ବରିଷ୍ଠ ଅଭିନେତା ବିରାଜ ଦାଶଙ୍କ ଦେହାନ୍ତ, ୬୩ ବର୍ଷ ବୟସରେ ପରଲୋକ

ବରିଷ୍ଠ ଅଭିନେତା ବିରାଜ ଦାଶଙ୍କ ଦେହାନ୍ତ, ୬୩ ବର୍ଷ ବୟସରେ ପରଲୋକ

ଭୁବନେଶ୍ବର: ଓଡ଼ିଆ ସିନେମା, ଟେଲିଭିଜନ ଓ ମଞ୍ଚର ଜଣାଶୁଣା ଅଭିନେତା ବିରାଜ ଦାଶଙ୍କର ଆଜି ରାତି ୯ଟାରେ ପରଲୋକ ହୋଇଯାଇଛି। କଟକର ଏକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ।

ସୂଚନାଯୋଗ୍ୟ, ବିରାଜ ଦାଶ ଦୂରଦର୍ଶନର ବହୁ ଧାରାବାହିକରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକ ମହଲରେ ବେଶ ଲୋକପ୍ରିୟତା ସାଉଁଟିଥିଲେ। ଏଥି ସହ ସେ ଓଡ଼ିଆ ଚଳଚ୍ଚିତ୍ର ‘ଯା ଦେବୀ ସର୍ବଭୂତେଷୁ, ବଗୁଲାବଗୁଲି, ତମସାତୀରେ, ମା’ ପରି କିଏ ହେବ ଓ ‌ଗୋଲାମଗିରି’ରେ ଅଭିନୟ କରିଥିଲେ।

publive-image

ସେହିପରି ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ‘ଆକାଶ କୟାଁ ଚିଲିକା ମାଛ, ସୁନା କାଇଁଚ ଓ ମୂଲିଆ’ରେ ଅଭିନୟ କରିଥିଲେ। ବଙ୍ଗଳା ଚଳଚ୍ଚିତ୍ର ‘ନ୍ୟାୟଚକ୍ର’ରେ ମଧ୍ୟ ତାଙ୍କର ଅଭିନୟ ଦେଖିବାକୁ ମିଳିଥିଲା। ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’ ପାଇଁ ନିର୍ମିତ ୱେବ୍‌ ସିରିଜ୍‌ ‘ଧଉଳି ଏକ୍ସପ୍ରେସ୍‌’ରେ ମଧ୍ୟ ସେ ଅଭିନୟ କରିଥିଲେ। ମାତ୍ର ଏହା ଏଯାବତ୍‌ ପ୍ରସାରିତ ହୋଇପାରି ନାହିଁ। ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ହେଉଛି ପ୍ରଣବ ଦାସଙ୍କ ନିର୍ଦ୍ଦେଶିତ ‘ଅଜାତି’। ଏହି ଚଳଚ୍ଚିତ୍ର  ମଧ୍ୟ ମୁକ୍ତିଲାଭ ଅପେକ୍ଷାରେ ରହିଛି।

ଅଭିନୟ ତାଙ୍କର ନିଶା ହୋଇଥିବା ବେଳେ ସେ ପେସାରେ ଥିଲେ ଜଣେ ବ୍ୟାଙ୍କ କର୍ମଚାରୀ। ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା କଳା ଜଗତରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe