କରୋନାରେ ସିମୁଳିଆ ବିଡିଓ ମୃତ

Advertisment
କରୋନାରେ ସିମୁଳିଆ ବିଡିଓ ମୃତ

ଭଦ୍ରକ/ରାଣୀତାଲ/ସିମୁଳିଆ : ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ସିମୁଳିଆ ବ୍ଲକ୍‌ର ବିଡିଓ ଡକ୍ଟର ନରହରି ବେହେରା(୫୨)ଙ୍କର କରୋନାରେ ମୃତ୍ୟୁ ହୋଇଛି। କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ସମ୍ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି।

ସ୍ବର୍ଗତ ବେହେରା ଭଦ୍ରକ ବ୍ଲକ ରାହାଂଜର ବିଶ୍ୱନାଥପୁର ଗ୍ରାମରେ ୧୯୬୫ ମସିହାରେ ବାପା ବାସୁଦେବ ବେହେରା ଓ ମାତା ଭାମାମଣି ବେହେରାଙ୍କ କୋଳମଣ୍ଡନ କରିଥିଲେ। ସେ ସାବରଂଗ ହାଇସ୍କୁଲରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ପ୍ରଥମେ ବାସୁଦେବପୁରର ଅତିରିକ୍ତ ତହସିଲଦାର, ଧାମନଗରର ବିଡିଓ ପରେ ସିମୁଳିଆ ବିଡିଓ ଭାବେ କାର୍ଯ୍ୟରତ ଥିଲେ। ଜଣେ ସାହିତ୍ୟିକ, ସ୍ତମ୍ଭକାର ଭାବେ ମଧ୍ୟ ତାଙ୍କର ସୁନାମ ଥିଲା। ‘ଅଭିଜ୍ଞାନଶାକୁନ୍ତଳମ୍‌ ଓ ପ୍ରଣୟ ବଲ୍ଲରୀ’ ଭଳି ପୁସ୍ତକର ସେ ହେଉଛନ୍ତି ରଚୟିତା। ସାରସ୍ବତ ସାଧନା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଥିଲେ। ୨୦୧୩ ମସିହା ସ୍ବାଭିମାନ ଦିବସ ଅବସରରେ ତାଙ୍କୁ ଭଦ୍ରକ ଜିଲ୍ଲା ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଥିସହିତ, ସେ ଅନେକ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ଭଦ୍ରକ ସମ୍ବାଦ ସାହିତ୍ୟ ଘର, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ ପରି ଅନେକ ଅନୁଷ୍ଠାନର ଉପଦେଷ୍ଟା ଥିଲେ। ତାଙ୍କ ବିୟୋଗରେ ଜନ୍ମମାଟି ତଥା ୧୯୮୫ ମସିହାର କଲେଜ ସହପାଠୀ ‘ସମ୍ବାଦ’ର ମୁଖ୍ୟ ପରିଚାଳନା ଅଧିକାରୀ ଓ ପ୍ରକାଶକ କମଳାକାନ୍ତ ମହାପାତ୍ର, ରାଜସ୍ବ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି, ଆଇନଜୀବୀ ଓ ସାମ୍ବାଦିକ ଅତିଶ କୁମାର ବେହେରାଙ୍କ ସମେତ ଶତାଧିକ ସାଙ୍ଗସାଥୀଙ୍କ ମଧ୍ୟରେ ‌ଦୁଃଖର ଛାୟା ଖେଳିଯାଇଛି।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସିମୁଳିଆ ବ୍ଲକ୍‌ ଅଧକ୍ଷ ଧରିତ୍ରୀ ମହାରଣା, ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ଫିଚର ସମ୍ପାଦକ ଡକ୍ଟର ଗୈାରହରି ଦାସ, ସାହିତ୍ୟିକ ପବିତ୍ର ପାଣିଗ୍ରାହୀ, ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ନିହାର ରଂଜନ କର, ଜର୍ମାନୀରେ ରହୁଥିବା ପ୍ରବାସୀ ଓଡିଆ ତଥା ସ୍ତମ୍ଭକାର ରାଜେନ୍ଦ୍ର ନାରାୟଣ ଦାସ, ଇଞ୍ଜିନିୟର ଅଭୟ ସୂତାର, ତ୍ୟାଗଭୂମିର ସଂପାଦକ ଅଜୟ ନାୟକ, ଝରଣା ପଟ୍ଟନାୟକ, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ବିମ୍ବାଧର ବେହେରାଙ୍କ ସମେତ ଭଦ୍ରକ ଓ ବାଲେଶ୍ବରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe