ବାରିପଦା: ଶିମିଳିପାଳ ଜାତୀୟ ଉଦ୍ୟାନ ନଭେମ୍ବର ୧ରୁ ଖୋଲିବ। ଶିମିଳିପାଳକୁ ଯିବା ପାଇଁ ଥିବା ଦୁଇଟି ପ୍ରବେଶ ପଥ ଦେଇ ପର୍ଯ୍ୟଟକ ଯାଇପାରିବେ। ଯଶିପୁର ପଟୁ କାଳିଆଣି ତନଖି ଫାଟକ ଏବଂ ବାରିପଦାରୁ ଲୁଲୁଙ୍ଗ ପଟେ ପିଠାବଟା ଫାଟକ ଦେଇ ପର୍ଯ୍ୟଟକଙ୍କୁ ପ୍ରବେଶ କରିବାର ଅନୁମତି ଦିଆଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଯଶିପୁର ପାର୍ଶ୍ୱରେ ସର୍ବାଧିକ ୩୫ଟି ଚାରି ଚକିଆଯାନ ଏବଂ ଲୁଲୁଙ୍ଗ ପାର୍ଶ୍ୱରେ ସର୍ବାଧିକ ୨୫ଟି ଚାରି ଚକିଆଯାନ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯାଇପାରିବ। ପ୍ରତ୍ୟେକ ପର୍ଯ୍ୟଟକଙ୍କ ଗାଡ଼ିରେ ଜଣେ ଗାଇଡ ରହିବା ବାଧ୍ୟତାମୂଳକ କରାଯାଇଛି। ପର୍ଯ୍ୟଟକଙ୍କୁ ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ପିଠାବଟା ଓ ଯଶିପୁର (କାଳିଆଣି) ବୁକିଂ କାଉଣ୍ଟରରୁ ସକାଳ ୬ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ମିଳିବ।
ଅପରାହ୍ନ ପୂର୍ବରୁ ସମସ୍ତ ପର୍ଯ୍ୟଟକଙ୍କୁ ଯୋରନ୍ଦା ଓ ବରେହି ପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡ଼ିବାକୁ ପଡ଼ିବ । ସନ୍ଧ୍ୟା ୫ଟା ସୁଦ୍ଧା ପିଠାବଟା, ତୁଳସୀବାଣି,କାଳିଆଣି ଫାଟକ ପର୍ଯ୍ୟଟକ ଦେଇ ଫେରି ପାରିବେ।
ଅନ୍ୟପକ୍ଷରେ ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରକୁ ଯାଉଥିବା ପର୍ଯ୍ୟଟକଙ୍କ ଗାଡ଼ି ଯଦି କୌଣସି କାରଣରୁ ଖରାପ ହୋଇଥିଲା ତେବେ ବିଭାଗ ପକ୍ଷରୁ ବିକଳ୍ପ ଗାଡ଼ି ଦିଆଯିବ। ଏଥିପାଇଁ ଗାଡ଼ି ଚାଳକଙ୍କୁ ତିନି ହଜାର ଟଙ୍କା ଅଗ୍ରୀମ ଜମା କରିବାକୁ ପଡ଼ିବ। ବୁଲିବା ସମୟରେ ଯଦି ପର୍ଯ୍ୟଟକ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ବିଭାଗୀୟ କର୍ତ୍ତୃପକ୍ଷ ଦାୟୀ ନୁହନ୍ତି ବୋଲି ସୂଚିତ କରାଯାଇଛି।
Follow Us