ସିମ୍‌ ବକ୍ସ ଜବତ ଘଟଣା: ଢାକାରୁ ଚଳାଉଥିଲା କାରବାର

Advertisment

ଅଗରତାଲା ଦେଇ ଆସିଥିଲା, ସିଆଲ୍‌ଦା ଦେଇ ଯାଇଛି, ମିଳିଲା ଅସଦୁର ଫଟୋ, ଠାବ ହେଲା ସଫ୍ଟ‌ୱେର କମ୍ପାନି

ଅଗରତାଲା ଦେଇ ଆସିଥିଲା, ସିଆଲ୍‌ଦା ଦେଇ ଯାଇଛି, ମିଳିଲା ଅସଦୁର ଫଟୋ, ଠାବ ହେଲା ସଫ୍ଟ‌ୱେର କମ୍ପାନି

ସିମ୍‌ ବକ୍ସ  ଜବତ ଘଟଣା: ଢାକାରୁ ଚଳାଉଥିଲା କାରବାର

ଭୁବନେଶ୍ବର: ସିମ୍‌ ବକ୍ସର ମାଷ୍ଟରମାଇଣ୍ଡ କୁହାଯାଉଥିବା ଅସଦୁର ଜମାନ ଅଗରତାଲା ଦେଇ ଭାରତ ଆସିଥିଲା। ଆଉ ସିଆଲ୍‌ଦା ଦେଇ ବାଂଲାଦେଶ ଫେରିଥିଲା। ଏକାଧିକ ବାର ଭାରତ ଆସି ବିଭିନ୍ନ ରାଜ୍ୟରେ ସିମ୍‌ ବକ୍ସ ସ୍ଥାପନ କରିଥିବା ଅସଦୁରକୁ କମିସନରେଟ୍‌ ପୁଲିସ ଚିହ୍ନଟ କରିଛି। ତା’ର ଫଟୋ, ପାସ୍‌ପୋର୍ଟ ଆଦି ପୁଲିସ ହାତରେ ଲାଗିଛି। ଆଜି ରିମାଣ୍ଡର ଶେଷ ଦିନରେ ରାଜୁ ମଣ୍ଡଳକୁ ଜେରା ବେଳେ ପୁଲିସ ଅସଦୁର ସମ୍ପର୍କରେ ଏଭଳି ଅନେକ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି।
ଅସଦୁର ବିଜିଏମ୍‌ଇଏ ୟୁନିଭର୍ସିଟିରେ ଫ୍ୟାସନ୍‌ ଟେକ୍ନୋଲୋଜି ପାଠ ପଢ଼ିବା ପରେ ଢାକାରେ ଆଇକନ୍‌ ଟେକ୍ନୋଲୋଜି ନାମକ ଏକ ସଫ୍ଟ‌ୱେର କମ୍ପାନି ଖୋଲିଥିଲା। ଏହାପରେ ବ୍ୟବସାୟ ପାଇଁ ବାଂଲାଦେଶ ଯାଉଥିବା ରାଜୁ ଭଳି କିଛି ଯୁବକଙ୍କୁ ଟାର୍ଗେଟ କରିଥିଲା। ରାଜୁକୁ ନିଜ କାମରେ ଲଗାଇବା ପାଇଁ ସଫଳ ହେବାପରେ ଭୁବନେଶ୍ବର ଓ କଟକରେ ସିମ୍‌ ବକ୍ସ ସ୍ଥାପନ କରିଥିଲା।

ଏପର୍ଯ୍ୟନ୍ତ ଭାରତର ୩ଟି ସ୍ଥାନରେ ସିମ୍‌ ବକ୍ସ ଠାବ କରାଯାଇଥିବା ବେଳେ ଅସଦୁର ଢାକାରୁ ଭୁବନେଶ୍ବର ଓ ରାଞ୍ଚି‌େର ସିମ୍‌ବକ୍ସ ପରିଚାଳନା କରୁଥିଲା। ଏଥିପାଇଁ ଭୁବନେଶ୍ବର ଲକ୍ଷ୍ମୀସାଗର ଘର ଓ ରାଞ୍ଚି ବିର୍ସାମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟ ମୌଲାନା ଅାଜାଦ୍‌ ରୋଡ୍‌-୧୫ରେ ଥିବା ଘରେ ଦୁଇଟି ସ୍ମାର୍ଟ ସ୍ବିଚ୍‌ ଲଗାଇଥିଲା। ଏହା ମାଧ୍ୟମରେ ସିମ୍‌ ବକ୍ସର ଟିକ୍‌ନିକ୍‌ ଖବର ରଖୁଥିଲା। କେବଳ କଟକ ସିମ୍‌ ବକ୍ସକୁ ସିଗ୍‌ନାଲ୍‌ ମାଧ୍ୟମରେ ନଜର ରଖିଥିଲା। ରାଜୁ ମଧ୍ୟ କଟକ ସିମ୍‌ ବକ୍ସ ଉପରେ ଅଧିକ ଗୁରୁତ୍ବ ଦେଉଥିଲା। କମିସନରେଟ ପୁଲିସ୍‌ ଓ ଏନ୍‌ଆଇଏ ପକ୍ଷରୁ ରାଜୁକୁ ଗୁଡ଼ାଇତୁଡ଼ାଇ ପଚରାଉଚରା ପରେ ଏପରି ସାଂଘାତିକ ତଥ୍ୟ ମିଳିଛି। ଅସଦୁରର କାର୍ଯ୍ୟକଳାପ ସମ୍ପର୍କରେ ପ୍ରମାଣ ଯୋଗାଡ଼ ଚାଲିଛ। ତାକୁ ଗିରଫ ପାଇଁ ଖୁବ୍‌ଶୀଘ୍ର ଇଣ୍ଟରପୋଲ୍‌ର ସହାୟତା ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଆଜି ରାଜୁର ରିମାଣ୍ଡ ସରିବା ପରେ ତାକୁ କୋର୍ଟରେ ହାଜର କରାଯାଇଛି। ତାକୁ ଆଉ ୭ଦିନ ଅଧିକ ରିମାଣ୍ଡରେ ଆଣି ଜେରା ପାଇଁ ପୁଲିସ କୋର୍ଟରେ ଆବେଦନ କରିଛି। ସେହିପରି ଜବତ ସିମ୍‌ ବକ୍ସ ଓ ୩ଟି ନେଟ୍‌ୱର୍କର ମୋଡେମ୍‌ରୁ ଅଧିକ ତଥ୍ୟ ହାତେଇବା ପାଇଁ ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍‌(ଡିଓଟି)ର ଅଧିକାରୀ ପହଞ୍ଚି ଅଧିକ ଖୋଳତାଡ଼ କରିଛନ୍ତି।

ଅଗରତାଲା ଦେଇ ଆସିଥିଲା, ସିଆଲ୍‌ଦା ଦେଇ ଯାଇଛି
ମିଳିଲା ଅସଦୁର ଫଟୋ, ଠାବ ହେଲା ସଫ୍ଟ‌ୱେର କମ୍ପାନି
ରାଜୁର ରିମାଣ୍ଡ ସରିଲା, ଆଉ ୭ଦିନ ପାଇଁ ଆବେଦନ
ଟେଲିକମ୍‌ ବିଭାଗର ଖୋଳତାଡ଼, ଘରମାଲିକ ହେବେ‌ ଜେରା

ଅନ୍ୟପଟେ ସିମ୍‌ ବକ୍ସରେ ବ୍ୟବହୃତ ସକ୍ରିୟ ସିମ୍‌ଗୁଡ଼ିକର ତଥ୍ୟ ପୁଲିସ ହାତରେ ଲାଗିଛି। ବିଶେଷକରି ଏଥିରେ ଏୟାରଟେଲ୍‌ ଓ ଭୋଡାଫୋନର ସିମ୍‌ ବ୍ୟବହାର କରାଯାଇଥିଲା। ଏହି ସିମ୍‌ରୁ ଯେଉଁ ସବୁ ନମ୍ବରକୁ କଲ୍‌ ଯାଇଥିଲା, କଲ୍‌ ଅସିଥିଲା ସେ ସମସ୍ତ ତଥ୍ୟ ପୁଲିସ ହାସଲ କରିଛି। ସେମାନଙ୍କୁ ଚିହ୍ନଟ ମଧ୍ୟ ସରିଛି। ଖୁବ୍‌ଶୀଘ୍ର ଜେରା କରାଯିବ। ସେହିପରି ୫ରୁ ଅଧିକ ବ୍ୟାଙ୍କ ତଥ୍ୟ ମଧ୍ୟ ପୁଲିସକୁ ମିଳିଛି। ଯାହାକି ରାଜୁ ଓ ତାଙ୍କ ପତ୍ନୀଙ୍କ ନାମରେ ରହିଥିଲା। ଏହି ଆକାଉଣ୍ଟର ଆର୍ଥିକ କାରବାର ତଥ୍ୟ ଆଧାରରେ ପୁଲିସ ସମ୍ପୃକ୍ତ ବ୍ୟକ୍ତିକୁ ଜେରା କରିବ। କେବଳ ସେତିକି ନୁହେଁ; ୩ଟି ସ୍ଥାନରୁ ଠାବ ହୋଇଥିବା ସିମ୍‌ ବକ୍ସ ଘରମାଲିକଙ୍କୁ ମଧ୍ୟ ଜେରା କରାଯିବ। କାରଣ ଭଡ଼ାଟିଆଙ୍କ ସମ୍ପର୍କରେ ପୁଲିସକୁ ତଥ୍ୟ ଦେବା ପାଇଁ ନିୟମ ରହିଥିଲେ ମଧ୍ୟ ଏହାକୁ ସେମାନେ ଉଲ୍ଲଙ୍ଘନ କରିଥିଲେ। କେଉଁ ପରିସ୍ଥିତିରେ ସେମାନେ ତଥ୍ୟ ଲୁଚାଇ ଥିଲେ ସେ ନେଇ ପୁଲିସ ଭଡ଼ାଟିଆଙ୍କୁ ଅଧିକ ପଚରା ଉଚରା କରିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ଗୁରୁବାର ପୁଲିସ ସେବାଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି, କମିସନରେଟ୍‌ ପୁଲିସ ପ୍ରଥମେ ରାଜୁକୁ ଲକ୍ଷ୍ମୀସାଗରରୁ ଗିରଫ କରି ୭ଟି ସିମ୍‌ ବକ୍ସ ଠାବ କରିଥିଲା। ପରେ କଟକରୁ ୫ଟି ଓ ମଙ୍ଗଳବାର ଦିନ ଝାଡ଼ଖଣ୍ଡରେ ଚଢ଼ଉ କରି ଆଉ ୫ଟି ସିମ୍‌ ବକ୍ସ ଠାବ କରିଥିଲା। ଏପର୍ଯ୍ୟନ୍ତ ୩ଟି ସ୍ଥାନରେ ଚଢ଼ଉ କରି ମୋଟ ୧୭ଟି ସିମ୍‌ ବକ୍ସ ଠାବ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe