ପାଟଣାଗଡ଼ରେ ଚାଞ୍ଚଲ୍ୟ: ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା, ସାଇଣ୍ଟିଫିକ ଟିମ୍‌ ଓ ଡଗସ୍କ୍ୱାଡ୍‌ର ତଦନ୍ତ ଜାରି

Advertisment

ଘଟଣାସ୍ଥଳରେ ଏସ୍‌ପି, ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ କରୁଛି ତଦନ୍ତ

ଘଟଣାସ୍ଥଳରେ ଏସ୍‌ପି, ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ କରୁଛି ତଦନ୍ତ

ପାଟଣାଗଡ଼ ହତ୍ୟା ମାମଲା : ଗଣହତ୍ୟାର ମାଷ୍ଟରମାଇଣ୍ଡ୍ ପଡ଼ୋଶୀ ଗଙ୍ଗୁୱା!

ବଲାଙ୍ଗୀର/ପାଟଣାଗଡ଼: ଜଣେ କି ଦୁଇ ଜଣ ନୁହଁ, ଏକାଥରକେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା। ଗଇଁତିରେ ନିର୍ମମ ଭାବରେ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ବୁଲୁ ଜାନୀ(୫୦ବର୍ଷ), ତାଙ୍କ ସ୍ତ୍ରୀ ଜ୍ୟୋତି(୪୮ବର୍ଷ) ଓ ଦୁଇପୁଅ ଭୀଷ୍ମ ଜାନୀ(୫ବର୍ଷ) ଓ ସଂଜୀବ ଜାନୀ(୨ବର୍ଷ), ଦୁଇ ଝିଅ ସରିତା ଜାନୀ(୧୪ବର୍ଷ), ଶ୍ରୀୟା ଜାନୀ(୩ବର୍ଷ)। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ରହ୍ମପୁରା ନିକଟ ସଅଁରାପଡ଼ା କୁସୁମତଲଠାରେ ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। ବଲାଙ୍ଗୀର ଜିଲ୍ଲା ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଜାରି ରଖିଛି। ଏସ୍‌ପି ମଡ଼କର ସନ୍ଦୀପ ସମ୍ପତ ଘଟଣାସ୍ଥଳରେ ନିଜେ ଉପସ୍ଥିତ ରହି ଛାନଭିନ କରୁଛନ୍ତି। ଏସ୍‌ପିଙ୍କ କହିବାନୁସାରେ, ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ହତ୍ୟାକାରୀଙ୍କୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍‌ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ସେ କହିଛନ୍ତି। ଘଟଣାଟି ମଙ୍ଗଳବାର ବିଳମ୍ବିତ ରାତିର ବୋଲି ଜଣାପଡ଼ିଛି।

ବୁଧବାର ସକାଳ ପ୍ରାୟ ୧୦ଟା ସମୟରେ କୁସମତଲରେ ରହୁଥିବା ବୁଲୁଙ୍କ ପରିବାର ସଦସ୍ୟ ଘରୁ ବାହାରିନଥିଲେ। ଏହାକୁ ନେଇ ପଡ଼ାର ଲୋକେ କଣ ଘଟଣା ହୋଇଥାଇପାରେ ବୋଲି ସନ୍ଦେହ କରିଥିଲେ। ପଡ଼ୋଶୀ ଘର ଲୋକ ଗତ ରାତି କୌଣସି ଶବ୍ଦ ଶୁଣିଥିବା କହିବା ପରେ ଲୋକେ ବୁଲୁଙ୍କ ଘର ସମ୍ମୁଖରେ ଜମା ହୋଇଥିଲେ। ଏହାପରେ ପୁଲିସକୁ ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ଅବଗତ କରାଇଥିଲେ। ବୁଲୁଙ୍କ ସ୍ତ୍ରୀଙ୍କ ନାମ ଡାକ ପକାଇ ଲୋକେ ଡାକିବାରୁ ସେ ଶୁଣିନଥିଲେ।

ପୁଲିସ ଘରକୁ ପହଞ୍ଚିବା ପରେ କମ୍ବଳ ଘୋଡ଼ା ଅବସ୍ଥାରେ ପରିବାରର ସବୁ ସଦସ୍ୟ ଥିବା ଦେଖିବାକୁ ପାଇଥିଲେ। କମ୍ବଳ ସବୁରେ ରକ୍ତ ଛିଟା ବି ଲାଗିଥିଲା। ଘର ବାହାରେ ଏକ ଧାରୁଆ ଅସ୍ତ୍ର ବି ପୁଲିସ ପ୍ରଥମେ ଦେଖିଥିଲା। ପାଟଣାଗଡ଼ ପୁଲିସ ଉପରିସ୍ଥ ଅଧିକାରୀଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲା। ଅତିରିକ୍ତ ଏସ୍‌ପି ଘଟଣାସ୍ଥଳକୁ ପହଞ୍ଚିଥିଲେ। ପରେ ପରେ ସାଇଣ୍ଟିଫିକ ଟିମ୍‌, ଡଗସ୍କ୍ୱାଡ୍‌ ପହଞ୍ଚି ତଦନ୍ତ କରିଥିଲେ। ଏହାପରେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ଏସ୍‌ପି ମଧ୍ୟାହ୍ନରେ ଗଣମାଧ୍ୟମକୁ ସ୍ପଷ୍ଟୀକରଣ କରି କହିଥିଲେ। ପୁଲିସ ଏକ ଗଇଁତିକୁ ଜବତ କରିଛି। ଯେଉଁଥିରେ ସମସ୍ତଙ୍କୁ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଥିବା ଜଣାପଡ଼ିଛି।

ଆଜି ଦିନସାରା ଏସ୍‌ପି, ଅତିରିକ୍ତ ଏସ୍‌ପି, କଣ୍ଟାବାଞ୍ଜି ଏସ୍‌ଡିପିଓ ଏସ.କେ  ମହାପାତ୍ର, ପାଟଣାଗଡ଼ ଆଇଆଇସି କେ. ପ୍ରିୟଙ୍କା ରାଉତରାୟ, ସଦର ଥାନା ଆଇଆଇସି ତୋଫାନ ବାଗ ଓ ପୁଲିସର ଅନ୍ୟ ଅଧିକାରୀ ସବୁ ତଦନ୍ତ କରିଥିଲେ। ମାଜିଷ୍ଟ୍ରେଟ ଡ. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ଥିତିରେ ଦିନ ୪ଟା ସମୟରେ ଘର ଭିତରୁ ୬ଟି ଶବ ବାହାରକୁ ବାହାର କରାଯାଇଥିଲା। ଗୋଟିଏ ପରେ ଗୋଟିଏ ଶବ ବାହାର କରାଯାଇଥିଲା। ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ବେଳେ ମୃତଦେହଗୁଡ଼ିକରେ ଗଇଁତି ଚୋଟ ପଡ଼ିଥିବାର କ୍ଷତ ଚିହ୍ନ ସବୁ ଦେଖିବାକୁ ମିଳିଥିଲା। ବୁଲୁଙ୍କ ବେକ ଓ ପିଠିରେ ଚୋଟ ପଡ଼ିଥିଲା। ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ, ଦୁଇ ଝିଅଙ୍କୁ ବି ସେହି ସମାନ ଢଙ୍ଗରେ କାହା ମୁଣ୍ଡରେ ଚୋଟ ବାଜିଛି ତ ଆଉ କାହାର ବେକରେ ଚୋଟ ବାଜିଛି। ଦେହସାରା କ୍ଷତବିକ୍ଷତ ଚିହ୍ନ ସବୁ ରହିଛି। ଛୋଟ ଶିଶୁରୁ ନେଇ ଘରର ମୁରବି ପର୍ଯ୍ୟନ୍ତ ସମସ୍ତଙ୍କୁ ଜହ୍ଲାଦମାନେ ଛାଡ଼ି ନାହାନ୍ତି। ସମଗ୍ର ଘଟଣାରେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ମୃତ ବୁଲୁଙ୍କ କାହା ସହ ପୂର୍ବ ଶତ୍ରୁତା ଥିଲା କି? ଟଙ୍କା ପଇସାକୁ ନେଇ କିଛି ଗଣ୍ଡଗୋଳ ରହିଥିଲା କି? ନା ଆଉ କିଛି କାରଣ ଥାଇପାରେ ଏସବୁକୁ ନେଇ ପୁଲିସ ସବୁ ଦିଗରୁ ତଦନ୍ତ ଚଳାଇଛି ବୋଲି ଏସ୍‌ପି କହିଛନ୍ତି।

publive-image

ମୃତ ବୁଲୁ ପେସାରେ ଫେରିବାଲା କାମ କରୁଥିଲେ। ଗାଁ ଗାଁ ବୁଲି ପ୍ଲାଷ୍ଟିକ ସାମଗ୍ରୀ, ଚୁଡ଼ି ଆଦି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ପୁଅଝିଅ ସଂଖ୍ୟା ସ୍ଥାନୀୟ ଲୋକେ କିଏ ୧୦ କହୁଛନ୍ତି ତ କିଏ ୧୨ ଥିବା କହୁଛନ୍ତି। ୬ ଜଣ କେବଳ ଏଠାରେ ରହୁଥିବା ବେଳେ ବଡ଼ ପୁଅମାନେ କିଛି ବାହାର ଜିଲ୍ଲା ଓ ବାହାର ରାଜ୍ୟରେ ରହୁଥିବା ସ୍ଥାନୀୟ ଲୋକ କହୁଛନ୍ତି। ପୁଲିସ ମୃତ ବୁଲୁଙ୍କ ଦୁଇ ପୁଅଙ୍କୁ ଯୋଗାଯୋଗ କରୁଥିବା ସୂଚନା ମିଳିଛି। ଏତେ ବଡ଼ ହତ୍ୟାକାଣ୍ଡ କିଏ ଓ କାହିଁକି ଘଟାଇଲା ତାକୁ ନେଇ ସ୍ୱତନ୍ତ୍ର ଟିମ୍‌ ଛାନଭିନ କରୁଛି। ପୁଲିସ ହାତରେ କୌଣସି ସୁରାକ ମିଳିନଥିବା ବେଳେ ଘରୁ ହତ୍ୟାକାଣ୍ଡରେ ବ୍ୟବହୃତ ଗଇଁତି ଜବତ ହୋଇଛି। ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ଜରିଆରେ ପୁଲିସ ବିଭିନ୍ନ ଦିଗକୁ ନେଇ ଘର ଭିତରେ ତଦନ୍ତ କରିଛି।

ସାଇଣ୍ଟିଫିକ ଟିମ୍‌ ତଦନ୍ତ ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତ ବୁଲୁଙ୍କ ନାଁରେ ଚୋରି ମାମଲା କିଛି କିଛି ପୂର୍ବରୁ ରହିଥିବା ଚର୍ଚ୍ଚା ହେଉଛି। ସବୁଠୁ ବଡ଼ ଚର୍ଚ୍ଚା ଏବେ ଘର ଅଗଣାରେ ଝୁଲାଯାଇଥିବା ନଡ଼ିଆ, ଲେମ୍ବୁ। କିଛି ଦିନ ଆଗରୁ ଘର ପ୍ରତିଷ୍ଠା ସମୟରେ ସେ ପୂଜା କରାଇ ତାହା ଲଗାଇଥିଲେ। ହେଲେ ପୁଲିସ ପହଞ୍ଚିବା ସମୟରେ ଘର ଅଗଣାରେ ଏକ କଳସୀ ଓ ସେଥିଭିତରେ ପାଣି ରହିଥିଲା। ନିକଟରେ ଏକ ଲେମ୍ବୁ ଚିପୁଡ଼ା ହୋଇ ପଡ଼ି ରହିଥିଲା। ଚାଉଳ ପକାଇ ପୂଜା କରାଯାଇଥିବା ସନ୍ଦେହ କରାଯାଉଛି। ବୁଲୁ ମଦ ପିଇ ବିଭିନ୍ନ ସମୟରେ ଘରେ ବି ଗଣ୍ଡଗୋଳ କରୁଥିଲେ। ଗତ ରାତିରେ ତାଙ୍କ ଘର ଭିତରୁ ଶବ୍ଦ ବାହାରୁଥିବା ପଡ଼ୋଶୀ ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି। ଘର ଭିତରେ ମଦ ପାଉଚ, କପ୍‌ ବି ପଡ଼ି ରହିଥିଲା। ଏଣୁ ଘଟଣା କେଉଁ ଦିଗକୁ ନେଇ ଘଟିଛି ତାହା ଏବେ ବି ଅସ୍ପଷ୍ଟ ରହିଛି। ଛଅ ଜଣଙ୍କୁ ହତ୍ୟା କରିବା ପଛରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଖୁବ୍‌ ଶୀଘ୍ର ପୁଲିସ ହାତରେ ଅପରାଧୀ ଧରାପଡ଼ିବେ ବୋଲି ଏସ୍‌ପି ସମ୍ପତ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe