୧୨ରୁ ଏକକ ପିଜି ପ୍ରବେଶିକା, ପରୀକ୍ଷା ଦେବେ ୬୨ ହଜାର ଛାତ୍ରଛାତ୍ରୀ

ଅନ୍‌ଲାଇନ୍‌ରେ ୟୁଜି ଓ ପିଜି ପରୀକ୍ଷା, ଉଚ୍ଚଶିକ୍ଷା ବିଭାଗର ଗାଇଡ୍‌ଲାଇନ୍‌

Image Courtesy of India TV News

ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଅକ୍ଟୋବର ୧୨ରୁ ୨୬ଟି କେନ୍ଦ୍ରରେ ପ୍ରଥମଥର ଲାଗି ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ସ୍ବତନ୍ତ୍ର ଭାବେ ପରୀକ୍ଷା ବଦଳରେ ଏବର୍ଷ ସାମ୍‌ସ ମାଧ୍ୟମରେ ଏହି ପରୀକ୍ଷା ‌କରାଯାଉଛି। ଏଭଳି ପଦକ୍ଷେପ ନେବା କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କହିଛନ୍ତି।

ଓଡ଼ିଶା ଟେଷ୍ଟ ବୁକ୍‌ସ ବ୍ୟୁରୋ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ ସିଙ୍ଗିଲ୍‌ ୱିଣ୍ଡୋ ମାଧ୍ୟମରେ ୬୨ ହଜାର ୧୮୯ଜଣ ଛାତ୍ରଛାତ୍ରୀ ଏକକ ପିଜି ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ କରିଛନ୍ତି। ରାଜ୍ୟ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟକୁ ମିଶାଇ ମୋଟ ୬୮ଟି ଶିକ୍ଷାନୁଷ୍ଠାନର ୮୩ଟି ପିଜି ବିଷୟର ୧୪ ହଜାର ୭୦୦ ସିଟ୍‌ ପାଇଁ ଅକ୍ଟୋବର ୧୨ରୁ ୨୨ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ପରୀକ୍ଷା ୯୦ ମିନିଟ୍‌ ଅବଧିର ହେବ। ଓଏମ୍‌ଆର୍‌ ସିଟ୍‌ରେ ୭୦ଟି ମଲ୍ଟିପୁଲ୍‌ ଚଏସ୍‌ ପ୍ରଶ୍ନ ରହିବ। ଏକ‌ାଧିକ ବିଷୟରେ ପରୀକ୍ଷା ଦେବାର ସୁବିଧା ପ୍ରଦାନ କରାଯାଇଛି। ପ୍ରତ୍ୟେକ ଦିନ ୩ଟି ସିଟିଂରେ ପରୀକ୍ଷା ହେବ। ପରୀକ୍ଷା ସୂଚୀ ଓ ମାର୍ଗଦର୍ଶିକା ସାମ୍‌ସ ୱେବସାଇଟ୍‌ରେ ଉପଲବ୍ଧ କରାଯାଇଛି। ଆବେଦନ କରିଥିବା ଛାତ୍ରଛାତ୍ରୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍ କରିପାରିବେ। ପରୀକ୍ଷା ପରିଚାଳନା ସମ୍ପର୍କରେ ବିଭିନ୍ନ ପ୍ରଶ୍ନର ଉତ୍ତର ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଦିଆଯାଇଛି। ପ୍ରତ୍ୟେକ ପରୀକ୍ଷା ସିଟିଂ ମଧ୍ୟରେ ଏକ ଘଣ୍ଟାର ବ୍ୟବଧାନ ରହିଛି। ସାମାଜିକ ଦୂରତା ସହ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁପାଳନ କରାଯିବ। ଯେଉଁ ଛାତ୍ରଛାତ୍ରୀ ଏକାଧିକ ବିଷୟ ଲାଗି ଆବେଦନ କରିଛନ୍ତି, ସେମାନଙ୍କ ପରୀକ୍ଷା ଯେପରି ଏକା ସମୟରେ ନ ହୁଏ, ସେଥିପ୍ରତି ଧ୍ୟାନ ଦିଆଯାଇଛି। ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ ପାଇଁ ୩ଜଣ କୁଳପତି ଓ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷଙ୍କୁ ‌ନେଇ ଏକ କମିଟି ଗଠନ ହୋଇଛି।

ପରୀକ୍ଷା ଫଳ ଅନୁସାରେ ବିଷୟ ଅନୁଯ‌ାୟୀ ଏକକ ରୢାଙ୍କ ତାଲିକ‌ା ପ୍ରସ୍ତୁତ କରାଯିବ। ରୢାଙ୍କ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପସନ୍ଦର ବିଶ୍ବବିଦ୍ୟାଳୟ/ମହାବିଦ୍ୟାଳୟ ଓ ପାଠ୍ୟକ୍ରମ ପ୍ରଚଳିତ ସଂରକ୍ଷଣ/ପ୍ରଦ‌ାନ କରାଯାଉଥିବା ବ୍ୟବସ୍ଥ‌ା ଆଧାରରେ ଛାତ୍ରଛାତ୍ରୀ ନାମ ଲେଖା ହେବ। ଏ ବର୍ଷର ପରୀକ୍ଷା ଉତ୍କଳ ବିଶ୍ବବିଦ୍ୟାଳୟ ଆୟୋଜନ କରୁଛି। ପ୍ରତିବର୍ଷ ଅଲଗା ଅଲଗା ବିଶ୍ବବିଦ୍ୟାଳୟ ଏକକ ପିଜି ପ୍ରବେଶିକା ପରୀକ୍ଷା ପରିଚାଳନା କରିବେ। ଛାତ୍ରଛାତ୍ରୀ ନାମଲେଖା ପାଇଁ ପସନ୍ଦର ବିଶ୍ବବିଦ୍ୟାଳୟ/ମହାବିଦ୍ୟାଳୟ ତାଲିକା ପ୍ରଦାନ କରିପାରିବେ। ଏକକ ପିଜି ପ୍ରବେଶିକା ପରୀକ୍ଷାରେ ରଖିଥିବା ନମ୍ବରକୁ ୭୦% ୱେଟେଜ୍‌, କ୍ୟାରିୟର୍‌ ନିମନ୍ତେ ଦଶମ ‌‌ଶ୍ରେଣୀ ଓ ତଦୂର୍ଦ୍ଧ ପରୀକ୍ଷାରେ ରଖିଥିବା ନମ୍ବରକୁ ୩୦% ୱେଟେଜ୍‌ ଭାବେ ନିଆଯାଇ ସାରା ରାଜ୍ୟ ନିମନ୍ତେ ଗୋଟିଏ ମେଧା ତାଲିକ‌ା ପ୍ରସ୍ତୁତ କରାଯିବ। ପରୀକ୍ଷା ସରିବାର ୨ରୁ ୩ ସପ୍ତାହ ମଧ୍ୟରେ ମେଧା ତାଲିକା ପ୍ରକାଶ ପାଇବ ବୋଲି ସଚିବ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe