ରକ୍ତରେ ଭିଜିଲା ଶୁଲିଆ ପୀଠ

Advertisment
ରକ୍ତରେ ଭିଜିଲା ଶୁଲିଆ ପୀଠ

ବଲାଙ୍ଗୀର/ଦେଓଗାଁ: ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପରମ୍ପରା ଅନୁସାରେ ବଳି ପଡ଼ିଛି। ବିଜ୍ଞାନ ଉପରେ ଶତ ପ୍ରତିଶତ ବିଶ୍ବାସ ରଖିଥିବା ଲୋକେ ବି ଶୁଲିଆ ବୁଢ଼ାର ଶରଣକୁ ଯାଇଛନ୍ତି। ମନସ୍କାମନା ପୂରଣ ପାଇଁ ପୋଢ଼, ବୋଦା ଓ କୁକୁଡ଼ା ବଳି ଚଢ଼ାଇଛନ୍ତି। ସବୁ ବର୍ଷ ଭଳି ଧାର୍ମିକ ଭାବନା ସହ ଜଡ଼ିତ ଏହି ଯାତ୍ରାରେ ଶୁଳିଆ ପୀଠ ରକ୍ତରଞ୍ଜିତ ହୋଇଛି। ପ୍ରଶାସନ ଓ ପୁଲିସ ଉପସ୍ଥିତିରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଓ କୁମୁରିଆ ଖଳାରେ ଶହ ଶହ ପୋଢ଼, ବୋଦା ସମେତ ହଜାରହଜାର କୁକୁଡ଼ା ବଳି ପଡ଼ିଛି। ସୋମବାର ରାତିରେ ନିଶି ପୂଜା ଆରମ୍ଭ ହୋଇଥିଲା। ମଧ୍ୟରାତ୍ରିରୁ ମୁଖ୍ୟ ପୂଜକ ସୋମନାଥ ଦେହେରୀ ପୂଜା ସାମଗ୍ରୀ ଓ ପାଟଖଣ୍ଡା ଧରି ଖଳାକୁ ଯାଇଥିଲେ। ଭୋର୍‌ରେ ସହଯୋଗୀ ଦେହେରୀମାନେ ବଜା ଧରି ପୂଜାସ୍ଥଳକୁ ପହଞ୍ଚିବା ପରେ ମୁଖ୍ୟ ଦେହେରୀକୁ ପାରମ୍ପରିକ ରୀତିନୀତି ଅନୁସାରେ ପତ୍ରରେ ତିଆରି ଖଲିକୁ ପିନ୍ଧିବାକୁ ଦେଇଥିଲେ। ସର୍ବପ୍ରଥମେ ପୂଜାସ୍ଥଳକୁ ନିଆଯାଇଥିବା ପାଟ ବୋଦାକୁ ବଳି ଦିଆଯାଇଥିଲା। ପରେ ଯାତ୍ରା ଖଳାକୁ ଚାରିପଟୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା। ଉଭୟ ଖଳା ଲୋକାରଣ୍ୟ ହୋଇଥିଲା। ଶ୍ରଦ୍ଧାଳୁଙ୍କ ଭିଡ଼ ସହ ଗୋଟିଏ ପରେ ଗୋଟିଏ ପଶୁପକ୍ଷୀଙ୍କ ବଳି ପଡ଼ିଥିଲା। ବଲାଙ୍ଗୀର ଜିଲ୍ଲା ସମେତ ସୁବର୍ଣ୍ଣପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଗାଁରୁ ବାଜା ବଜାଇ ପୋଢ଼ ନେଉଥିବା ଦେଖିବାକୁ ମିଳିଥିଲା। ଖଇରଗୁରା ବ୍ୟତୀତ ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଚନ୍ଦ୍ରପୁର, ଗାଈବାହାଲ ପଞ୍ଚାୟତର ସାଗରପାଲି, ସିଂହାମୁଣ୍ଡା ପଞ୍ଚାୟତର ଘାଟୁଲ ଗାଁରେ ମଧ୍ୟ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଛି। ଶୃଙ୍ଖଳିତ ଯାତ୍ରା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଳ, ତୁଷୁରା ଓ ପୁଇଁନ୍ତଳା ତହସିଲଦାର ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe