ସରକାରଙ୍କ ବଡ଼ ନିଷ୍ପତ୍ତି : ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଆଜି ରାତି ୧୦ଟାରୁ ୬୦ ଘଣ୍ଟିଆ ସଟଡାଉନ୍

Advertisment
ସରକାରଙ୍କ ବଡ଼ ନିଷ୍ପତ୍ତି : ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଆଜି ରାତି ୧୦ଟାରୁ ୬୦ ଘଣ୍ଟିଆ ସଟଡାଉନ୍

ଭୁବନେଶ୍ୱର: କରୋନା ସଂକ୍ରମଣକୁ କେନ୍ଦ୍ରକରି ରାଜ୍ୟର ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ତେଣୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର  ଆଜି ରାତି ୧୦ ଟା ଠାରୁ ଆସନ୍ତା ୨୬ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ, ୬୦ ଘଣ୍ଟା ପାଇଁ ଉପରୋକ୍ତ  ତିନି ଜିଲ୍ଲାରେ ସଂପୂର୍ଣ୍ଣ ସଟଡାଉନ୍‌ ଲାଗୁ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି।

ଏ ସଂପର୍କରେ ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରେ ସମୁଦାୟ ୮୯ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ ୩୩ ଜଣ ହେଉଛନ୍ତି ଏହି ତିନି ଜିଲ୍ଲାର ବାସିନ୍ଦା। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଗତ ୫ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କୁ ବାଦ୍‌ ଦେଲେ ବାକି ୨୮ ଜଣ ହେଉଛନ୍ତି  ପଶ୍ଚିମବଙ୍ଗ ଫେରନ୍ତା।

ତେଣୁ ପରିସ୍ଥିତିର ଗୁରୁତ୍ୱକୁ ଦେଖି ରାଜ୍ୟ ସରକାର ପର୍ବରୁ କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଭୁବନେଶ୍ୱର, କଟକ ଓ ଭଦ୍ରକରେ ଯେପରି ସଂପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରିଥିଲେ ଏବେ ସମାନ ଢ଼ଙ୍ଗରେ ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ୬୦ ଘଣ୍ଟା ପାଇଁ ଏହି ସଂପୂର୍ଣ୍ଣ ସଟ୍‌ଡାଉନ ଘୋଷଣା କରୁଛନ୍ତି। ଏହି ସଂପୂର୍ଣ୍ଣ ସଟ୍‌ଡାଉନକୁ କର୍ଫ୍ୟୁ ସଦୃଶ ପାଳନ କରାଯିବ। ଏବଂ କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ବାଦ୍‌ଦେଲେ ଏହି ତିନି ଜିଲ୍ଲାରେ ସବୁକିଛି ବନ୍ଦ ରହିବ। କୌଣସି ବ୍ୟକ୍ତି ଘରୁ ଗୋଡ଼ କାଢ଼ି ପାରିବେ ନାହିଁ।

ଏଥିସହ ଏହି ୬୦ ଘଣ୍ଟିଆ ସଟ୍‌ଡାଉନ ଅବଧି ମଧ୍ୟରେ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଟିମ୍‌ରେ ବିଭକ୍ତ ହୋଇ ଏହି ତିନି ଜିଲ୍ଲାରେ କଣ୍ଟାକ୍ଟଟ୍ରେସିଂ, ସର୍ଭେଲାନ୍ସ ଓ ନମୁନା ପରୀକ୍ଷଣ ଆଦି କାର୍ଯ୍ୟକୁ ତ୍ୱରାନ୍ଵିତ କରିବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିବା ସହ ଏଥିରେ ସମସ୍ତ ଜିଲ୍ଲାବାସୀ ରାଜ୍ୟ ସରକାରଙ୍କ ସହ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ସମୟରେ ସଂକ୍ରମଣ ଚିହ୍ନଟ ହୋଇଥିବା ଅଂଚଳ ସାନିଟାଇଜ୍ କରାଯିବ, ନମୁନା ପରୀକ୍ଷଣକୁ ୩ ଗୁଣା କରାଯିବ ଏବଂ କଣ୍ଟାକ୍ଟଟ୍ରେସିଂକୁ ଜୋରଦାର ହେବ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଘୋଷଣା ପରେ ରାଜ୍ୟ ପୁଲିସ ଡିଜି ଅଭୟ ଟୁଇଟ୍ କରି ତିନି ଜିଲ୍ଲାର ଜନସାଧାରଣଙ୍କୁ ସଟଡାଉନ୍ ନିୟମ ମାନିବାକୁ ଅନୁରୋଧ କରିଛନ୍ତି। ଯଦି କେହି ଏହାର ଉଲ୍ଲଂଘନ କରନ୍ତି ତେବେ ପୁଲିସ୍ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାଇ ଦେଇଛନ୍ତି ପୁଲିସ ଡିଜି। ଏହି ସମୟ ମଧ୍ୟରେ ଜାତୀୟ ରାଜପଥରେ କେବଳ ମାଲବାହୀ ଯାନ ଚଳପ୍ରଚଳ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe