FAVPNG.com
ବରଗଡ଼ : ବରଗଡ଼ ଜିଲ୍ଲାରେ ଶିକ୍ଷାର ବିକାଶ ଏବଂ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମାନର ଶିକ୍ଷାଦାନ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କିନ୍ତୁ ମାଟ୍ରିକ୍ ପରୀକ୍ଷାର ଫଳାଫଳ ଦେଖିଲେ ଦ୍ବନ୍ଦ୍ବ ଥିବା ପରିସଂଖ୍ୟାନ ସାମନାକୁ ଆସୁଛି। ଜିଲ୍ଲାରେ ଏଥର ମାଟ୍ରିକ୍ ପାସ୍ ହାର ଉନ୍ନତ ରହିଥିଲା। କିନ୍ତୁ ପରୀକ୍ଷା ଫଳକୁ ତର୍ଜମା କଲେ ମେଧାବୀଙ୍କ ସଂଖ୍ୟା କମିଛି।
ଚଳିତ ଥର ଜିଲ୍ଲାର ପାସ୍ ହାର ୯୭.୨୨ ପ୍ରତିଶତ ରହିଥିଲା। ଗତଥରର ପାସ୍ ହାର ଥିଲା ୯୦.୭୮ ପ୍ରତିଶତ। ୩୧୮ଟି ସ୍କୁଲ୍ରେ ଏଥର ୧୭୫୭୩ ପିଲା ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୭୦୭୮ଜଣ ପିଲା ପାସ୍ କରିଥିଲେ। ୧୦୫ଜଣ ଏ-୧, ୮୦୧ଜଣ ଏ-୨, ୨୬୯୯ଜଣ ବି-୧, ୪୪୧୩ ଜଣ ବି-୨ ଗ୍ରେଡ୍ ପାଇଥିଲେ। କିନ୍ତୁ ଗତବର୍ଷ ଜିଲ୍ଲାରେ ମୋଟ୍ ୧୯୮୫୫ ଜଣ ଫର୍ମ ପୂରଣ କରିଥିବା ବେଳେ ୧୭୮୪୨ ଜଣ ପାସ୍ କରିଥିଲେ। ୨୭୯ ଜଣ ଏ-୧, ୧୮୨୪ଜଣ ଏ-୨ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଗତଥରର ଏ-୧, ଏ-୨ ସଂଖ୍ୟାଠାରୁ ଏଥର ସଂଖ୍ୟା ଢେର କମ୍ ରହିଛି। ଅର୍ଥାତ, ମେଧାବୀ ଛାତ୍ରଛାତ୍ରୀ ସଂଖ୍ୟା କମିଛି।
ଅନ୍ୟପକ୍ଷରେ ସରକାରୀ ସ୍କୁଲରୁ କାଁ ଭାଁ ପିଲା ଏ-୧ ଗ୍ରେଡ୍ ହାସଲ କରୁଛନ୍ତି। ଯାହା ଅଭିଭାବକଙ୍କ ଚିନ୍ତା ବଢ଼ାଇଛି।
ପୂର୍ବରୁ ସରକାରୀ ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାବ୍ୟାପୀ ଚିହ୍ନଟ କରିବା ସହ ମାଟ୍ରିକ୍ ପରୀକ୍ଷା ପାଇଁ ସେମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଇବା ପାଇଁ ‘ସାଇନିଂ ଷ୍ଟାର୍’ ନାମରେ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିଲା। ଏହି ଯୋଜନାରେ ସ୍ବତନ୍ତ୍ର ଶିବିର କରି ପିଲାଙ୍କୁ ଅଭିଜ୍ଞ ସାଧନକର୍ମୀଙ୍କ ଜରିଆରେ ତାଲିମ ଦିଆଯାଉଥିଲା। ଯଦ୍ବାରା ମାଟ୍ରିକ୍ରେ ପିଲାଙ୍କ ପ୍ରଦର୍ଶନ ବି ଉନ୍ନତ ରହୁଥିଲା ଏବଂ ମେଧାବୀଙ୍କ ସଂଖ୍ୟା ବଢ଼ୁଥିଲା। କିନ୍ତୁ ଏହି ଯୋଜନା ବନ୍ଦ ହେବା ପରେ ସ୍କୁଲର ସ୍ବାଭାବିକ ପାଠପଢ଼ା ଉପରେ ହିଁ ପିଲା ନିର୍ଭରଶୀଳ। ତେଣୁ ସେହି ଆଧାରରେ ହିଁ ଫଳାଫଳ ମାଟ୍ରିକ୍ରେ ମିଳୁଛି। କିନ୍ତୁ ଜିଲ୍ଲା ଶିକ୍ଷା ବିଭାଗ ‘ସାଇନିଂ ଷ୍ଟାର୍ ଭଳି କିଛି କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ବି ଚିନ୍ତା କରୁନାହିଁ।
ଗତବର୍ଷ ଅଗଷ୍ଟ ୧୫ ତାରିଖରୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ପରିକଳ୍ପନାରେ ‘ବିଜେତା’ ନାମକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯେଉଁଥିରେ ପ୍ରାୟ ସମସ୍ତ ୫-ଟି ସ୍କୁଲ୍କୁ ସାମିଲ କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କୁ ବୌଦ୍ଧିକ ଶିକ୍ଷା ଦିଆଯିବା ସହ କ୍ରୀଡ଼ା, ବକ୍ତୃତା, ପ୍ରବନ୍ଧ ଲିଖନ, ନୃତ୍ୟ, ଗୀତ ଆଦିର ତାଲିମ ଦେବା ଉପରେ ଗୁରୁତ୍ବ ଦିଆଯାଉଛି। ଏହି କାର୍ଯ୍ୟକ୍ରମକୁ ସ୍ବାଗତ କରାଯିବା ସହ ପ୍ରଶଂସା ବି ମିଳୁଛି। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ଲାଗିପଡ଼ିଛି। ଅଥଚ ମେଧାବୀ ପିଲା ସୃଷ୍ଟି ପାଇଁ କିଛି ସ୍ବତନ୍ତ୍ର ପ୍ରୟାସ ନହେବା ବୁଦ୍ଧିଜୀବୀଙ୍କୁ ନିରାଶ କରିଛି।
Follow Us