ସିକିଲସେଲ୍‌ ରୋଗୀଙ୍କୁ ଥାର୍ଡ ଡିଗ୍ରୀ ଘଟଣା: ଆହତ ଚିନ୍ମୟକୁ ପୁଲିସର ପଚରାଉଚୁରା, ବଢ଼ିଲା ଥାନା ଅଧିକାରୀଙ୍କ ଅଡୁଆ

Advertisment
ସିକିଲସେଲ୍‌ ରୋଗୀଙ୍କୁ ଥାର୍ଡ ଡିଗ୍ରୀ ଘଟଣା: ଆହତ ଚିନ୍ମୟକୁ ପୁଲିସର ପଚରାଉଚୁରା, ବଢ଼ିଲା ଥାନା ଅଧିକାରୀଙ୍କ ଅଡୁଆ

ରାଉରକେଲା: ବଣାଇ ଥାନାରେ ସିକିଲ୍‌ସେଲ ରୋଗୀ ଚିନ୍ମୟ କୁମାର ସାହୁଙ୍କୁ ଥାନା ଅଧିକାରୀଙ୍କ ମାଡ଼ ଘଟଣାକୁ ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୋ ଗୁରୁତର ସହ ‌ନେଇଛନ୍ତି। ଆଜି ଚିନ୍ମୟଙ୍କ ମା’ ଓ ସମ୍ପର୍କୀୟ ଏସ୍‌ପିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଲେ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ଏସ୍‌ପି ଶ୍ରୀ ଭାମୋ ଚିନ୍ମୟ ମା’ଠାରୁ ସମସ୍ତ କଥା ଶୁଣିଥିଲେ। ତଦନ୍ତ ପରେ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ପୁଲିସ ସଂଧ୍ୟାରେ ଆର୍‌ଜିଏଚ୍‌ରେ ଭର୍ତ୍ତି ହୋଇଥିବା ଚିନ୍ମୟଙ୍କ ପାଖରେ ପହଞ୍ଚିଥିଲେ। ଥାନା ଅଧିକାରୀଙ୍କ ମାଡ଼ ଘଟଣା ସଂକ୍ରାନ୍ତରେ ଚିନ୍ମୟ ଓ ତାଙ୍କ ମା’ ସେବତୀଙ୍କୁ ପ୍ରାୟ ୧୫ ମିନିଟ୍‌ ପଚରାଉଚୁରା କରିଥିଲେ।

କେବଳ ଏତକି ନୁହେଁ ବଣାଇଁ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ, ସବ୍‌ ଇନ୍ସପେକ୍ଟରଙ୍କ ସମେତ ୧୦ରୁ ଅଧିକ ପୁଲିସଙ୍କ ଫଟୋ ଚିନ୍ମୟଙ୍କୁ ଦେଖାଇ ଚିହ୍ନଟ କରିବାକୁ କହିଥିଲେ। ଏମାନଙ୍କୁ ମଧ୍ୟରୁ କିଏ ଚିନ୍ମୟଙ୍କୁ ଚପଲ ଦୋକାନରୁ ଉଠାଇ ନେଇଥିଲେ ? ଥାନାରେ କିଏ ମାଡ଼ ମାରିଥିଲେ ? ସେମାନଙ୍କ ଫଟୋ ଚିହ୍ନଟ କରିବାକୁ ଚିନ୍ମୟଙ୍କୁ କହିଥିଲେ। ଚିନ୍ମୟ ମାଡ଼ ମାରିଥିବା ଥାନା ଅଧିକାରୀ ଓ ଦୋକାନରୁ ଉଠାଇଥିବା ସବ୍‌ଇନ୍ସପେକ୍ଟରଙ୍କ ଫଟୋ ଚିହ୍ନଟ କରିଥିଲେ। ପରେ ପୁଲିସ ଟିମ୍‌ ଚିନ୍ମୟଙ୍କ ଜଙ୍ଘ ପଛରେ ହୋଇଥିବା ମାଡ଼ ଚିହ୍ନର ଫଟୋ ଉଠାଇବା ସହ କିଛି ଗୁରୁତ୍ବପୂର୍ଣ୍ଣ ବୟାନ ସଂଗ୍ରହ କରିଥିଲେ। ନ୍ୟାୟ ପାଇ ଗତ ଦୁଇ ଦିନ ଧରି ଚିନ୍ମୟଙ୍କ ମା ଓ ସମ୍ପର୍କୀୟ ଏସ୍‌ପିଙ୍କ ଅଫିସକୁ ଯାଇଥିଲେ। ଏସ୍‌ପି ନଥିବାରୁ ଫେରି ଆସିଥିଲେ।

ଉଲ୍ଲେଖଯୋଗ୍ୟ, ଏକ ଚୋରି ମାମଲା ସନ୍ଦେହରେ ସିକିଲସେଲ୍‌ ରୋଗୀ ଚିନ୍ମୟ ସାହୁଙ୍କୁ ନିସ୍ତୁକ ମାଡ଼ ମାରିଥିବା ଗୁରୁତର ଅଭିଯୋଗ ହୋଇଥିଲା। ତା’ ପୁଣି ୫ କି ୧୦ ଲାଠି ନୁହେଁ, ୨୦ରୁ ୩୦ ଲାଠିର ନିସ୍ତୁକ ପ୍ରହାର! ଲାଠି ପ୍ରହାର ପରେ ଯୁବକଙ୍କୁ ରାତି ପ୍ରାୟ ୧୦ଟାରେ ଧମକ ଚମକ ଦେଇ ଥାନାକୁ ବିଦା କରି ଦିଆ ଯାଇଥିଲା। ମାଡ଼ଖାଇ ପରେ ସିକିଲସେଲ୍‌ ରୋଗରେ ଆକ୍ରାନ୍ତ ଏହି ଅସୁସ୍ଥ ଯୁବକଙ୍କ ଅବସ୍ଥା ଆହୁରି ଗୁରୁତର ହୋଇ ଯାଇଥିଲା। ତାଙ୍କ ପଛପାର୍ଶ୍ବ ଦୁଇ ଜଙ୍ଘକୁ ଲାଠିରେ ନିସ୍ତୁକ ମାଡ଼ ମରାଯାଇଥିବାରୁ ଗୁରୁତର ଅବସ୍ଥାର ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ଅଯୋଗ ଅନୁସାରେ, ବଣାଇ ଥାନା ଅନ୍ତର୍ଗତ ନରେନ୍ଦ୍ରରେ ରହନ୍ତି ଚିନ୍ମୟ କୁମାର ସାହୁ। ସେ ନରେନ୍ଦ୍ର ବଜାରର ଏକ ଚପଲ ଦୋକାନରେ କାମ କରୁଥିଲେ। ଉକ୍ତ ଚପଲ ଦୋକାନରେ କାମ କରୁଥିଲେ, ତେବେ ସନ୍ଧ୍ୟାରେ ବଣାଇଁ ଥାନାବାବୁଙ୍କ ଗାଡି ସେ କାମ କରୁଥିବା ଚପଲ ଦୋକାନରେ ପହଞ୍ଚିଥିଲା। ଜଣଙ୍କ ଘରୁ ‌ସୁଇଚ୍‌ ବୋର୍ଡ ଚୋରି ସନ୍ଦେହରେ ତାଙ୍କୁ ପୁଲିସ ଥାନାକୁ ଉଠାଇ ନେଇଥିଲା। ଥାନା ପଛପାର୍ଶ୍ବରେ ତାଙ୍କୁ ଚୋରି ସଂକ୍ରାନ୍ତରେ ଜେରା କରା ଯାଇଥିଲା। ସେ ସୁଇଚ୍‌ ବୋର୍ଡ ଚୋରି କରି ନଥିବା କହିଥିଲେ। କିନ୍ତୁ ଥାନା ବାବୁ ତାଙ୍କର କୌଣସି କଥାକୁ ଶୁଣି ନଥିଲେ। ହାତରେ ଧରିଥିବା ଲାଠିରେ ତାଙ୍କ ପଛପାର୍ଶ୍ବ ଜଙ୍ଘକୁ ୨୦- ୩୦ ଶକ୍ତ ପ୍ରହାର ଦେଇଥିଲେ। କାକୁତିମିନତି ହୋଇଥିଲେ ହେଁ ଥାନାବାବୁ ତାଙ୍କ କଥାକୁ ଆଦୌ ଶୁଣି ନଥିଲେ, ଲାଠି ପରେ ଲାଠି ମାରିଚାଲିଥିଲେ। ଏସବୁ ଘଟିବା ପରେ ତାଙ୍କୁ ଥାନାବାବୁଙ୍କ ଚାମ୍ବରକୁ ଡକା ଯାଇଥିଲା। ଏହି ବିଷୟରେ କାହାକୁ କିଛି ନ କହିବାକୁ ଥାନାବାବୁ ତାଙ୍କୁ ଧମକଚମକ ଦେଇ ଥାନାରୁ ବିଦା କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe