ମଙ୍ଗଳବାର ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

Advertisment

ରାତ୍ରିଯାପନ ପାଇଁ ଅନ୍‌ଲାଇନ୍ ବୁକିଂ ବ୍ୟବସ୍ଥା,

ରାତ୍ରିଯାପନ ପାଇଁ ଅନ୍‌ଲାଇନ୍ ବୁକିଂ ବ୍ୟବସ୍ଥା,

ମଙ୍ଗଳବାର ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

Kalinga TV

ବାରିପଦା: ଆସନ୍ତା ମଙ୍ଗଳବାର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ। ରାତ୍ରିଯାପନ ପାଇଁ ଆଗୁଆ ଅନଲାଇନ୍ ବୁକିଂ କରିବାକୁ ପଡ଼ିବ। ଆଉ ଭିତରକୁ ପ୍ରବେଶ ପାଇଁ ଦିନକୁ ୬୦ଟି ଗାଡ଼ିକୁ ଅନୁମତି ଦିଆଯିବ ବୋଲି ଶିମିଳିପାଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି. ଆଶୋକ କୁମାର କହିଛନ୍ତି। ଗୋଟିଏ ଦିନରେ ପ୍ରଥମେ ଆସିଥିବା ୩୫ଟି ଚାରିଚକିଆ ଯାନ କାଳିଆଣି ତନଖି ଫାଟକ, ଯଶିପୁର ଦେଇ ଓ ବାକି ୨୫ଟି ଗାଡ଼ି ପିଠାବାଟା ତନଖି ଫାଟକ ଦେଇ ଭିତରକୁ ଯାଇପାରିବ। ପର୍ଯ୍ୟଟକମାନେ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ସକାଳ ୬ରୁ ୯ଟା ମଧ୍ୟରେ ଅନୁମତିପତ୍ର ସଂଗ୍ରହ କରିବାକୁ କୁହାଯାଇଛି। ତନଖି ଫାଟକରେ ଯାଞ୍ଚ୍‌ କଡ଼ାକଡ଼ି କରାଯିବ।

ଭିତରକୁ ପଲିଥିନ, ରନ୍ଧାଖାଦ୍ୟ, ମାଦକ ଦ୍ରବ୍ୟ ନେବାକୁ ବାରଣ କରାଯାଇଛି। ଅପରାହ୍ନ ୩ଟା ପୂର୍ବରୁ ପର୍ଯ୍ୟଟକମାନେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଓ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡିବାକୁ ପଡ଼ିବ। ଯାନବାହାନ ଖରାପ ହେଲେ ସେହି ଯାନରେ ଥିବା ପର୍ଯ୍ୟଟକମାନଙ୍କୁ ବାରିପଦା କିମ୍ବା ଯଶିପୁର ବସ୍‌ଷ୍ଟାଣ୍ଡକୁ ପଠାଇବାର ସୁବିଧା ରହିଛି। ଏଥି ନିମନ୍ତେ ପର୍ଯ୍ୟଟକଙ୍କୁ ୪ ହଜାର ଟଙ୍କା ପୈଠ କରିବାକୁ ପଡ଼ିବ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କୁମାରି, ଗୁଡୁଗୁଡିଆ, ରାମତୀର୍ଥ, ବରେହିପାଣି ଓ ଯାମୁଆଣିରେ ଥିବା ଯାତ୍ରୀ ନିବାସଗୁଡିକରେ ରାତ୍ରିଯାପନ ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟ www.ecotourodisha.comରେ ଅଗ୍ରୀମ ବୁକିଂ କରିବାକୁ ପଡ଼ିବ। ସେହିପରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ଅବସ୍ଥିତ ଦେବକୁଣ୍ଡକୁ ମଧ୍ୟ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ମଙ୍ଗଳବାରରୁ ଖୋଲାଯିବ। ଦେବକୁଣ୍ଡକୁ ଯିବା ପାଇଁ ପ୍ରଥମ ଫାଟକରୁ ଅନୁମତିପତ୍ର ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ସବୁ ନିୟମ ମାନି ଶିମିଳିପାଳ ବୁଲି ଉପଭୋଗ କରିବାକୁ କୁହାଯାଇଛି। ଯଦି କେହି ନିୟମ ଅମାନ୍ୟ କରନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe