ଅନୁଗୁଳ ସଂସ୍କରଣର ରୌପ୍ୟ ଜୟନ୍ତୀ: ବିକାଶ ପାଇଁ ବିତର୍କ ଆରମ୍ଭ, ଗୋଟିଏ ମଞ୍ଚରେ ଏକାଠି ବସି ଆଲୋଚନା କଲେ ୫ ବିଧାୟକ

‘ଅନୁଗୁଳ ଜିଲ୍ଲାକୁ ବିଧାତା ଅନେକ କିଛି ଦେଇଛି। ଓଡ଼ିଶାର ଦୁଇ ବଡ଼ନଦୀ ମହାନଦୀ, ବ୍ରାହ୍ମଣୀ ଏହି ଜିଲ୍ଲା କୋଳରେ ବହିଯାଇଛି। ବ୍ୟାପକ ଜଙ୍ଗଲ ପରିବେଷ୍ଟିତ ଏ ଜିଲ୍ଲାର ମାଟି ତଳେ ପ୍ରଚୁର କଳାହୀରା ରହିଛି।

hfhhfvbvb

ଅନୁଗୁଳ: ‘ଅନୁଗୁଳ ଜିଲ୍ଲାକୁ ବିଧାତା ଅନେକ କିଛି ଦେଇଛି। ଓଡ଼ିଶାର ଦୁଇ ବଡ଼ନଦୀ ମହାନଦୀ, ବ୍ରାହ୍ମଣୀ ଏହି ଜିଲ୍ଲା କୋଳରେ ବହିଯାଇଛି। ବ୍ୟାପକ ଜଙ୍ଗଲ ପରିବେଷ୍ଟିତ ଏ ଜିଲ୍ଲାର ମାଟି ତଳେ ପ୍ରଚୁର କଳାହୀରା ରହିଛି। ଏଠାରୁ କୋଇଲାରୁ ଉତ୍ପାଦିତ ବିଦ୍ୟୁତ୍‌ ଦେଶର ଅନେକ ଅଞ୍ଚଳକୁ ଆଲୋକିତ କରୁଛି। ବଡ଼ ବଡ଼ ଶିଳ୍ପ ସଂସ୍ଥା ଏଠାରେ କାରଖାନା ବସାଇବାକୁ ପ୍ରତିଯୋଗିତା କରୁଛନ୍ତି। ଏକଦା ଏହି ଅଞ୍ଚଳ ଓଡ଼ିଶାର ରାଜଧାନୀ ପାଇଁ ମଧ୍ୟ ଦାବିଦାର ଥିଲା। ଶିଳ୍ପ ହେଉ, ମନା ନାହିଁ। ଏହା ଆଜିର ଦିନରେ ଆବଶ୍ୟକତା ମଧ୍ୟ। କିନ୍ତୁ ଅନୁଗୁଳକୁ ପ୍ରଦୂଷଣ ଆକ୍ତାମାକ୍ତା କଲାଣି। ଭୂତଳ ଜଳସ୍ତର ଉଦ‌୍‌ବେଗଜନକ ଭାବେ ହ୍ରାସ ପାଉଛି। ଜଙ୍ଗଲକୁ ଅବିଚାରିତ ଭାବେ କାଟିଦିଆଯାଉଛି। ଏସବୁ ପ୍ରସଙ୍ଗ ଉପରେ ବିତର୍କ ଓ ବିଚାର ଆଲୋଚନାର ସମୟ ଆସିଛି। ଅନୁଗୁଳ କ’ଣ ଦେଉଛି ଏବଂ ପ୍ରତିବଦଳରେ କ’ଣ ପାଇଛି, ତାହାର ହିସାବନିକାଶ ହେବା ଉଚିତ।’ ଶନିବାର ହୋଟେଲ ଦୁର୍ଗା ସଭାଗୃହଠାରେ ଅନୁଷ୍ଠିତ ‘ସମ୍ବାଦ’ ଅନୁଗୁଳ ସଂସ୍କରଣର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ଅତିଥିମାନେ ଏଭଳି ଗୋଟିଏ ବଡ଼ ପ୍ରସଙ୍ଗରେ ବିତର୍କ ଆରମ୍ଭ କରିଛନ୍ତି। ଦଳମତ ନିର୍ବିଶେଷରେ ୫ଜଣ ବିଧାୟକ, କଂଗ୍ରେସ ନେତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷାବିତ୍, ଶିଳ୍ପପତି, ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରମୁଖ ଶିକ୍ଷା, ସ୍ବାସ୍ଥ୍ୟ ଓ ପରିବେଶ ସୁରକ୍ଷା ପ୍ରସଙ୍ଗରେ ଦୀର୍ଘ ଚାରି ଘଣ୍ଟା ଧରି ମାନସ ମନ୍ଥନ କରିଥିଲେ। 

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରୌପ୍ୟଜୟନ୍ତୀ ଉତ୍ସବରେ ଅନୁଗୁଳ ବିଧାୟକ ପ୍ରତାପଚନ୍ଦ୍ର ପ୍ରଧାନ ସତ୍ୟ ଓ ତଥ୍ୟଭିତ୍ତିକ ଖବର ପ୍ରକାଶନ ପାଇଁ ‘ସମ୍ବାଦ’ ତାର ସ୍ବତନ୍ତ୍ରତା ବଜାୟ ରଖିବା ସହ ସମସ୍ତଙ୍କ ପାଖରେ ଗ୍ରହଣୀୟ ହୋଇପାରିଛି ବୋଲି କହିଥିଲେ। ରକ୍ତଦାନ, ଭାଷାଜ୍ଞାନ, ସମ୍ବାଦ ସାହିତ୍ୟଘର, ‘ପୁନଶ୍ଚ ପୃଥିବୀ’ ଭଳି ବିଭିନ୍ନ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ‘ସମ୍ବାଦ’ ପ୍ରଶଂସାର ହକ୍‌ଦାର ବୋଲି ମତ ରଖିଥିଲେ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଅନୁଗୁଳର ବିକାଶ ଉପରେ ଗୁରୁତ୍ବାରୋପ କରି ଦଳମତ ନିର୍ବିଶେଷରେ ସମସ୍ତ ଜନପ୍ରତିନିଧି ଏକଜୁଟ୍‌ ହେବାକୁ ଆହ୍ବାନ ଦେଇଥିଲେ। ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି ପରିବେଶ ସୁରକ୍ଷା ପାଇଁ ‘ସମ୍ବାଦ’ ପକ୍ଷରୁ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଏହ‌ି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ପ୍ରକାଶ କରିଥିଲେ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କହିଥିଲେ, ଅନୁଗୁଳ ଜିଲ୍ଲାର ବିକାଶରେ ‘ସମ୍ବାଦ’ ପ୍ରମୁଖ ଭୂମିକା ନିର୍ବାହ କରୁଛି।

ଅନୁଗୁଳ ଦେଇଛି କେତେ, ପାଇଛି କ’ଣ?
ପରିବେଶ ସୁରକ୍ଷା, ଜଳ ସଂରକ୍ଷଣକୁ ଗୁରୁତ୍ବ
ଶିକ୍ଷା, ସ୍ବାସ୍ଥ୍ୟର ବିକାଶ ପାଇଁ ହେଲା ଚର୍ଚ୍ଚା
ଗଣମାଧ୍ୟମରେ ନୂଆ ବିପ୍ଲବ ଆଣିଛି ‘ସମ୍ବାଦ’
‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମକୁ ମିଳିଲା ଢେର୍ ପ୍ରଶଂସା

ନୂଆ ଜିଲ୍ଲା ହେବା ପରେ ‘ସମ୍ବାଦ’ ହିଁ ପ୍ରଥମେ ଏଠାରୁ ସଂସ୍କରଣ ଆରମ୍ଭ କରିଥିଲା ଏବଂ ଲୋକମାନଙ୍କ ସମସ୍ୟା ସଂପର୍କରେ ସରକାରଙ୍କ ଦୃଷ୍ଟି ଆକ‌ର୍ଷଣ କରି ସମାଧାନ କରିବାରେ ସହାୟକ ହୋଇପାରିଥିଲା। ‘ସମ୍ବାଦ’ ନୂଆ ଚିନ୍ତାଧାରା, ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଦିଗହରା ପ୍ରଶାସନ ଓ ରାଜନେତାଙ୍କୁ ଠିକ ବାଟ ଦେଖାଇ ପାରିଛି। ଖଣି ଯୋଗୁଁ ଅନୁଗୁଳରେ ପ୍ରଦୂଷଣ ବଢୁଛି। ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଆଉ କିଛି ବର୍ଷ ପରେ ଲୋକମାନେ ପାଣି ପାଇବେ ନାହିଁ। ତେଣୁ ଏବେଠୁ ଏ ନେଇ ସମସ୍ତେ ଚିନ୍ତା କରିବାର ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପର ବିକାଶ ଉପରେ ଗୁରୁତ୍ବାରୋପ କରିବା ସହ ପରିବେଶ ସୁରକ୍ଷା ପାଇଁ ‘ସମ୍ବାଦ’ର ପ୍ରୟାସକୁ ସାଧୁବାଦ ଜଣାଇଥିଲେ। ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ନିଜ ନିର୍ବାଚନ ମଣ୍ଡଳୀକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଲାଗି ସେ ନେଇଥିବା ସଂକଳ୍ପ ଓ ଅନୁଦାନ ଆବଣ୍ଟନ ଚିତ୍ର ରଖି ଅନ୍ୟମାନଙ୍କୁ ଏ ଦିଗରେ ଅଧିକ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ପରିବେଶ ସୁରକ୍ଷା ପାଇଁ ସେ ପଞ୍ଚାୟତଗୁଡ଼ିକୁ ଅନୁଦାନ ଯୋଗାଇ ଦେବେ ବୋଲି କହିଥିଲେ। 

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ, ‘ସମ୍ବାଦ’ର ପ୍ରକୃତ ମାଲିକ ହେଉଛନ୍ତି ଏହାର ପାଠକ। ପାଠକଙ୍କ ସ୍ବରକୁ ‘ସମ୍ବାଦ’ ସବୁବେଳେ ଗୁରୁତ୍ବ ଦେଇଆସିଛି ଏବଂ ଆଗକୁ ମଧ୍ୟ ଜାରି ରହିବ। ଶ୍ରୀମତୀ ପଟ୍ଟନାୟକ ଆହୁରି କହିଥିଲେ, ଲୋକମାନଙ୍କୁ ଯୋଡ଼ିବା ହେଉଛି ଗଣମାଧ୍ୟମର କାମ। କୌଣସି ପ୍ରସଙ୍ଗରେ ସଫଳତା, ବିଫଳତା ସଂପର୍କରେ ପାଠକମାନେ ଜାଣୁଥିଲେ ତୁରନ୍ତ ଆମ ଦୃଷ୍ଟିକୁ ଆଣିବା ଦରକାର। ଏହି ଅବସରରେ ସେ ପରିବେଶ ସୁରକ୍ଷା ପାଇଁ ଗତବର୍ଷଠାରୁ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’ର ସ୍ମରଣ କରାଇ ଧରିତ୍ରୀ ମାତାର ସୁରକ୍ଷା ନିମନ୍ତେ ଓଡ଼ିଶାର ଆବାଳ ବୃଦ୍ଧବନିତା ଏଥିରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ। ପ୍ରତି ଘରୁ ଜଣେ ଜଣେ ପରିବେଶ ଯୋଦ୍ଧା ସୃଷ୍ଟି କରାଯିବାକୁ ‘ସମ୍ବାଦ’ ଲକ୍ଷ୍ୟ ରଖିଥିବା ସେ ଏହି ଅବସରରେ ଦୋହରାଇବା ସହିତ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଥି‌ଲେ, ଲୋକମାନଙ୍କର ସଦିଚ୍ଛା ଓ ଭଲ ପାଇବା ଯୋଗୁଁ ‘ସମ୍ବାଦ’ ଆଜି ସଫଳତା ପାଇଛି। ପାର୍ଟି ନୁହେଁ, ମାଟି ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ପଡ଼ିବ। ସଂପ୍ରତି ଗଣମାଧ୍ୟମ ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି। ଏଥିପାଇଁ ରାଜନେତାମାନେ ସହଯୋଗର ହାତ ବଢ଼ାଇବାକୁ ସେ ଆହ୍ବାନ ଦେବା ସହ ଅନୁଗୁଳ ସଂସ୍କରଣର ରୌପ୍ୟ ଜୟନ୍ତୀ ଅବସରରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। 

ପ୍ରାରମ୍ଭରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଗୁଳ ସଂସ୍କରଣ ମୁଖ୍ୟ ପ୍ରଦ୍ୟୁମ୍ନ କୁମାର ରାଉତ ଧନ୍ୟବାଦ ଦେଇଥିବା ବେଳେ ବିଜ୍ଞାପନ ବିଭାଗର ବରିଷ୍ଠ ପ୍ରବନ୍ଧକ ସୁବାସ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉଦ୍‌ଘାଟନୀ ଉତ୍ସବ ପରେ ‘ଶିଳ୍ପ ସମୃଦ୍ଧ ଅନୁଗୁଳର ବିକାଶ ସନ୍ତୋଷଜନକ’ ଏବଂ ‘ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅନୁଗୁଳ ଆଗୁଆ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ବହୁ ଶୁଭେଚ୍ଛୁ, ଏଜେଣ୍ଟ, ବ୍ଲକ୍‌ ପ୍ରତିନିଧି ଓ ଅନୁଗୁଳ ସଂସ୍କରଣର ସମସ୍ତ ସହଯୋଗୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe