ଆଇପିଏଲ୍‌ ଦଳରେ ଶୁଭ୍ରାଂଶୁ ସେନାପତି; ୨୦ ଲକ୍ଷ ମୂଳ ଦରରେ କିଣିଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ, ପଞ୍ଚମ ଓଡ଼ିଆ ଭାବେ ସାମିଲ ହେଲେ

ଆଇପିଏଲ୍‌ ଦଳରେ ଶୁଭ୍ରାଂଶୁ ସେନାପତି; ୨୦ ଲକ୍ଷ ମୂଳ ଦରରେ କିଣିଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ, ପଞ୍ଚମ ଓଡ଼ିଆ ଭାବେ ସାମିଲ ହେଲେ

ଭୁବନେଶ୍ବର : ଓଡ଼ିଶା କ୍ରୀଡ଼ା ପାଇଁ ରବିବାର ମିଳିଛି ବହୁ ପ୍ରତୀକ୍ଷିତ ଖୁସି ଖବର। ପ୍ରାୟ ଗୋଟିଏ ଦଶନ୍ଧି ପରେ ଜଣେ ଓଡ଼ିଆ ଖେଳାଳିଙ୍କୁ ଆଇପିଏଲ୍‌ ଦଳରେ ମିଳିଛି ସୁଯୋଗ। ‌କେନ୍ଦୁଝର ଜନ୍ମିତ ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ତାଙ୍କ ମୂଳ ଦର ୨୦ ଲକ୍ଷରେ କିଣି ନେଇଛି। ରବିବାର ବେଙ୍ଗାଲୁରୁରେ ଶେଷ ହୋଇଥିବା ଟାଟା ଆଇପିଏଲ୍‌ ମେଗା ନିଲାମର ଦ୍ବିତୀୟ ଦିବସରେ ଶୁଭ୍ରାଂଶୁଙ୍କୁ ନେବା ପାଇଁ ଚେନ୍ନାଇ ସୁପର୍ କିଙ୍ଗ୍ସ ଆଗ୍ରହ ଦେଖାଇଥିଲା। ଫଳରେ ନିଜ ସ୍ବପ୍ନର ଦଳ ତଥା ମହେନ୍ଦ୍ର ସିଂହ ଧୋନିଙ୍କ ଅଧୀନରେ ଆଇପିଏଲ୍‌ ଜୀବନ ଆରମ୍ଭ କରିବାକୁ ଶୁଭ୍ରାଂଶୁ ଯେଉଁ ଇଚ୍ଛା ପ୍ରକଟ କରିଥିଲେ ତାହା ବାସ୍ତବ ରୂପ ନେବାକୁ ଯାଉଛି।

୨୫ ଜଣିଆ ଦଳରେ ଶୁଭ୍ରାଂଶୁଙ୍କୁ ସୁଯୋଗ ମିଳିବା ପରେ ଏବେ ଚୂଡାନ୍ତ ଏକାଦଶରେ ସାମିଲ ହେବା ଲକ୍ଷ୍ୟରେ ରହିବେ ଏହି ବ୍ୟାଟର୍‌। ଖେଳିବାର ସୁଯୋଗ ପାଇଲେ ପଞ୍ଚମ ଓଡ଼ିଆ ଭାବେ‌ ଗୌରବ ଅର୍ଜନ କରିବେ। ପୂର୍ବରୁ ୱିକେଟରକ୍ଷକ ବ୍ୟାଟର୍‌ ହଳଧର ଦାସ, ଅଲରାଉଣ୍ଡର୍‌ ବିପ୍ଳବ ସାମନ୍ତରାୟ, ଅଭିଷେକ ରାଉତ ଏବଂ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ଓଡ଼ିଆ ଭାବେ ଆଇପିଏଲ୍‌ ଖେଳିବାର କୃତିତ୍ବ ରଖିଛନ୍ତି। କିନ୍ତୁ ୨୦୧୫ରେ ପ୍ରଜ୍ଞାନ ଓଝା ଶେଷ ଆଇପିଏଲ୍ ଖେଳିବା ପରଠାରୁ କୌଣସି ଓଡ଼ିଆ ସ୍ଥାନ ପାଉନଥିଲେ।। କୋଭିଡ୍ ପରିସ୍ଥିତି ସତ୍ତ୍ବେ ଗତବର୍ଷ ଖେଳାଯାଇଥିବା ସୟଦ ମୁସ୍ତାକ ଅଲୀ ଟି-୨୦ ଏବଂ ବିଜୟ ହଜାରେ ଟ୍ରଫିରେ ଶୁଭ୍ରାଂଶୁ ପ୍ରଭାବୀ ପ୍ରଦର୍ଶନ କରି ଚୟନକର୍ତାଙ୍କ ନଜରକୁ ଆସିଥିଲେ। ଏହା ପରେ ମହେନ୍ଦ୍ର ସିଂହ ଧୋନିଙ୍କ ପରାମର୍ଶ କ୍ରମେ ଶୁଭ୍ରାଂଶୁ ସିଏସ୍‌କେର ଟ୍ରାଏଲ୍‌ରେ ମଧ୍ୟ ଫ୍ରାଞ୍ଚାଇଜ୍‌ର ପ୍ରଶିକ୍ଷକମଣ୍ଡଳିଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇ ନିଜ ‌ଖେଳ ଜୀବନରେ ବଡ଼ ପାଦ ଆଗକୁ ବଢ଼ାଇଛନ୍ତି।

କନିଷ୍ଠ ବର୍ଗରୁ ପ୍ରଭାବିତ କରି ଆସିଥିବା ଶୁଭ୍ରାଂଶୁ କେନ୍ଦୁଝର ଜିଲ୍ଲା ଓ ଓଡ଼ିଶା ୧୯ ବର୍ଷରୁ କମ୍‌ ଦଳର ନେତୃତ୍ବ ନେବା ପରେ ଏବେ ରଣଜୀ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ୨୦୧୬ରେ ରଣଜୀ ପଦାର୍ପଣ କରି ଅଦ୍ୟାବଧି ୩୪ ପ୍ରଥମ ଶ୍ରେଣୀ ମ୍ୟାଚ୍‌, ୩୨ ଲିଷ୍ଟ୍ ‘ଏ’ ଏବଂ ୨୬ ଟ୍ବେଣ୍ଟି-୨୦ ଖେଳିଛନ୍ତି। ୨୫ ବର୍ଷୀୟ ଡାହାଣହାତୀ ବ୍ୟାଟର୍‌ ମଧ୍ୟ ମଧ୍ୟମଗତି ବୋଲିଂ କରିବା ଦକ୍ଷତା ରଖିଛନ୍ତି। ୨୦୧୬-୧୭ରେ ରଣଜୀ ପଦାର୍ପଣ କରିବା ପରେ ରାଜ୍ୟ ପାଇଁ ଲଗାତାର ଦୁଇଟି ଋତୁ ଅଗ୍ରଣୀ ରନ୍‌ ସ୍କୋରର୍‌ ହୋଇଥିଲେ। ତୃତୀୟ ଋତୁରେ ସେ ଖୁବ୍ କମ ବୟସରେ ଓଡ଼ିଶା ଦଳର ନେତୃତ୍ବ ସମ୍ଭାଳିଥିଲେ। ବେଶ ପରିପକ୍ବ ଓ ବଡ଼ ସ୍ବପ୍ନ ଦେଖୁଥିବା ଏହି ଭଦ୍ର କ୍ରିକେଟର୍‌ ଆଗକୁ ବଢ଼ିବେ ବୋଲି ବିଶ୍ବାସ ବି ଦେଇଥିଲେ। ଗତ ଡିସେମ୍ବରରେ ବିଜୟ ହଜାରେ ଟ୍ରଫିର ୫ ପାଳି‌ରୁ ୬୮.୭୫ ହାରରେ ମୋଟ ୨୭୫ ରନ୍‌ ସଂଗ୍ରହ କରିବା ତାଙ୍କ ଖେଳ ଜୀବନର ଟର୍ଣ୍ଣି ପଏଣ୍ଟ ଥିଲା। ଆନ୍ଧ୍ରପ୍ରଦେଶ ବିପକ୍ଷରେ ଶତକ ଜମାଇଥିଲେ। ଶକ୍ତିଶାଳୀ ତାମିଲନାଡୁ ବିପକ୍ଷରେ ୪୭ ବଲ୍‌ରୁ ୬୭ ରନ୍‌ କରିବା ମଧ୍ୟ ଅନେକଙ୍କୁ ପ୍ରଭାବିତ କରିଥିଲା। ଚେନ୍ନାଇ ସୁପର୍‌ କିଙ୍ଗ୍ସ ସହ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ତାଙ୍କୁ ଟ୍ରାଏଲ୍ସକୁ ଡାକିଥିଲା। ସିଏସ୍‌କେ ଟ୍ରାଏଲ୍ସରେ ଲକ୍ଷ୍ମୀପତି ବାଲାଜୀ, ଅରୁଣ କାର୍ତ୍ତିକ, ଅମ୍ବାତି ରାୟୁଡୁ ପ୍ରମୁଖ ଶୁଭ୍ରାଂଶୁଙ୍କ ବ୍ୟାଟିଂକୁ ପରଖିବା ପରେ ଏବେ ଏହାର ଫଳ ମିଳିଛି।

ଓଡ଼ିଶା କ୍ରିକେଟ୍‌ ସଂଘ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସଂପାଦକ ସଞ୍ଜୟ ବେହେରା ଶୁଭ୍ରାଂଶୁଙ୍କୁ ଅଭିନନ୍ଦନ ଜଣାଇବା ସହ ଚେନ୍ନାଇ ସୁପର କିଙ୍ଗ୍‌ସକୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe