ସଙ୍କଟରେ ଚିଙ୍ଗୁଡ଼ି ଶିଳ୍ପ: ବିପଦରେ ୧୫ ଲକ୍ଷ ଜୀବିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଦେଶର ସିଫୁଡ୍‌ (ଚିଙ୍ଗୁଡ଼ି) ରପ୍ତାନି ଶିଳ୍ପ ସଙ୍କଟରେ ପଡ଼ିଯାଇଛି। ଏହି‌ କ୍ଷେତ୍ରରେ ନିୟୋଜିତ ୧୫ ଲକ୍ଷ ଲୋକଙ୍କ ଜୀବିକା ଏବେ ବିପଦରେ। ଓଡ଼ିଶା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି।

tara pattnayak

ଭୁବନେଶ୍ବର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଦେଶର ସିଫୁଡ୍‌ (ଚିଙ୍ଗୁଡ଼ି) ରପ୍ତାନି ଶିଳ୍ପ ସଙ୍କଟରେ ପଡ଼ିଯାଇଛି। ଏହି‌ କ୍ଷେତ୍ରରେ ନିୟୋଜିତ ୧୫ ଲକ୍ଷ ଲୋକଙ୍କ ଜୀବିକା ଏବେ ବିପଦରେ। ଓଡ଼ିଶା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ୨୦୨୪-୨୫ରେ ଓଡ଼ିଶା ୪୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି କରିଥିଲା। ତାହାର ଏକ ତୃତୀୟାଂଶ କେବଳ ଆମେରିକାକୁ ପଠାଯାଇଥିଲା। ହଠାତ୍‌ ମାଡ଼ି ଆସିଥିବା ସଙ୍କଟକୁ ନେଇ ସିଫୁଡ୍‌ ରପ୍ତାନିକାରୀ, ମତ୍ସ୍ୟଚାଷୀ ଓ ସରକାର ଚିନ୍ତିତ ହୋଇପଡ଼ିଛନ୍ତି। ଏଭଳି ସମୟରେ ସିଫୁଡ୍‌ ରପ୍ତାନି କ୍ଷେତ୍ରକୁ ଉଦ୍ଧାର ଲାଗି ସିଫୁଡ୍‌ ରପ୍ତାନିକାରୀ ଫାଲ୍‌କନ୍ ମେରାଇନ୍ ଏକ୍ସପୋର୍ଟସ୍‌ର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ତାରାରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଆମେରିକା ଶୁଳ୍କଜନିତ ପ୍ରଭାବରୁ ଚିଙ୍ଗୁଡ଼ି ଶିଳ୍ପ ଓ ଚାଷୀମାନଙ୍କ ଜୀବିକାକୁ ସୁରକ୍ଷା ଦେବା ପାଇଁ ଜରୁରୀକାଳୀନ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି। ସରକାରଙ୍କ ପ୍ରୋକ୍ୟୁରମେଣ୍ଟ୍ କାର୍ଯ୍ୟକ୍ରମରେ ଚିଙ୍ଗୁଡ଼ିକୁ ସାମିଲ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଚିଠି ଲେଖି ସେ କହିଛନ୍ତି ଯେ ସ୍ଥଳସେନା, ଅର୍ଦ୍ଧସାମରିକ ବଳ, ଅନ୍ୟାନ୍ୟ ସରକାରୀ ପୁଷ୍ଟିସାଧନ ଯୋଜନା ଏବଂ କଲ୍ୟାଣକାରୀ ବଣ୍ଟନ କାର୍ଯ୍ୟକ୍ରମରେ ଚିଙ୍ଗୁଡ଼ିକୁ ସାମିଲ କରାଯାଉ। ଏହା ହେଲେ ଦେଶ ଭିତରେ ଚିଙ୍ଗୁଡ଼ି ଚାହିଦା ବଢ଼ିବ ଏବଂ ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭରଶୀଳତା କମ୍ ହୋଇପାରିବ।

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଶିଳ୍ପୋଦ୍ୟୋଗୀ ତାରା ପଟ୍ଟନାୟକ
ସେନାର ଭୋଜନ, ସରକାରୀ ଯୋଜନାରେ ସାମିଲ କରିବାକୁ ପ୍ରସ୍ତାବ

ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି, ଚିଙ୍ଗୁଡ଼ି ସ୍ବାସ୍ଥ୍ୟ ପ୍ରତି ହିତକର। ଏଥିରେ ବିପୁଳ ମାତ୍ରାରେ ପ୍ରୋଟିନ, ଅଳ୍ପ ଫ୍ୟାଟ୍‌ ରହିଛି। ଓମେଗା-୩ ଫ୍ୟାଟି ଏସିଡ୍‌, ଭିଟାମିନ୍ ବି୧୨, ସେଲେନିୟମ୍ ଓ ଆୟୋଡିନ୍ ଭଳି ଲଘୁ ପୋଷକ ତତ୍ତ୍ବ ରହିଛି। ଏ ବିଷୟରେ ସଚେତନତା ଓ ପ୍ରଚାର ଦରକାର। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଚିଙ୍ଗୁଡ଼ି ରପ୍ତାନି ଦ୍ରୁତ ଗତିରେ ବଢ଼ିଛି। ୨୦୦୪-୦୫ ବେଳକୁ ଓଡ଼ିଶାର ଚିଙ୍ଗୁଡ଼ି ରପ୍ତାନି ପରିମାଣ ୩୦୦-୪୦୦ କୋଟି ଟଙ୍କା ମଧ୍ୟରେ ଥିଲା। ୨୦୨୪-୨୫ରେ ତାହା ୪୭୦୦ କୋଟି ଟଙ୍କାରେ ପହଞ୍ଚିଛି। ଏହି ଦୁଇ ଦଶନ୍ଧିରେ ଆମେରିକା, ୟୁରୋପ, ରୁଷ, ଜାପାନ ଓ ଅନ୍ୟାନ୍ୟ ବିକଶିତ ଦେଶକୁ  ଭାରତ ଚିଙ୍ଗୁଡ଼ି ରପ୍ତାନି କରୁଛି। ଦେଶରେ ବର୍ଷକୁ ୯ ଲକ୍ଷ ଟନ୍ ଚିଙ୍ଗୁଡ଼ି ଉତ୍ପାଦନ ହେଉଛି। ଏହା ସାରା ବିଶ୍ବର ଚିଙ୍ଗୁଡ଼ି କାରବାରର ପ୍ରାୟ ୪୦ ପ୍ରତିଶତ। ଏମିତିରେ ବି ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ମଧ୍ୟ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। 

ଶ୍ରୀ ପଟ୍ଟନାୟକ କହିଛନ୍ତି, ଆମେରିକା‌ ବଜାରରେ ଭାରତୀୟ ଚିଙ୍ଗୁଡ଼ିର ପ୍ରତିଦ୍ବନ୍ଦ୍ବୀ ହେଉଛି ଇକ୍ବେଡର। ଏହା ଉପରେ ଆମେରିକା ୧୦% ଶୁଳ୍କ ଲଗାଇଛି। ତେଣୁ ଭାରତୀୟ ଚିଙ୍ଗୁଡ଼ି ସେଠାରେ ପ୍ରତିଦ୍ବନ୍ଦ୍ବିତା କରିପାରିବନି। ଶୁଳ୍କଜନିତ କ୍ଷତି ଭରଣା କରିବା ଲାଗି ବିକଳ୍ପ ବଜାର ଖୋଜିବାକୁ ପଡ଼ିବ।ଏ ପରିସ୍ଥିତିରେ ସିଫୁଡ୍ ଉତ୍ପାଦନକାରୀ ଓ ରପ୍ତାନିକାରୀମାନଙ୍କ ପାଇଁ ସରକାରୀ ସହାୟତା ଏକମାତ୍ର ଭରସା ବୋଲି ସେ ଉଲ୍ଲେଖ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe