ସୁପ୍ରିମକୋର୍ଟରେ ଜିତିଲେ ସରକାର, ଶ୍ରୀମନ୍ଦିର ପ୍ରକଳ୍ପ ମାମଲା ଖାରଜ

Advertisment
ସୁପ୍ରିମକୋର୍ଟ ପାଇଁ ଐତିହାସିକ ଦିନ: ସମ୍ବିଧାନ ପୀଠ ଶୁଣାଣିର ସିଧା ପ୍ରସାରଣ

Image Courtesy of The Indian Express

ଜନସ୍ବାର୍ଥ ମାମଲାକୁ ନାପସନ୍ଦ କଲେ ଖଣ୍ଡପୀଠ
ଆବେଦନକାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ
ବରବାଦ ହେଉଛି ସମୟ, ଉନ୍ନୟନ କାମ ବନ୍ଦ ପାଇଁ କାରସାଦି
ଛତୁ ଫୁଟିବା ଭଳି ଆଗତ ହେଉଛି; ଏସବୁ ଜନସ୍ବାର୍ଥ ସମ୍ବଳିତ ନା ଆତ୍ମପ୍ରଚାର ପାଇଁ ଉଦ୍ଦିଷ୍ଟ

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ତୁରନ୍ତ ରୋକ୍ ଲଗାଇବା ପାଇଁ ଅର୍ଦ୍ଧେନ୍ଦୁ ଶେଖର ଦାସ ଓ ସୁମନ୍ତ କୁମାର ଘଡ଼େଇଙ୍କ ପକ୍ଷରୁ ଆଗତ ଦୁଇଟି ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏଭଳି ଆବେଦନକୁ ‘ତୁଚ୍ଛ’, ‘ଚପଳାମି’ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି ଅଭିହିତ କରି କୋର୍ଟ ଉଭୟ ଆବେଦନକାରୀଙ୍କୁ ଚାରି ସପ୍ତାହ ମଧ୍ୟରେ ୧ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ରାୟ ଶୁଣାଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ବି ଆର୍ ଗଭାହି ଏବଂ ଜଷ୍ଟିସ ହିମା କୋହଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ଜନସ୍ବାର୍ଥ ମାମଲାକୁ ନାପସନ୍ଦ କରିଛନ୍ତି। ଅତ୍ୟନ୍ତ ଅସନ୍ତୋଷ ବ୍ୟକ୍ତ କରି ଖଣ୍ଡପୀଠ କହିଛନ୍ତି, ଛତୁ ଫୁଟିବା ଭଳି ଆଗତ ହେଉଥିବା ଏଭଳି ଜନସ୍ବାର୍ଥ ମାମଲାଗୁଡ଼ିକ ଶୁଣାଣି ପାଇଁ କୌଣସି ଯୋଗ୍ୟତା ରଖନ୍ତି ନାହିଁ। ଏସବୁ ଆତ୍ମପ୍ରଚାର ଓ ଆତ୍ମସ୍ବାର୍ଥ ସମ୍ବଳିତ ବୋଲି କୁହାଯାଇପାରେ। ଏହିଧରଣର ବିଷ କଢ଼ିଗୁଡ଼ିକର ମୂଳୋତ୍ପାଟନ ଜରୁରୀ ହୋଇପଡ଼ିଛି। କାରଣ ଏହାଦ୍ବାରା କୋର୍ଟଙ୍କ ସମୟ ଅଯଥାରେ ନଷ୍ଟ ହେଉଛି। ଉନ୍ନୟନମୂଳକ କାମକୁ ବନ୍ଦ କରାଯିବା ଅନୁଚିତ। ଯାହା ଜଣାପଡୁଛି, ଉଦ୍ଦେଶ୍ୟମୂଳକ ଭାବେ ଏହି ପ୍ରକଳ୍ପକୁ ବାଧାଦେବା ଏବଂ ବନ୍ଦ କରିବାଦ୍ୱାରା ଆବେଦନକାରୀମାନେ କେବଳ ବ୍ୟକ୍ତିଗତ ଗୌରବ ଖୋଜୁଥିଲେ। ଲୋକଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ନିର୍ମାଣ କାମ କରୁଥିବା କୋର୍ଟ ଉପଲବ୍ଧି କରିଛନ୍ତି। ଆବେଦନକାରୀମାନେ ଏହି ମାମଲାକୁ ଶୀଘ୍ର ତାଲିକାଭୁକ୍ତ କରିବାକୁ ଯେଉଁ ଢଙ୍ଗରେ ଆବେଦନ କରିଥିଲେ, ସେ ନେଇ ମଧ୍ୟ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ ସେମାନେ ଏମିତି କାନ୍ଦଣା କରୁଥିଲେ. ଯେମିତି ମାମଲାର ପ୍ରାଥମିକତା ଭିତ୍ତିରେ ଶୁଣାଣି ନ ହେଲେ ଆକାଶ ଛିଡ଼ି ପଡ଼ିବ।

ଏଥିସହିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଜିର ରାୟ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଜାରି ରହିଥିବା ବିବାଦ ଓ ବିରୋଧାଭାସରେ ଆପାତତଃ ଅନ୍ତ ପଡ଼ିବ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ରହିଛି ଏବଂ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ ହେବ। ତେବେ, ହାଇକୋର୍ଟ ଏହି ନିର୍ମାଣ ଉପରେ ରହିତାଦେଶ ଦେଇନଥିଲେ; ଯାହା ବିରୋଧରେ ଆବେଦନକାରୀମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।

publive-image Odisha News In English

ତୁମ ଇଚ୍ଛା ବିନା ପତ୍ରଟେ ହଲେନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ଦୁଇଟି ସ୍ପେଶାଲ ଲିଭ୍ ପିଟିସନ୍‌କୁ ସର୍ବୋଚ୍ଚ ଅଦାଲତ ଆଜି ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟରରେ ଶ୍ରୀଜଗନ୍ନାଥ ମନ୍ଦିର ଫଟୋ ସେୟାର କରିବା ସହ ଧାଡ଼ିକିଆ କ୍ୟାପସନ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ। ଜୟ ଜଗନ୍ନାଥ।

ଖଣ୍ଡପୀଠ ଅତ୍ୟନ୍ତ ସ୍ପଷ୍ଟ ଭାଷାରେ ଦର୍ଶାଇଛନ୍ତି ଯେ ସରକାରଙ୍କ ଦ୍ବାରା ନିର୍ମାଣାଧୀନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କେବଳ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଖସ୍ବାଚ୍ଛନ୍ଦ୍ୟ ପାଇଁ। ଏହା ପୁରାତନ କୀର୍ତ୍ତିରାଜି ଓ ପ୍ରତ୍ନତତ୍ତ୍ବ ସ୍ଥଳୀ ସୁରକ୍ଷା ପାଇଁ ଥିବା ଆଇନକୁ କୌଣସି ଦିଗରେ ବିରୁଦ୍ଧାଚରଣ କରୁନାହିଁ। କେବଳ ଜଣେ ବ୍ୟକ୍ତି ଯେ ପାଇଖାନା ନିର୍ମାଣ କରିପାରିବେ ଏବଂ ସାଧାରଣ ସ୍ବାର୍ଥ ଦୃଷ୍ଟିରୁ ସରକାର ତାହା କରିପାରିବେ ନାହିଁ- ଏଭଳି ପ୍ରଶ୍ନର ସିଧାସଳଖ ଉତ୍ତର ହେଲା –ନା।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ପ୍ରତ୍ନତାତ୍ତ୍ବିକ କୀର୍ତ୍ତିରାଜିଗୁଡିକ ନଷ୍ଟ ହେଉଛି କିମ୍ବା ନିଖୋଜ ହେଉଛି ବୋଲି ଉଠୁଥିବା ବିରୋଧାଭାସ ସଂପର୍କରେ ଭାରତର ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ କୌଣସି ସ୍ପଷ୍ଟ ମତ ଦେଇନାହାନ୍ତି। ରାଜ୍ୟ ଆଡଭୋକେଟ୍ ଜେନେରାଲ ମଧ୍ୟ ହାଇକୋର୍ଟରେ ଦାଖଲ କରିଥିବା ଜବାବରେ ଏଭଳି ବିପଦ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଣୁ ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣରେ କୌଣସି ରୋକ୍ ଲଗାଇବାର ଯଥାର୍ଥ କାରଣ ଉପୁଜୁନାହିଁ।

କୋର୍ଟ ପଚାରିଛନ୍ତି ଯେ ଭକ୍ତମାନଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ରାଜ୍ୟକୁ ବାରଣ କରାଯାଇପାରିବ କି? ଓଲଟା ଏହି ନିର୍ମାଣ ମୃଣାଳିନୀ ପାଢ଼ୀ ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶର ଅନୁରୂପ ଅଟେ। ଆହୁରି ସ୍ପଷ୍ଟ କରି ଖଣ୍ଡପୀଠ କହିଛନ୍ତି ଯେ ମୃଣାଳିନୀ ପାଢୀ ମାମଲାରେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଯେଉଁ ନିର୍ଦ୍ଦେଶନାମା ଦେଇଥିଲେ, ସେହି ଆଧାରରେ ନିର୍ମାଣାଧୀନ ପରିକ୍ରମା ପ୍ରକଳ୍ପ ଚାଲିଛି ଏବଂ ଏହା ଜନସ୍ବାର୍ଥ ପରିପନ୍ଥୀ ବୋଲି ଆଦୌ କୁହାଯାଇପାରିବ ନାହିଁ।

ତେବେ ଶୁଣାଣି ବେଳେ ଅର୍ଦ୍ଧେନ୍ଦୁ ଶେଖର ଦାସଙ୍କ ଓକିଲ ମହାଲକ୍ଷ୍ମୀ ପଭାନି ଦର୍ଶାଇଥିଲେ ଯେ ପୁରାତନ କୀର୍ତିରାଜି ଓ ପ୍ରତ୍ନତାତ୍ତ୍ବିକ ସ୍ଥଳୀର ନିଷିଦ୍ଧାଞ୍ଚଳ ମଧ୍ୟରେ କୌଣସି ଧରଣର ନିର୍ମାଣ କାର୍ଯ୍ୟ ପାଇଁ ଆମସାର୍ ଆଇନ ଅନୁସାରେ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଏନ୍‌ଓସି ଜରୁରୀ। ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣ ପୂର୍ବରୁ ସେଭଳି କୌଣସି ଅନୁମତି ପାଇନଥିବା ବେଳେ ଏଭଳି ନିର୍ମାଣ ଦ୍ବାରା ଅପୂରଣୀୟ କ୍ଷତି ଘଟୁଛି ବୋଲି ଅନୁସନ୍ଧାନ ରିପୋର୍ଟରେ ଦର୍ଶାଯାଇଥିଲା। ସେହିଭଳି ଦ୍ବିତୀୟ ଆବେଦନକାରୀ ସୁମନ୍ତ କୁମାର ଘଡ଼େଇଙ୍କ ପକ୍ଷରୁ ଆଡଭୋକେଟ୍ ବିନୟ ନଭାରେ ଅନୁରୂପ ଯୁକ୍ତି ଦର୍ଶାଇ କହିଥିଲେ ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ ଯେଉଁଠି ବେଧଡ଼କ ନିର୍ମାଣ ଚାଲିଛି, ସେଠାରେ ଶତାଦ୍ଦୀ ଶତାବ୍ଦୀର ପୁରାତନ କୀର୍ତ୍ତିରାଜି ରହିଛି। ତେଣୁ ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ନିର୍ମାଣ ନ କରିବାକୁ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ଅଧିକାରୀମାନେ ମଧ୍ୟ ସତର୍କ କରାଇଥିଲେ। ବଡ଼ବଡ଼ ମେସିନ୍ ଲଗାଇ ୩୦ ଫୁଟ ଗଭୀରର ଯେଉଁ ଖନନ କାର୍ଯ୍ୟ କରାଯାଇଛି, ତାହା ଦ୍ବାରା ଶ୍ରୀମନ୍ଦିର ଅବିଚ୍ଛେଦ୍ୟ ଅଙ୍ଗ ମେଘନାଦ ପାଚେରିର ପଶ୍ଚିମ ପଟ ପ୍ରତି ବିପଦ ରହିଛି ବୋଲି ଏଏସଆଇ ରିପୋର୍ଟରେ କୁହାଯାଇଛି। ଶ୍ରୀମନ୍ଦିରର କେତେକ ସ୍ଥାନରେ ଫାଟ ମଧ୍ୟ ଦେଖାଗଲାଣି। ମୋଟାମୋଟି ଭାବେ ଏହି ନିର୍ମାଣ ଦ୍ବାରା ତ୍ରୟୋଦଶ ଶତାଦ୍ଦୀର ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ଢାଞ୍ଚା ପ୍ରତି ବିପଦ ଘନାଉଛି ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ।

ଆବେଦନକାରୀଙ୍କ ଯୁକ୍ତି ଓ ଉପସ୍ଥାପନା ଶୁଣିବାପରେ ଖଣ୍ଡପୀଠ ଅମୂଳକ ବୋଲି ଦର୍ଶାଇ ଶେଷରେ ଦୁଇଟିଯାକ ଜନସ୍ବାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe