ଠିତ ହେବ। ଠାକୁର ନବଯୌବନ ହେବେ ସତ, କିନ୍ତୁ ଦର୍ଶନ କିଭଳି ହେବ, ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହେବ। ଏଥର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ବି ୯ ଦିନରେ ଶେଷ ହେବ। ନବମ ଦିନରେ ଶ୍ରୀବିଗ୍ରହ ରଥାରୁଢ଼ ହୋଇ ବାହୁଡ଼ାଯାତ୍ରା କରିବେ। ସେହିଦିନ ରଥରେ ରହିବା ପରେ ସୁନାବେଶ ଓ ଅଧରନୀତି ହୋଇ ଶ୍ରୀମନ୍ଦିରକୁ ଫେରିବେ। ଶ୍ରୀ ପୂଜାପଣ୍ଡା କହିଛନ୍ତି, ଦିନ କ୍ଷୟ କାରଣରୁ ଏଥର କାର୍ତ୍ତିକ ମାସରେ ପଞ୍ଚକ ବି ୪ ଦିନ ପାଳିତ ହେବ। ଚତୁର୍ଦ୍ଦଶୀରେ ଠାକୁରଙ୍କ ରାଜାଧିରାଜ ବା ସୁନାବେଶ ହେବ। ପ୍ରତିବର୍ଷ ଚତୁର୍ଦ୍ଦଶୀରେ ଲକ୍ଷ୍ମୀ-ନୃସିଂହ ବେଶ ହୋଇଥାଏ। ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ ହୋଇଥାଏ। କିନ୍ତୁ ଲକ୍ଷ୍ମୀ-ନୃସିଂହ ବେଶ ଏଥର ହେବନି।

ଏହି ଦିନ ରାଜାଧିରାଜ ବେଶ ହେବ। ୧୯୫୯ ମସିହା ଓ ୧୯୭୧-୭୨ ମସିହା ଶ୍ରୀମନ୍ଦିର ନୀତିକାନ୍ତି ଆଧାରରେ ଏହି ନୀତିକାନ୍ତି କରାଯାଉଛି। ୨୦୨୫ ମସିହା ଫେବ୍ରୁ୍ଆରି ୨ରେ ଶ୍ରୀପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯିବ। ମୁକ୍ତିମଣ୍ଡପ ପଣ୍ଡିତସଭାର ପାଣ୍ଡୁଲିପି ଓ ହାତଗଣତି ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତି। ମୁକ୍ତିମଣ୍ଡପ ପଣ୍ଡିତସଭାର ସମ୍ପାଦକ ପ୍ରଫୁଲ୍ଲ କୁମାର ମିଶ୍ର କହିଛନ୍ତି, ପୂର୍ବରୁ ପଣାସଂକ୍ରାନ୍ତିକୁ ନେଇ ଯେଉଁ ଦ୍ବନ୍ଦ୍ବ ରହିଥିଲା, ତାହା ଦୂର ହୋଇଛି। ଗଣତି ପରେ ପଣାସଂକ୍ରାନ୍ତି ଏପ୍ରିଲ ୧୪ରେ ହେବାକୁ ଧାର୍ଯ୍ୟ ହୋଇଛି। ଏହି ନିଷ୍ପତ୍ତି ଅନୁସାରେ, ସମସ୍ତ ପାଞ୍ଜିକାରମାନଙ୍କୁ ପାଞ୍ଜିରେ ଆବଶ୍ୟକ ସଂଶୋଧନ ପାଇଁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe