ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଅଗ୍ରଗତି ସମୀକ୍ଷା: ୩ ମାସରେ କାମ ସରିବ

ସ୍ବର୍ଗଦ୍ବାର ଶବଦାହ ବ୍ୟବସ୍ଥା ବୁଝିଲେ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଅଗ୍ରଗତି ସମୀକ୍ଷା: ୩ ମାସରେ କାମ ସରିବ

ପୁରୀ :‌ ତିନି ମାସ ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ ହେବ। ରଥଯାତ୍ରା ପୂର୍ବରୁ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ରୂପରେଖ ଭକ୍ତମାନେ ଦେଖିପାରିବେ। ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହା କହିଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଆଜି ପୂର୍ବାହ୍ଣରେ ପୁରୀରେ ପହଞ୍ଚିବା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରିଥିଲେ। ପରେ ଶବଦାହ ବ୍ୟବସ୍ଥା ସମ୍ପର୍କରେ ସ୍ବର୍ଗଦ୍ବାର ପରିଚାଳନା କମିଟି ଓ ଓବିସିସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ସେଠାରେ ୨୮ଟି ଶବଦାହ ପିଣ୍ଡି ରହିଛି ଓଏଥିରେ ଦୈନିକ ୭୦ରୁ ୮୦ଟି ଶବ ଦାହ ହୋଇପାରୁଛି। ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ, ଏହାର ସଂପ୍ରସାରଣ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ମୁଖ୍ୟସଚିବ ଆହୁରି କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାହାର ଓ ଭିତର କାମ ଆଗେଇ ଚାଲିଛି। ପରିକ୍ରମା ପ୍ରକଳ୍ପ ଭିତରେ ରିଂ-ରୋଡ୍‌ କାମ ବି ଜାରି ରହିଛି। ଆଶା କରୁଛୁ, ଆସନ୍ତା ୩ ମାସ ଭିତରେ କାମ ଶେଷ ହୋଇଯିବ। ଭକ୍ତଙ୍କ ପାଇଁ ଶୌଚାଳୟ, ହାତ‌ଧୁଆ ଘର, ବିଶ୍ରାମ ସ୍ଥାନ ଆଦିର ବ୍ୟବସ୍ଥା କରାଯାଇଛି। ଏହାବାଦ୍‌ ଭକ୍ତମାନେ ମେଘନାଦ ପାଚେରି ବାହାରେ ଶ୍ରୀମନ୍ଦିର ପରିକ୍ରମା କରି ପାରିବେ। ଟ୍ରାଫିକ ସମସ୍ୟା ଦୂର ପାଇଁ ଏକ ଟ୍ରାଫିକ ବ୍ୟାରିୟର କରାଯାଇଛି। ଏହା ପଥରରେ ନିର୍ମାଣ କରାଯାଉଛି। ଆଶା କରୁଛୁ, ପରିକ୍ରମା ପ୍ରକଳ୍ପ କାମ ‌ଶେଷ ପରେ ଭକ୍ତମାନେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକୁ ବାହାରୁ ଉପ‌ଭୋଗ କରିପାରିବେ। ଭକ୍ତମାନେ ଶ୍ରୀଜଗନ୍ନାଥ ପାର୍କିଂ ସ୍ଥଳରୁ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାର୍କିଂ ଜାଗାରେ ଓହ୍ଲାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରିବେ।

ମୁଖ୍ୟସଚିବ କହିଛନ୍ତି ଯେ ଯାହା ବି କାମ ହେଉଛି, ସବୁ କାମ ଖଣ୍ଡେଲାଇଟ୍‌ ପଥରରେ କରାଯାଉଛି। ଚାରିପ‌ଟେ ବୃକ୍ଷରୋପଣ କରାଯିବ। ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଏକ ଭଲ ଅନୁଭୂତି ନେଇ ଫେରିବେ। ରଥଯାତ୍ରା ପୂର୍ବରୁ ନିଶ୍ଚିତପକ୍ଷେ ପରିକ୍ରମା ପ୍ରକଳ୍ପ କାମ ଶେଷ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe