ଢିଙ୍କିଆରେ ଆତଙ୍କର ନିରବତା

Advertisment

ଦିଲ୍ଲୀ ଗବେଷକ ଦଳଙ୍କ ଅଭିଯୋଗ: ଏମଓୟୁ ନେଇ ଏତେ ରହସ୍ୟ କାହିଁକି? ଢିଙ୍କିଆରେ ଗାଁ ବାହାରେ କାହିଁକି ରହିଛି ବୁଥ୍‌?

ଦିଲ୍ଲୀ ଗବେଷକ ଦଳଙ୍କ ଅଭିଯୋଗ: ଏମଓୟୁ ନେଇ ଏତେ ରହସ୍ୟ କାହିଁକି? ଢିଙ୍କିଆରେ ଗାଁ ବାହାରେ କାହିଁକି ରହିଛି ବୁଥ୍‌?

ଢିଙ୍କିଆରେ ଆତଙ୍କର ନିରବତା

ଭୁବନେଶ୍ବର : ଢିଙ୍କିଆରେ ଛାଇ ରହିଛି ଆତଙ୍କର ନିରବତା। ଏଠାରେ କମ୍ପାନିର ଏଜେଣ୍ଟ ସାଜିଛି ପୁଲିସ। ସ୍ଥିତି ଏଭଳି ହୋଇଛି ଯେ ପୁଲିସ ଉପସ୍ଥିତି ସତ୍ତ୍ବେ ଅସାମାଜିକ ବ୍ୟକ୍ତିମାନେ ତଥ୍ୟ ଅନୁସନ୍ଧାନ କରିବାକୁ ଯାଇଥିବା ଦିଲ୍ଲୀର ପ୍ରଫେସର ଏବଂ ଗବେଷକଙ୍କୁ କାର୍ଯ୍ୟ କରାଇ ଦେଇନଥିଲେ। ଭୁବନେଶ୍ବରସ୍ଥିତ ଲୋହିଆ ଏକାଡେମିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ଜେଏନୟୁର ସହଯୋଗୀ ପ୍ରଫେସର ଡ. ବିକାଶ ବାଜପେୟୀ, ଦିଲ୍ଲୀ ବିଶ୍ବବିଦ୍ୟାଳୟ ସହକାରୀ ପ୍ରଫେସର ସଚିନ ଏନ ଏବଂ ଜେଏନୟୁ ପିଏଚଡି ଗବେଷକ ପଙ୍କଜ କୁମାର।

ସେମାନେ କହିଛନ୍ତି, କିଛି ଦିନ ପୂର୍ବରୁ ଢିଙ୍କିଆରେ ପୁଲିସର ଲାଠିମାଡ଼ ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ପଢିବା ପରେ ସେମାନେ ତଥ୍ୟ ଅନୁସନ୍ଧାନ ପାଇଁ ଆସିଥିଲେ। ମାତ୍ର ପ୍ରଥମେ ସେମାନଙ୍କୁ ଗାଁରେ ପୂରାଇ ଦିଆଯାଇନଥିଲା। ଆଲୋଚନା ପରେ ସେମାନଙ୍କୁ ଗାଁ ଭିତରକୁ ଛଡ଼ା ଯାଇଥିଲେ ମଧ୍ୟ ଗାଁର କିଛି ବ୍ୟକ୍ତି ସେମାନଙ୍କ ସାଥୀରେ ରହିଥିଲେ। ଏହି ସମୟରେ କାହା ସହିତ କଥା ହେବାର ସୁଯୋଗ ନଥିଲା। ଏପରି ଅନୁଭବ ଥିଲା ସତେ ଯେମିତି ଏହି ଗାଁଟି ଭାରତରେ ନୁହେଁ ଆଉ ଏକ ଗଣରାଜ୍ୟର ଅନ୍ତର୍ଭୁକ୍ତ। ସାମାନ୍ୟ କୌଣସି ପ୍ରଶ୍ନରେ ତାଙ୍କ ସହିତ ଯାଉଥିବା ବ୍ୟକ୍ତି ଜଣକ ଉତ୍‌କ୍ଷିପ୍ତ ହୋଇଯାଉଥିଲେ। ପୂର୍ବରୁ ପୋସ୍କୋ ଏଠାରେ କାରଖାନା ପ୍ରତିଷ୍ଠା କରିବାକୁ ଯାଉଥିଲା। ବର୍ତ୍ତମାନ ଆଉ ଏକ କମ୍ପାନି ଆସିଛି। ମାତ୍ର ଏସଂକ୍ରାନ୍ତରେ ଏମଓୟୁ(ଚୁକ୍ତିନାମା) ମିଳୁ ନାହିଁ। ଏହା କାହିଁକି ଏତେ ରହସ୍ୟଜନକ ତାହା ବୁଝା ପଡ଼ୁନାହିଁ। ରାଜ୍ୟରେ ପାରାଦୀପ ବନ୍ଦର ରହିଛି, ଏହା ସତ୍ତ୍ବେ ନିକଟରେ ଆଉ ଏକ ବନ୍ଦରର ଅଭିପ୍ରାୟ କ’ଣ ରହିଛି। ଏହାଛଡ଼ା ଏତେ ସଂଖ୍ୟାରେ ପୁଲିସ ଫୋର୍ସର ଉପସ୍ଥିତି ଏବଂ କାର୍ଯ୍ୟାନୁଷ୍ଠାନ ଆଶ୍ଚର୍ଯ୍ୟଜନକ। ଗାଁରେ ବୁଲିବା ବେଳେ କୌଣସି ପୁରୁଷଙ୍କୁ ଦେଖିବାକୁ ମିଳିନଥିଲା। ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଢିଙ୍କିଆର ଏହି ସ୍ଥିତିକୁ ନେଇ ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ଜଣାଇଛନ୍ତି।

ଢିଙ୍କିଆରେ ଗାଁ ବାହାରେ କାହିଁକି ରହିଛି ବୁଥ୍‌?
ପଞ୍ଚାୟତ ନିର୍ବାଚନ ପାଇଁ ଢିଙ୍କିଆରେ ପ୍ରତିଥର ୬ଟି ଭୋଟଦାନ କେନ୍ଦ୍ର ରହିଥାଏ। ଚଳିତ ଥର ଗୋଟିଏ ମଧ୍ୟ କରାଯାଇ ନାହିଁ। ଲୋକେ ଯେପରି କେନ୍ଦ୍ରକୁ ଯାଇପାରିବେ ନାହିଁ ସେଥିପାଇଁ ଗାଁ ବାହାରେ ବୁଥ୍‌ ବ୍ୟବସ୍ଥା କରାଯାଇଛି। ଯାହାକି ଅଗଣତାନ୍ତ୍ରିକ ବୋଲି ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ବରିଷ୍ଠ ସାମ୍ବାଦିକ ରବି ଦାସ ଏବଂ ଲୋହିଆ ଏକାଡେମି ସମ୍ପାଦକ ଦେବପ୍ରସାଦ ରାୟ କହିଛନ୍ତି। ଏହି ଦଳ ମଧ୍ୟ ଅଲଗା ଭାବରେ ଢିଙ୍କିଆ ଯାଇଥିବାବେଳେ ସେଠାରେ ଉପସ୍ଥିତ ଅସାମାଜିକ ବ୍ୟକ୍ତି ସେମାନଙ୍କୁ ଗାଁରେ ପୂରାଇ ଦେଇନଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ଦଳ ଜଗତସିଂହପୁର ଏସପିଙ୍କୁ ଦାୟୀ କରିଛନ୍ତି। ବିଭିନ୍ନ ସମୟରେ ଲୋକଙ୍କୁ ଧମକ ଦିଆଯିବା ସହିତ ଥାନାରେ ଅଟକ ରଖାଯାଉଛି। ମହିଳା ଏବଂ ଝିଅମାନେ ମଧ୍ୟ ଏଥିରେ ବାଦ୍‌ ପଡ଼ୁ ନାହାନ୍ତି। ଏପରିକି ୮ ତାରିଖ ରାତିରେ ମିଥ୍ୟା ଅଭିଯୋଗରେ ନିର୍ମଳା ଦାସ ଏବଂ ତାଙ୍କର ୧୮ ବର୍ଷୀୟା ଝିଅଙ୍କୁ ପୁଲିସ ଉଠାଇ ନେଇଥିଲା। ବିନା ସମ୍ମତିରେ ଅନେକ ପାନବରଜ ଭାଙ୍ଗି ଦିଆଯାଇଛି। ଅନେକ ବ୍ୟକ୍ତି ଏଥିପାଇଁ ଘରକୁ ଫେରିପାରୁନଥିବା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe