Image Courtesy of Latest News Headlines
ଭୁବନେଶ୍ବର : ରାଜ୍ୟର ୭୦ଟି ବିଶ୍ବବିଦ୍ୟାଳୟ ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟରେ ଥିବା ୮୩ଟି ପିଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହୋଇଥିବା ଏକକ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶ ପାଇଛି। ପ୍ରବେଶିକା ପରୀକ୍ଷାର ମେଧା ତାଲିକା ସାମ୍ସ-ସିପିଇଟି ୱେବସାଇଟ୍ରେ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀ www.samsodisha.gov.in ୱେବସାଇଟ୍ ଖୋଲି ପୋଷ୍ଟ ଗ୍ରାଜୁଏସନ୍ରେ କ୍ଲିକ୍ କରି ଷ୍ଟେଟ୍ ୱାଇଡ୍ ପ୍ରୋଭିଜନାଲ ମେରିଟ୍ ଲିଷ୍ଟ ଲିଙ୍କରେ ଏହି ମେଧାତାଲିକା ଦେଖିପାରିବେ। ଏହାସହ ଛାତ୍ରଛାତ୍ରୀମାନେ ୟୁଜର୍ନେମ୍ ଓ ପାସ୍ୱାର୍ଡ ଦେଇ ଲଗ୍ଇନ୍ କରି ମଧ୍ୟ ଏମ୍ଆଇଏସ୍ ରିପୋର୍ଟରେ ବିଶ୍ବବିଦ୍ୟାଳୟ/ମହାବିଦ୍ୟାଳୟ ଅନୁସାରେ ମେଧା ତାଲିକା ଦେଖିପାରିବେ।
ଚଳିତବର୍ଷ ପ୍ରଥମ ଥର ପାଇଁ ୭୦ଟି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ପିଜି ପାଠ୍ୟକ୍ରମର ୧୪,୪୦୧ଟି ପିଜି ସିଟ୍ ପାଇଁ ଏକକ ପ୍ରବେଶ ପରୀକ୍ଷା ହୋଇଥିଲା। ଏହି ପ୍ରବେଶିକା ପରୀକ୍ଷା ପାଇଁ ୬୨,୧୯୦ଜଣ ଆବେଦନ କରିଥିବାବେଳେ ୫୫,୭୪୬ଜଣ ପରୀକ୍ଷା ଦେଇଥିଲେ। ପ୍ରବେଶିକା ପରୀକ୍ଷା ପାଇଁ ୭୧,୭୮୯ଟି ହଲ୍ ଟିକେଟ୍ ଜାରି କରାଯାଇଥିଲା। କିନ୍ତୁ ୬୨,୯୪୨ଜଣ ପରୀକ୍ଷା ଦେଇଥିଲେ ଏବଂ ୫୨୭୮୦ଜଣ ପରୀକ୍ଷାର୍ଥୀଙ୍କ ମେଧା ତାଲିକା ୱେବସାଇଟ୍ରେ ପ୍ରସ୍ତୁତ କରାଯାଇଛି। ଚଳିତବର୍ଷ ୬୪% ବିଷୟରେ ଛାତ୍ରୀ ଟପର୍ ହୋଇଥିବାବେଳେ ୩୬% ବିଷୟରେ ଛାତ୍ର ଟପର୍ ହୋଇଛନ୍ତି। ଷ୍ଟାଟିଷ୍ଟିକ୍ସରେ ଖୁସି ଅଗ୍ରୱାଲ ୯୧.୨୯% ମାର୍କ ରଖି ପୂରା ତାଲିକାରେ ଟପର୍ ହୋଇଛନ୍ତି। ସେହିପରି ଇପ୍ସିତା ମହାପାତ୍ର ଜିଓଲୋଜିରେ ୮୯.୯୭% ମାର୍କ ରଖି ଦ୍ବିତୀୟ ଟପର୍ ହୋଇଛନ୍ତି। ସୂଚନାଯୋଗ୍ୟଯେ, ୮୮୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରି ନଥିବାବେଳେ ପରୀକ୍ଷା ସମୟରେ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
Follow Us